୫୦୦୦ ୟୁଜି ଛାତ୍ରୀଛାତ୍ରଙ୍କୁ ଆର୍‌ଏଫ୍‌ଏସ୍‌

ଭୁବନେଶ୍ୱର,୨୩।୫: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେଶର ୨୭ ରାଜ୍ୟ ଓ ୪ କେନ୍ଦ୍ର ଶାସିତ ଅଞ୍ଚଳର ୫୦୦୦ ଅଣ୍ଡର-ଗ୍ରାଜୁଏଟ୍‌ (ୟୁଜି) ଛାତ୍ରୀଛାତ୍ର ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷାବୃତ୍ତି (ଆର୍‌ଏଫ୍‌ଏସ୍‌) ପାଇବେ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ପ୍ରଥମ ବର୍ଷର ୫୦୦୦ ୟୁଜି ଛାତ୍ରୀଛାତ୍ର ୨୦୨୨-୨୩ ପାଇଁ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର-ଗ୍ରାଜୁଏଟ୍‌ ଶିକ୍ଷାବୃତି ପାଇବେ। ଏଥିପାଇଁ ଚୟନ ହୋଇଥିବା ଛାତ୍ରୀଛାତ୍ରୀମାନେ ପ୍ରାୟ ୨ଲକ୍ଷ ଟଙ୍କା ସହ ଏକ ସକ୍ଷମ ଆଲୁମିନି ନେଟ୍‌ୱର୍କର ଅଂଶ ହେବାର ସୁଯୋଗ ପାଇବେ।
ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେସନର ସିଇଓ ଜଗନ୍ନାଥ କୁମାର କହିଛନ୍ତି, ଦେଶର ଯୁବବର୍ଗଙ୍କ ନିକଟରେ ଆବଶ୍ୟକ ଶିକ୍ଷାକୁ ପହଞ୍ଚାଇବା ସହ ସେମାନଙ୍କ ସ୍ବପ୍ନକୁ ସାକାର କରିବାକୁ ରିଲାଏନ୍ସ ଫାଉଣ୍ଡେସନ ସର୍ବଦା ପ୍ରୟାସ ଜାରି ରଖିଛି। ଏପରିକି ନିକଟରେ ଚୟନ ହୋଇଥିବା ସବୁ ପ୍ରତିଭାବାନଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ। ଉଲ୍ଲେଖଯୋଗ୍ୟ, ଯେକୌଣସି ଶୃଙ୍ଖଳାର ପାଠ୍ୟକ୍ରମରେ ପାଠପଢ଼ୁଥିବା ଛାତ୍ରୀଛାତ୍ରମାନଙ୍କୁ ମେଧା ତଥା ସାଧନ (ମେରିଟ୍‌ କମ୍‌ ମିନ୍‌ସ) ଆଧାରରେ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର-ଗ୍ରାଜୁଏଟ୍‌ ଶିକ୍ଷାବୃତି ପ୍ରଦାନ କରାଯାଉଛି। ଚଳିତ ବର୍ଷ ପାଇଁ ଇଞ୍ଜିନିୟରିଂ-ପ୍ରଯୁକ୍ତି, ବିଜ୍ଞାନ, ଭେଷଜ, ବାଣିଜ୍ୟ, କଳା, ବିଜନେସ-ମ୍ୟାନେଜମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ, ଆଇନ, ଶିକ୍ଷା, ଆତିଥେୟତା, ସ୍ଥାପତ୍ୟ ଓ ଅନ୍ୟାନ୍ୟ ପ୍ରଫେସନାଲ ଡିଗ୍ରୀର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ବିଶେଷ କରି ୨୦୨୨-୨୩ ବର୍ଷ ପାଇଁ ୫୦୦୦ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧% ହେଉଛନ୍ତି ବାଳିକା। ଅପରପକ୍ଷରେ ଏକ ଆପ୍‌ଟିଚ୍ୟୁଡ୍‌ ପରୀକ୍ଷା, ଦ୍ୱାଦଶ ଶ୍ରେଣୀର ମାର୍କ ଏବଂ ଅନ୍ୟାନ୍ୟ ଯୋଗ୍ୟତା ମାନଦଣ୍ଡ ଭଳି କଠିନ ଚୟନ ପ୍ରକ୍ରିୟା ମାଧ୍ୟମରେ ୪,୯୮୪ ରୁ ଅଧିକ ଶିକ୍ଷାନୁଷ୍ଠାନରେ ପାଠପଢ଼ୁଥିବା ପ୍ରାୟ ୪୦,୦୦୦ ଆବେଦନକାରୀଙ୍କ ମଧ୍ୟରୁ ସେମାନଙ୍କୁ ଚୟନ କରାଯାଇଛି। ଉକ୍ତ ପର୍ଯ୍ୟାୟରେ ୯୯ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶିକ୍ଷାବୃତି ପ୍ରଦାନ ଲାଗି ଚୟନ କରାଯାଇଛି। ରିଲାଏନ୍ସ ଫାଉଣ୍ଡେସନ ପୋଷ୍ଟ-ଗ୍ରାଜୁଏଟ (ସ୍ନାତକୋତର) ଶିକ୍ଷାବୃତି ୨୦୨୨-୨୩ର ଚୟନ ବିଷୟରେ ଜୁଲାଇ ମାସରେ ଘୋଷଣା ଆଶା କରାଯାଉଛି। ପରବର୍ତୀ ପର୍ଯ୍ୟାୟ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର ଗ୍ରାଜୁଏଟ ଶିକ୍ଷାବୃତି (୨୦୨୩-୨୪) ପାଇଁ ଆଗାମୀ ଦିନରେ ଆବେଦନ ଆହ୍ବାନ କରାଯିବ।

Leave a Reply

Your email address will not be published. Required fields are marked *