ଲଙ୍କାଗୁଣ୍ଡ ପକାଇ ଝାମ୍ପିନେଲେ ଲକ୍ଷାଧିକ ଟଙ୍କା

ଗତ କାଲି ରାତି ପ୍ରାୟ ୯ଟା୪୫ରେ କେନ୍ଦୁଆପଦା ଆନନ୍ଦବଜାର-ଦଣ୍ଡୋ ରାସ୍ତାରେ ଜଣେ ବ୍ୟକ୍ତିଙ୍କ ଠାରୁ କଳା ପଲସର ଲୁଟେରା ଲଙ୍କାଗୁଣ୍ଡ ପକାଇ ଲୁଟିନେଲେ ୩ ଲକ୍ଷ ଟଙ୍କା ସହ ଏକ ଲାପ୍ଟପ୍ । କେନ୍ଦୁଆପଦା ଗ୍ରାମର ଗୋପାଳ ଚନ୍ଦ୍ର ରାଉତ ଦୀର୍ଘ ବର୍ଷ ହେଲା କେନ୍ଦୁଆପଦାର ଆନନ୍ଦବଜାରରେ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଖୋଲିଛନ୍ତି। ଗତ କାଲିରାତି ପ୍ରାୟ ୯.୪୫ମିନିଟ୍ ସମୟରେ ଗୋପାଳ ସେବା କେନ୍ଦ୍ର ବନ୍ଦ କରି ଏକ ବ୍ୟାଗରେ ନଗଦ ୩ଲକ୍ଷରୁ ଅଧିକ ଟଙ୍କା ଓ ଏକ ଲାପଟପ୍ ଧରି ନିଜ ବାଇକ ଯୋଗେ ଘରକୁ ଯାଉଥିଲେ। ବଜାରରୁ ପ୍ରାୟ ୪୦୦ମିଟର ଯିବା ପରେ କଳା ପଲସରରେ ଲୁଟେରାମାନେ ଆସି ଗୋପାଳଙ୍କୁ ଅଟକାଇଥିଲେ। ଗୋପାଳ ନ ଅଟକିବାରୁ ଏକ ଅନ୍ଧାରିଆ ସ୍ଥାନରେ ଲୁଟେରାମାନେ ତାଙ୍କ ଗାଡିକୁ ଅଟକାଇବା ସହ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୩ ଲକ୍ଷ ଟଙ୍କା ଓ ଲାପଟପ୍କୁ ଛଡାଇ ନେଇ ବାରିକପୁର ଆଡକୁ ଦ୍ରୁତଗତିରେ ପଳାଇ ଯାଇଥିଲେ। ଗୋପାଳ ଲୁଟେରାମାନଙ୍କ ପଛେ ପଛେ ଆନନ୍ଦବଜାରକୁ ଆସି ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଜଣାଇଥିଲେ । ଲୁଟେରାମାନଙ୍କୁ ଅଟକାଇବାକୁ ଲୋକେ ବାରିକପୁର ଅଞ୍ଚଳର ଲୋକଙ୍କୁ ଜଣାଇ କେନ୍ଦୁଆପଦା ଫାଣ୍ଡି ରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ କେନ୍ଦୁଆପଦା ଫାଣ୍ଡି ଅଧିକାରୀ ଯାଞ୍ଚ କରିଥିଲେ ବି କୌଣସି ପତ୍ତା ପାଇନଥିଲେ ।