୬୩ତମ ଦୁନ୍ଦ ମୂକୁଳିସି ସାର୍ବଜନୀନ ଚନ୍ଦନ ଉତ୍ସବ

ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ବହୁ ଆଡ଼ମ୍ବର ସହକାରେ ପାଳିତ ହେଉଛି ସାର୍ବଜନୀନ ଚନ୍ଦନ ଉତ୍ସବ। ୨୦୨୩ ରେ ଏହି ଉତ୍ସବର ୬୩ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହେଉଛି ମେଳା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକର୍ମ। ଚତୁର୍ଦ୍ଧା ବିଗ୍ରହଙ୍କର ରଥାସିନ ବେଶ ପୁଣି ତା ସାଙ୍ଗକୁ ଆହୁରି ଅନେକ ପୌରାଣିକ ଏବଂ ସାମାଜିକ ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ ସୁନ୍ଦର ମୂର୍ତ୍ତିକା କଳା ସେତେ ଯେମିତି ଜୀବନ୍ତ ହୋଇଉଠିଛି ଶିଳ୍ପୀ ଲିପୁ ଭଦ୍ର ଏବଂ ତାଙ୍କ ସହଯୋଗୀ ମାନଙ୍କ ହାତର ଯାଦୁଗରି ଆଉ ତୂଳୀ ମୁନରେ। ଏହି ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ମେଳାରେ ଚାରିଦିଗ ରୁ ଛୁଟି ଆସିଛନ୍ତି ୪୦୦ ରୁ ଉର୍ଦ୍ଧ୍ବ ଦୋକାନ ଯେଉଁଥିରେ ଆକର୍ଷଣ ପାଲଟିଛି ମୀନାବଜାର, ସର୍କଶ, ପିଲାଙ୍କ ନିମନ୍ତେ ବିଭିନ୍ନ ଖେଳ କଉତୁକ ଭରା ଜିନିଷ, ଆଉ ପୁଣି ଫାଷ୍ଟଫୁଡ, ଲସି, ଖେଳନା, ଆସବାବପତ୍ର, ସ୍ଟେସନାରୀ, କଣ୍ଢେଇ, ବାସନକୁସନ, ଲୁଗା ଦୋକାନ। ବିଭିନ୍ନ ଗ୍ରାମ ଆଉ ସ୍ଥାନ ରୁ ଛୁଟି ଆସୁଛନ୍ତି ଲୋକମାନେ। ଘରେ ଘରେ ବନ୍ଧୁବାନ୍ଧବ ଙ୍କର ହୋଇଛି ଆଗମନ ମେଳାର ମଜା ନେବା ନିମନ୍ତେ। ଏବର୍ଷ ୧.୫.୨୦୨୩ ସୋମବାର ଠାରୁ ୭.୫.୨୦୨୩ ରବିବାର ପର୍ଯ୍ୟନ୍ତ ଦୀର୍ଘ ୭ଦିନ ଧରି ଚାଲିବ ମେଳା ଆଉ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ। ଏକାଦଶୀ ଠାରୁ ବୁଦ୍ଧ ପୂର୍ଣ୍ଣିମା ପର୍ଯ୍ୟନ୍ତ ନିକଟସ୍ଥ ଚଉଦରାଣୀ ପୋଖରିରେ ଚାପ ଖେଳିବେ ପ୍ରଭୁ ବୃନ୍ଦାବନ ଜିଉ। କିମ୍ବଦନ୍ତୀ କହେ ସ୍ୱର୍ଗତଃ ମଦନ ମୋହନ ସାହୁଙ୍କ ଦ୍ଵାରା ଚଉଦରାଣୀ ପୋଖରୀରେ ମାଟି ଖୋଳା ଯାଉଥିବା ବେଳେ ଏକ ତାଳ ଡଙ୍ଗା ବାହାରିଥିଲା। ସେ ସେହି ଡଙ୍ଗାକୁ ନେଇ ନିଜ ପୋଖରୀ ରେ ବ୍ୟବହାର କରି ପରିବା ବାଡ଼ିକୁ ପାଣି ମଡାଇବା ପାଇଁ ବ୍ୟବହାର କଲେ। ରାତିରେ ତାଙ୍କୁ ସ୍ବପ୍ନାଦେଶ ହେଲା ଯେ ସେହି ଡଙ୍ଗା କୁ ନେଇ ଚଉଦରାଣୀ ପୋଖରୀରେ ପକାଇ ବୈଶାଖ ମାସର ଏକାଦଶୀ ତିଥି ଠାରୁ ବୁଦ୍ଧ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରଭୁ ବୃନ୍ଦାବନ ଜିଉଙ୍କର ଚନ୍ଦନ ଯାତ୍ରା ଏବଂ ଚାପ ଖେଳ ପାଳନ କରିବା ପାଇଁ। ସେହିଦିନ ଠାରୁ ମଦନ ମୋହନ ସାହୁ ଏବଂ ତାଙ୍କର ସହଯୋଗୀ ମାନଙ୍କ ଦ୍ଵାରା ଦୁନ୍ଦ ମୁକୁଳିଶି ସାର୍ବଜନୀନ ଚନ୍ଦନ ଉତ୍ସବ ପାଳନ ଆରମ୍ଭ ହୋଇ ଆଜି ଦୁନ୍ଦ ମୁକୁଳିଶି ତଥା ପାଖାପାଖି ଗ୍ରାମର ଗ୍ରାମବାସୀ ଏବଂ ମେଳା କୁ ଆସୁଥିବା ଭଦ୍ରବ୍ୟକ୍ତି ତଥା ନିକଟ ଅଞ୍ଚଳର ଜନପ୍ରତିନିଧି ଏବଂ ସମାଜସେବୀ ମାନଙ୍କର ସହାୟତାରେ ଏହି ଉତ୍ସବ ୬୩ବର୍ଷ ପୂରଣ ହୋଇଛି।
ରିପୋର୍ଟ- ବିଷ୍ଣୁପଦ ପତି, ବସ୍ତା।