ଚନ୍ଦ୍ର ଶେଖର ଏକାଡେମି କୁ ବଡ଼ ସଫଳତା : ଜାପାନର IT କମ୍ପାନୀ ରେ ନିଯୁକ୍ତି ପାଇଲେ 3 ଛାତ୍ର

ପୁରୀ: ପୁରୀରେ ପ୍ରଥମ ଥର ପାଇଁ ଜାପାନର ଏକ ବିଶିଷ୍ଟ IT କଂପାନୀରେ ନିଯୁକ୍ତି ପାଇଛନ୍ତି ଚନ୍ଦ୍ରଶେଖର ଏକାଡେମୀର 3 ଛାତ୍ର। ଫଳରେ ଏହାକୁ ନେଇ ଏକାଡେମୀ ସମେତ ପୁରୀ ସହରରେ ଖୁସିର ଲହରୀ ଖେଳି ଯାଇଛି। ଏହି କୃତିତ୍ୱ ହାସଲ କରିଥିବା ଛାତ୍ରମାନେ ଭାରତ ସରକାରଙ୍କ ଅଧୀନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି ର ‘A’ ଲେଭେଲ ଓ ଜାପାନ ଭାଷାରେ ଚନ୍ଦ୍ର ଶେଖର ଏକାଡେମୀରେ ବିଦ୍ୟା ଅଧ୍ୟୟନ କରିଥିଲେ। ଦୀର୍ଘ 2 ବର୍ଷର ବିଦ୍ୟା ଅଧ୍ୟୟନ କରିବା ପରେ IT ‘A’ ଲେଭେଲ ଓ ଜାପାନ ଭାଷା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। କୃତକାର୍ଯ୍ୟ ପରେ ଉପରୋକ୍ତ ଛାତ୍ରମାନଙ୍କୁ ଜାପାନର ଏକ ବିଶିଷ୍ଟ IT କଂପାନୀ ରେ ସିଷ୍ଟମ୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରିବା ଲାଗି ଚୟନ ହୋଇଛନ୍ତି। ସେହି କୃତିତ୍ୱ ଛାତ୍ର ମାନେ ହେଲେ ବିଜୟ ବେହେରା , ସିଦ୍ଧାର୍ଥ ରାଉତ ଓ ବିଶ୍ୱଜିତ ମହାରଣା। ଓଡ଼ିଶା ରୁ ପ୍ରଥମ ଥର ଲାଗି ଜାପାନରେ ନିଯୁକ୍ତି ପାଇବାରେ ଏହି ଛାତ୍ରମାନେ ପ୍ରଥମ। ଏ କୃତିତ୍ୱ କୁ ନେଇ ଛାତ୍ର ସିଦ୍ଧାର୍ଥ ରାଉତ କୁହନ୍ତି, ଜାପାନ ରେ ଚାକିରି କରିବା ପାଇଁ ମୋ ଜୀବନର ଦୀର୍ଘ ବର୍ଷର ସ୍ବପ୍ନ ଥିଲା। ତାହା ଆଜି ପୂରଣ ହୋଇଛି। ଅନ୍ୟପକ୍ଷରେ ଜାପାନ ର କଳା ସଂସ୍କୃତି , ଜ୍ଞାନ କୌଶଳ ମୋତେ ବହୁତ୍ ଆକର୍ଷିତ କରିଥିଲା। ତାହା ଆଜି ଚନ୍ଦ୍ର ଶେଖର ଏକାଡେମି ଲାଗି ସାକାର ହୋଇଛି। ସେହିପରି ବିଶ୍ୱଜିତ ମହାରଣା କୁହନ୍ତି, ଜାପାନ ଦେଶରେ ଚାକିରି ପାଇବା ମୋ ଜୀବନରେ କେବେ ଆଶା କରି ନଥିଲି। କିନ୍ତୁ ସେହି ଆଶା ଆଜି ଚନ୍ଦ୍ର ଶେଖର ଏକାଡେ଼ମୀ ପୂରଣ କରିଛି। ଏକାଡେ଼ମୀ ଲାଗି ଆଜି ଆମେ ବିଦେଶରେ IT ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଥିବାରୁ ମୁଁ ଓ ମୋ ପରିବାର ଅତ୍ୟନ୍ତ ଖୁସି। ସେହିପରି ବିଜୟ ବେହେରା କୁହନ୍ତି, ବିଦେଶରେ ଏକ କମ୍ପାନୀରେ ନିଯୁକ୍ତି ପାଇବା ମୋ ଜୀବନର ବଡ଼ ସଫଳତା। ଜୀବନରେ ଜାପାନରେ ଚାକିରି ପାଇବା କେବେ ମନରେ ନଥିଲା। ମାତ୍ର ଆଜି ମହାପ୍ରଭୁଙ୍କ ଆଶୀର୍ବାଦରୁ ତାହା ପୂରଣ ହୋଇଛି। ତେଣୁ ଏ ସଫଳତା ଲାଗି ଆମ୍ଭେ ଚନ୍ଦ୍ର ଶେଖର ଏକାଡେମୀ ତଥା ଭାରତ -ଜାପାନ ମୈତ୍ରୀ କେନ୍ଦ୍ର, ଭାରତର ସଭାପତି ଶ୍ରୀମନ୍ତ କୁମାର ଦାଶ, ଏକାଡେ଼ମୀର ଅଧ୍ୟକ୍ଷା, ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉଦ୍ୟମ ଯୋଗୁଁ ଏ ସଫଳତା ହାସଲ କରିଛୁ। ଅନ୍ୟପକ୍ଷରେ ଏ ନେଇ ଏକାଡେ଼ମୀର ଅଧ୍ୟକ୍ଷା ରଞ୍ଜିତା ଦାସ କୁହନ୍ତି ଚନ୍ଦ୍ର ଶେଖର ଏକାଡେ଼ମୀରେ ନର୍ସରୀ ଠାରୁ +୨(ବିଜ୍ଞାନ) ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି। ତତ୍ ସହିତ ସିବିଏସଇ ପାଠ୍ୟକ୍ରମର ବ୍ୟବସ୍ଥା ସହ ପିଲାମାନଙ୍କୁ ମାଗଣାରେ ଜପାନିଜ୍ ଭାଷା ର ଶିକ୍ଷାଦାନ କରାଯାଉଛି। ଏହି 3ଜଣ ଛାତ୍ର ଙ୍କ କୃତିତ୍ୱ ଯୋଗୁଁ ଆଜି ଏକାଡେ଼ମୀ ଗର୍ବିତ। ଏହି ଅବସରରେ ଭାରତ -ଜାପାନ ମୈତ୍ରୀ କେନ୍ଦ୍ର, ଜାପାନର ସଭାପତି କୁନା ଦାଶ, ଏକାଡେମି ସମ୍ପାଦକ ସଞ୍ଜୀବ କୁମାର ନାୟକ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *