୧୭ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଯାପିତ ।

ବ୍ରହ୍ମପୁର–ଓଡିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଓଡିଶା ନାଟକ ସମାରୋହ ସମିତି ବ୍ରହ୍ମପୁର ଦ୍ୱାରା ଆୟୋଜିତ ୧୭ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସୋମବାର ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଉଦଯାପି ହୋଇଯାଇଛି । ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ କୁମାର ପାତ୍ରଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ସହକାରୀ ଆୟୁକ୍ତ ତଥା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନରେନ୍ଦ୍ର ପ୍ରଧାନ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଟ୍ୟ ସଂଗଠକ ଭବାନୀ ଶଙ୍କର ମିଶ୍ର,ବରିଷ୍ଠ ସାମ୍ବାଦିକ ତଥା ବ୍ରହ୍ମପୁର ପ୍ରେସ କ୍ଲବ ସଭାପତି ଅଶୋକ କୁମାର ବ୍ରହ୍ମା,ସଂଘ ସମ୍ପାଦକ ନାରାୟଣ ମହାଙ୍କୁଡ଼ ପ୍ରମୁଖ ବିଶିଷ୍ଠ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବର ଶେଷ ସନ୍ଧ୍ୟାକୁ ଶୁଭାରମ୍ଭ କରିଥିଲେ । ଡ଼. ମିହୀର ତ୍ରିପାଠୀ ଅତିଥି ଆବାହନ, , ସ୍ୱାଗତ ଭାଷଣ ସହ ନାଟକ ମହୋତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ବାଲେଶ୍ଵର ସ୍ରଷ୍ଟା ନାଟ୍ୟ ଅନୁଷ୍ଠାନ ତରଫରୁ ପରିବେଷିତ ନାଟକ”ପରିଚୟ” ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା । ମନୁଷ୍ୟ ନିଜସ୍ଵ ଜାତି,ଧର୍ମ,ବର୍ଣ୍ଣ ଓ ବୃତ୍ତିକୁ ନେଇନିଜର ସ୍ୱତନ୍ତ୍ର ଏକ ପରିଚୟ କରେ ।ପରିଚୟ ପାଇଁ ଧର୍ମର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ।

ସବୁଠୁ ଅଧିକ ମାରାତ୍ମକ ହେଉଛି ରାଜନୀତିରେ ନିଜର ପରିଚୟ ।ଜଣେ ଅନାମଧ୍ୟେୟ ଭିକାରୀର ମୃତ୍ୟୁ ପରେ ତାର ଶବକୁ ନେଇ ଖୋଜାଯାଏ ତାର ପରିଚୟ । ଭିକାରୀର ପରିଚୟ ତାର କର୍ମ । ତାର ଶବ ସତ୍କାର ନେଇ ଆରମ୍ଭ ହୁଏ ରାଜନୀତି ।ସେ ହିନ୍ଦୁ ନା ସେ ମୁସଲମାନ ? ତାର ଶବ ପୋଡାଯିବ ନା ପୋତାଯିବ ? ଭିକାରୀ ଜଣକ ନିଜ ଭିକ୍ଷା ପଇସାରେ ଜଣେ ଅନାଥିନି ଝିଅକୁ ଡାକ୍ତରୀ ପାଠ ପଢେଇ ଥାଏ ।ଶେଷରେ ନିଜ ଗୋପନୀୟ ପରିଚୟର ସନ୍ଧାନ କରି ଝିଅଟି ଭିକାରୀ ନିକଟରେ ପହଞ୍ଚେ । ଏଭଳି କିଛି ସୁନ୍ଦର ବାର୍ତ୍ତା ଦେଇ ଦର୍ଶକଙ୍କୁ ବାନ୍ଧି ରଖିଥିଲା ନାଟକ”ପରିଚୟ” । ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ଏହି ନାଟକକୁ ସଂଗ୍ରାମ କେଶରୀ ମହାନ୍ତି ନିର୍ଦ୍ଦେଶନା ଦେଇଥିଲେ । ସଂଗୀତରେ ଗୁରୁ ନନ୍ଦକିଶୋର ଦାସ ରହିଥିବା ବେଳେ ନାଟକରେ ରତିକାନ୍ତ,ଦିବାକର,ଗୌରୀଶଙ୍କର,ସଂଗ୍ରାମ କେଶରୀ,ଗିରିଜା ଶଙ୍କର,ଶ୍ୟାମରାଇ,ପ୍ରଦୀପ କୁମାର,ଅମିତାଭ,ଭୀମ ଚରଣ,ଗୌରାଙ୍ଗ ଚରଣ ଓ ପୁଷ୍ପିତା ପାଢ଼ୀ ପ୍ରମୁଖ ନିଖୁଣ ଅଭିନୟ କରିଥିଲେ । ନାଟକରେ ଅଜିତାନନ୍ଦ ,ସନ୍ତୋଷ କମିଳା ଓ ଅଜିତ କୁମାର ସହଯୋଗ କରିଥିଲେ । ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇ ଛଅଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଓଡିଶା ନାଟକ ସମାରୋହ ସମିତି ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଅନୁଷ୍ଠାନର ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଜୟନ୍ତୀ ମିଶ୍ର,ଉପସଭାପତି ଡ଼. ସନ୍ୟାସୀ ମହାରଣା,କୈଳାସ ପାଣିଗ୍ରାହୀ, ,ସହ-ସମ୍ପାଦିକା ଆରତୀ ପାତ୍ର,ସୁନୀଲ ସ୍ୱାଇଁ,ଉମେଶ ଚୌଧୁରୀ, ସରୋଜ ପଣ୍ଡା,ସତ୍ୟବ୍ରତ ଦାସ,,ଗିରିଜା ଶଙ୍କର ଦାସ, ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ । ନାଟକ ଶେଷରେ ନାଟକ ସମ୍ପର୍କିତ ପ୍ରଶ୍ନର ସଠିକ ଉତ୍ତର ଦେଇଥିବା ଦର୍ଶକଙ୍କୁ ପୁରସ୍କୃତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ କାର୍ତ୍ତିକ ପାଣିଗ୍ରାହୀ ଓ ରାମେଶ୍ୱରୀ ନନ୍ଦ ପରିଚାଳନା କରିଥିଲେ । ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ମଦନ ମିଶ୍ରଙ୍କୁ ସ୍ବର୍ଗତ ନଳିନୀ ପାଣିଗ୍ରାହୀ ସ୍ମୃତି ସମ୍ମାନ ଓ ସତ୍ୟବ୍ରତ ଦାସଙ୍କୁ ସ୍ବର୍ଗତ ଯଦୁରଥ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।