ବିଏମ୍ସି ଅବସରପ୍ରାପ୍ତ କର୍ମଚାରୀ ଅବହେଳିତ

ଭୁବନେଶ୍ୱର,୨୧ା୫ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନ୍ ଅଧୀନରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପରିଚାଳିତ ହେଉଛି। ବିଏମ୍ସି କର୍ମଚାରୀମାନେ ସରକାରୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ପାଉଛନ୍ତି। ସେହିପରି ସରକାରୀ ନିୟମ ଅନୁଯାୟୀ ସମସ୍ତ ଦଣ୍ଡବିଧାନ ଓ ଅନ୍ୟାନ୍ୟ ବ୍ୟବସ୍ଥା ରହିଛି। ମାତ୍ର ଗ୍ରାଚ୍ୟୁଟି ଓ ପେନ୍ଶନ କ୍ଷେତ୍ରରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟ ସରକାରୀ କର୍ମଚାରୀ ଅବସର ତଥା ମୃତ୍ୟୁକାଳୀନ ଗ୍ରାଚ୍ୟୁଇଟି ସର୍ବାଧିକ ୧୫ଲକ୍ଷ ଟଙ୍କା ପାଉଥିବାବେଳେ ଏମାନଙ୍କୁ ମାତ୍ର ୮ଲକ୍ଷ ଟଙ୍କା ଦିଆଯାଉଛି। ଏହାକୁ ନେଇ ବିଏମ୍ସିରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଏହି ଅସଙ୍ଗତିକୁ ଦୂର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ବାରମ୍ବାର ସରକାରଙ୍କୁ ଦାବି କରାଯାଉଥିଲେ ବି କୌଣସି ସୁଫଳ ମିଳୁନାହିଁ। ଏ ବାବଦରେ ସରକାରଙ୍କୁ ଚିଠି ମଧ୍ୟ ଲେଖା ସରିଛି। ଅପରପକ୍ଷେ ଗ୍ରାଚ୍ୟୁଟି ଟଙ୍କା ବୃଦ୍ଧି କରିବା ନିମନ୍ତେ ଜାନୁୟାରୀରେ ବସିଥିବା ବିଏମ୍ସି କର୍ପୋରେଶନ ବୈଠକରେ ମଧ୍ୟ ଅନୁମୋଦିତ ହୋଇଛି। କର୍ପରେଟରମାନେ ଏହାକୁ ସର୍ବସମ୍ମତିକ୍ରମେ ପାସ୍ କରିଛନ୍ତି। କେବଳ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାକୁ ଅନୁମୋଦନ କରିବା ପରେ ବିଏମ୍ସି ତା’ ନିଜ ପାଣ୍ଠିରୁ ଗ୍ରାଚ୍ୟୁଟି ପ୍ରଦାନ କରିବ। ବିଏମ୍ସି ପକ୍ଷରୁ ଇତି ମଧ୍ୟରେ ଉକ୍ତ ବିଭାଗକୁ ବାରମ୍ବାର ଚିଠି କରାଯାଇଥିଲେ ବି କୌଣସି ଉତ୍ତର ମିଳୁନାହଁ। ପୂର୍ବରୁ ସଂଘ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କୁ ଭେଟିଥିବାବେଳେ ଶନିବାର ପୁନର୍ବାର ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିସହ ସୋମବାର ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଅବସରପ୍ରାପ୍ତ ବିଏମ୍ସି କର୍ମଚାରୀଙ୍କୁ ପେନ୍ସନ୍ ବହି ମିଳୁନାହିଁ। ଫଳରେ ସେମାନଙ୍କୁ କେଉଁଠାରୁ ଋଣ ମିଳିପାରୁନାହିଁ। ରାଜ୍ୟର ଏତେବଡ଼ ପୌର ସଂସ୍ଥାରେ କାମ କରି ଏଭଳି ସମସ୍ୟା ଦେଇ ଗତି କରିବା ନିହାତି ପକ୍ଷେ ଲଜ୍ଜାର ବିଷୟ ବୋଲି ସଂଘ ସମ୍ପାଦକ ବ୍ରଜ ପଣ୍ଡା କହିଛନ୍ତି। ରାଜ୍ୟ ସରକାରଙ୍କ ଓଡ଼ିଶା ସିଭିଲ ସର୍ଭିସ ଆକ୍ଟ ୨୦୧୬ ସେକ୍ସନ ୧୮ ଅନୁଯାୟୀ, ମ୍ୟୁନିସିପାଲ କର୍ମଚାରୀମାନେ ସରକାରୀ କର୍ମଚାରୀଙ୍କ ପରି ସମସ୍ତ ସୁବିଧା ପାଇବେ। ମାତ୍ର ପୌର କର୍ମଚାରୀଙ୍କ କ୍ଷେତ୍ରରେ ଗ୍ରାଚ୍ୟୁଇଟି ୮ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ୨୦୨୦ ଜାନୁୟାରୀ ୧୬ରେ ନଗର ଉନ୍ନୟନ ବିଭାଗର ରେଜୁଲେଶନ ନଂ. ୧୪୧୪ରେ ପ୍ରକାଶ ପାଇଥିଲା। ଏହାକୁ ପୌର କର୍ମଚାରୀ ବିରୋଧ କରିବା ସହ ଏହାର ସଂଶୋଧନ ଦାବି କରୁଥିବାବେଳେ ଏନେଇ କୌଣସି ସମାଧାନ ବାହାରି ପାରୁନାହିଁ। ଦାବି ସମ୍ପର୍କରେ ବିଏମ୍ସି ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ମେୟର ପର୍ଯ୍ୟନ୍ତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି। ଗୋଟେପଟେ ନଗର ଉନ୍ନୟନ ବିଭାଗ ହାତ ବାନ୍ଧି ବସିଥିବାବେଳେ ବିଏମ୍ସି ଅଧିକାରୀ ଚିଠି କରିଦେଇ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଥିବା ସଂଘ ସମ୍ପାଦକ ପଣ୍ଡା କ୍ଷୋଭର ସହ କହିଛନ୍ତି।