୭୦ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧ ମୌଳିକ ସୁବିଧାରୁ ବଞ୍ଚିତ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ଥାନା ଅଧିନସ୍ଥ କୁଟୁରିଆ ପଞ୍ଚାୟତରେ ଜଣେ ୭୦ ବର୍ଷୀୟ ଅସହାୟ ଦିବ୍ୟାଙ୍ଗ ବୃଦ୍ଧ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ନଜରକୁ ଆସିଛି ଏହି ପଞ୍ଚାୟତର ମାଟିଆଗୁଡ଼ି ସାହିରେ ରୁହନ୍ତି ବ୍ରହ୍ମାନନ୍ଦ ପ୍ରଧାନ ନାମକ ଦିବ୍ୟାଙ୍ଗ ବୃଦ୍ଧ ।ଆଜକୁ ୫ବର୍ଷ ତଳେ ବ୍ରହ୍ମାନନ୍ଦଙ୍କ ସ୍ତ୍ରୀ ବିୟୋଗ ଘଟିଥିବା ବେଳେ ପାଖରେ ୨ଟି ପୁଅ ରହିଛନ୍ତି । ବଡ଼ ପୁଅ ସରୋଜର ବୟସ ୩୫ ବର୍ଷ ହୋଇଥିବା ବେଳେ ସାନ ପୁଅ ଗୋବର୍ଦ୍ଧନ ବୟସ ୩୦ ହେଲାଣି ।କିନ୍ତୁ ଏହି ୨ପୁଅ ମାନସିକ ଅନଗ୍ରସର ହୋଇଥିବାରୁ ଦିବ୍ୟାଙ୍ଗ ବ୍ରହ୍ମାନନ୍ଦଙ୍କ ଚିନ୍ତା ବଢାଇ ଦେଇଛି ।ଏପରି ଅବସ୍ଥାରେ ଟ୍ରାଇବ୍ରେକର ସାଇକେଲ ସାହାଯ୍ୟରେ ଏ ଗାଁ ସେ ଗାଁକୁ ବ୍ରହ୍ମାନନ୍ଦ ଭିକ୍ଷା ପାଇଁ ଯାଇ ସେଥିରୁ ଯାହା ପ୍ରାପ୍ୟ ଆସିଥାଏ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି ।ବର୍ତ୍ତମାନ ବୟସର ଅପରାହ୍ନରେ ନିଜ ପରିବାର ଚଳାଇବା ବ୍ରହ୍ମାନନ୍ଦ ପାଇଁ କାଠିକର ପାଠ ହୋଇପଡ଼ିଛି ।ପୁଅ ମାନଙ୍କ ଅବସ୍ଥା ତା ସାଙ୍ଗକୁ ନିଜର ଅକ୍ଷମତା ମୁଣ୍ଡ ଉପରେ ଲଳିତା ବିଡା ସଦୃଶ ହୋଇପଡ଼ିଛି ।ଏପଟେ ଝାଟିମାଟି ଚାଳ ଛପର ଘର ଲଗାଣ ବର୍ଷାରେ ମାଟିରେ ମିଶିବାକୁ ବସିଲାଣି ,ଅନ୍ୟ ପଟେ ଅର୍ଥର ଅଭାବ ,କିପରି ପେଟକୁ ଦାନା ଆଉ ମୁଣ୍ଡ ଗୁଞ୍ଜିବାକୁ ଘର ମରାମତି ହେବ ସେଥି ଲାଗି ବ୍ରହ୍ମାନନ୍ଦକୁ ଭାଳେଣୀ ପଡ଼ିଯାଇଛି । ନିଜର ବାସଗୃହ ତଳେ ଆଶ୍ରୟ ନେବାକୁ ହେଲେ ବର୍ଷା ହେଲେ ଘର ଭିତରେ ପାଣିରେ ବେହାଲ ମାତିବା ପରିସ୍ଥିତି ସୃଷ୍ଟି ହେଉଛି ।ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚାଳ ଛପର ଘର ଉପରେ ଜରିପାଲ ଖଣ୍ଡିଏ ପାଇବା ଆଶା ନେଇ ମହାବିରୋଡ ଆରଆଇ ସର୍କଲ କାର୍ଯ୍ୟାଳୟକୁ ବ୍ରହ୍ମା ସାଇକେଲ ଠେଲି ଠେଲି ୫କିଲୋମିଟର ଦୂରତା ଅତିକ୍ରମ କରି ଆସିବାକୁ ପଡୁଛି ।ତୁରନ୍ତ ବେସାହାରା ଦିବ୍ୟାଙ୍ଗ ବୃଦ୍ଧ ବ୍ରହ୍ମାଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବାସ ଘର ଯୋଗାଇ ଦେବାକୁ ସାମ୍ବାଦିକ ସଂଘ ସଭାପତି କୃଷ୍ଣଚନ୍ଦ୍ର ସାହୁ ଦାବୀ ଜଣାଇଛନ୍ତି ।
