ତୃତୀୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର,ନୟାଗଡ଼ର ଅରଜିତ୍ ମହାପାତ୍ର ବ୍ଳକରେ ପ୍ରଥମ

-ନୟାଗଡ଼ ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୨-୨୩ ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ସାମନ୍ତମାର୍ଗ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରି ଏକ ନୂଆ ଇତିହାସ ରଚନା କରିଛି । ବିଦ୍ଯାଳୟର ୩ୟ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା କ୍ଷିତିପ୍ରଭା ଦଳବେହେରା ଓ ଅନୁଷ୍କା ବିଶ୍ବାଳ ମେଧାବୃତ୍ତି ପାଇ ଥିଲାବେଳେ ଅରଜିତ୍ ମହାପାତ୍ର ନୟାଗଡ଼ ବ୍ଳକରେ ମେରିଟ୍ ଲିଷ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଇଥିବା ଶ୍ରଦ୍ଧା ସୁମନ,କେ ଦେବସ୍ମିତା ଓ ଗୌରବ ମହାରଣା ମେଧାବୃତ୍ତି ହାସଲ କରି ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି।ଏହି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିନନ୍ଦନ ସମାରୋହ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଷ୍ଟେଟ ବ୍ଯାଙ୍କ ମୁଖ୍ଯ ଶାଖାର ମ୍ଯାନେଜର ହୃଷିକେଶ ତ୍ରିପାଠୀ ଯୋଗଦେଇ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି କହିଥିଲେ। ଅଭିଭାବକ ଓ ଗୁରୁଜୀ ଗୁରୁମା ମାନଙ୍କର ଅକ୍ଳାନ୍ତ ପରିଶ୍ରମ ପାଇଁ ସାଧୁବାଦ ଜଣାଇ ଥିଲେ।ମେଧାବୃତ୍ତି ପାଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ଗୋଲାପ ଫୁଲ ଦେଇ ଅତିଥି ମାନେ ମିଠା ଖୁଆଇ ଥିଲେ। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ସାହୁ କହିଥିଲେ ଯେ, ଆମ ବିଦ୍ଯାଳୟର ଶିକ୍ଷା ଦାନ ପଦ୍ଧତି ନିଆରା । ପ୍ରତି ୨୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗୋଟିଏ ଗୋଟିଏ ବିଭାଗ କରାଯାଏ,ସରକାରୀ ମେଧାବୃତ୍ତି ପରୀକ୍ଷା ପାଇଁ ସ୍ବତନ୍ତ୍ର ଭାବେ ଶିକ୍ଷା ଦାନ ବ୍ଯବସ୍ଥା କରାଯିବା ସହିତ ଅଭିଭାବକ ମାନଙ୍କୁ ଶିଶୁ ମାନଙ୍କର ଦାୟିତ୍ୱ ନେବା ପାଇଁ ନିୟମିତ କାଉନସେଲିଂ କରାଯାଏ। କେବଳ ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା ନୁହେଁ ମାଟ୍ରିକ୍ ପରୀକ୍ଷା, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା, ଏନ୍ ଆର୍ ଟି ଏସ୍ ଆଦି ସମସ୍ତ ପରୀକ୍ଷାରେ ଆମ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଶତପ୍ରତିଶତ ରେଜଲ୍ଟ କରି ଆସୁଛନ୍ତି। ପରିଶେଷରେ ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *