ଶେଷହେଲା ଘୋଷଯାତ୍ରା

ବିନାଭକ୍ତରେ ଓ ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏହି ଐତିହାସିକ ରଥଯାତ୍ରା ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଦେଢଘଣ୍ଟା ପୂର୍ବରୁ ପହଣ୍ଡି ଓ ତିନିଘଣ୍ଟା ପୂର୍ବରୁ ହୋଇଥିଲା ରଥଟଣା | ତେବେ ସନ୍ଧ୍ୟା ପୂର୍ବରୁ ତିନିରଥ ଗୁଣ୍ଡିଚା ମନ୍ଦିରରେ ପହଂଚିଥିବା ବେଳେ ଆସନ୍ତାକାଲି ମହାପ୍ରଭୁ ଆଡ଼ପମଣ୍ଡପକୁ ବିଜେ କରିବାର କାର୍ଯ୍ୟକ୍ରମ ରହିଛି |

ଶେଷ ହେଲା ମହାବାହୁଙ୍କ ଘୋଷଯାତ୍ରା,,, କିନ୍ତୁ ନ ଥିଲା ଭକ୍ତଙ୍କ ଗହଳିଚହଳି। ବଡଦାଣ୍ଡରେ ରଥ ଗଡିଲା କିନ୍ତୁ ଭକ୍ତଙ୍କୁ ନ ପାଇଁ ବ୍ୟାକୁଳ ହେଉଥିଲା ବଡଦାଣ୍ଡ । ମହାପ୍ରଭୁଙ୍କ ଏତେବଡ ଯାତ୍ରାରେ ଶୁଭୁ ନ ଥିଲା ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନି ଓ ହରିବୋଲ ହୁଳହୁଳି। ରଥ ଗଡିବା ସମୟରେ ଦେଖିବାକୁ ମିଳିନଥିଲା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତ ପକାଉଥିବା ନଡ଼ିଆ। କେବଳ ସେତିକି ନୁହେଁ ଭକ୍ତଙ୍କୁ ନ ଦେଖି ମହାପ୍ରଭୁଙ୍କ ଶ୍ରୀମୁଖ ମଧ୍ୟ ମଳିନ ପଡିଯାଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ରଥାରୂଢ ଶ୍ରୀବିଗ୍ରହଙ୍କୁ ଚର୍ମଚକ୍ଷୁରେ ଦେଖିନପାରି କାନ୍ଦୁଥିଲା ଭକ୍ତ। ଆଜି ଭୋରର ୪ରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ ପରେ ମଇଲମ,,ତଡପଲାଗି, ରୋଷହମ,ଅବକାଶ, ସୂର୍ଯ୍ୟପୂଜା ,ଦ୍ୱାରପାଳ ପୂଜା ଓ ବେଶ ଶେଷହେବା ପରେ ସକାଳ ୬.୨୫ରେ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ଶେଷ ହୋଇଥିଲା। ସକାଳ ୬.୧୦ଟାରେ ଦେଉଳ ପୁରୋହିତଙ୍କ ଦ୍ବାରା ତିନିରଥ ପ୍ରତିଷ୍ଠା କରାଯିବା ପରେ ମଙ୍ଗଳାର୍ପଣ ହୋଇ ୭ଟାରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ଧାଡି ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି ହୋଇଆସି ସୁଭଦ୍ରାଙ୍କ ରଥରେ ବିରାଜମାନ କରିବା ପରେ ଶ୍ରୀବଳଭଦ୍ର ତାଳଧ୍ୱଜ ରଥରେ , ଦେବୀ ସୁଭଦ୍ରା ଦର୍ପଦଳନ ରଥରେ ଓ ଶେଷରେ ଜଗତର ନାଥ ଜଗନ୍ନାଥ ନନ୍ଦିଘୋଷ ରଥରେ ଅଧିଷ୍ଠିତ ହୋଇଥିଲେ | ପହଣ୍ଡି ସମୟରେ ମହାପ୍ରଭୁଙ୍କ ଟାହିଆ ବେଶ୍ ଆକର୍ଷଣୀୟ ଥିଲା। ସକାଳ ୯.୪୦ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ସରିବା ପରେ ୯.୧୫ ରୁ ୯.୫୫ ମଧ୍ୟରେ ମଦନମୋହନ ରଥକୁ ବିଜେ କରିଥିଲେ। ଏହାପରେ ଚିତାଲାଗି ଓ ବେଶଶେଷ ହୋଇ ୧୧ଟା ରୁ ଅପରାହ୍ନ ୧୧.୫୦ମଧ୍ୟରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଶ୍ରୀନହରରୁ ମେହେନାରେ ଆସି ଛେରାପହଁରା କରିଥିଲେ। ପ୍ରଥମେ ଗଜପତି ବଡଠାକୁରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ସୁନା ଖଡିକାରେ ଛେରାପହଁରା କରିବା ପରେ ତିନିରଥରେ ଭୋଇ ସେବାୟତ ମାନେ ସାରଥୀଙ୍କୁ ନେଇ ଅଧଷ୍ଠିତ କରାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ରଥଟଣା ପ୍ରସ୍ତୁତି। ତିନିରଥରୁ ଚାରମାଳ ଫିଟାଯିବା ପରେ ଘୋଡା ସଂଯୋଗ କରାଯାଇଥିଲା। ମଧ୍ୟାହ୍ନ ୧୨ଟାରୁ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିବା ଆରମ୍ଭ କରିଥିଲା। ପରେ ଅପରାହ୍ନ 1 ଟାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ୧.୫୦ ରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ହୋଇଥିଲା। ସଂଧ୍ୟା ପୂର୍ବରୁ ତିନିରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା।

ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ଇତିହାସ ରଚିଲା ମହାପ୍ରଭୁଙ୍କ ରଥଯାତ୍ରା। ଗତବର୍ଷ କରୋନା ମହାମାରି ପାଇଁ ବିନାଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଚଳିତବର୍ଷ ମଧ୍ୟ ଭକ୍ତ ଓ ମହାପ୍ରଭୁଙ୍କ ମଧ୍ୟରେ ପୁଣି ପାଚେରୀ ହୋଇ ଠିଆହେଲା କରୋନା ମହାମାରି। ଗତବର୍ଷ ପରି ଚଳିତବର୍ଷ ମଧ୍ୟ ସେବାୟତ ମାନେ ତିନିରଥକୁ ଟାଣିଥିଲେ। ଗଣମାଧ୍ୟମ ଜରିଆରେ ଭକ୍ତମାନେ ନିଜନିଜ ଘରେ ବସି ମହାପ୍ରଭୁଙ୍କ ଏହିଯାତ୍ରା ଦେଖିଥିଲେ ମଧ୍ୟ ଚର୍ମଚକ୍ଷୁରେ ମହାବାହୁଙ୍କୁ ଦେଖିନପାରି ଭକ୍ତ କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଥିଲେ। ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ହୋଟେଲ୍,,ଧର୍ମଶାଳା ଓ ଲଜିଂରୁ ସମସ୍ତ ପର୍ଯ୍ୟଟକଙ୍କୁ ବାହାର କରି ଦିଆଯାଇଥିବା ବେଳେ ଘରୋଇ ଲୋକମାନଙ୍କ ପାଇଁ ଛାତ ଉପରେ ରଥଟଣା ଦେଖିବା ପାଇଁ ମଧ୍ୟ ବାରଣ କରାଯାଇଥିଲା। ତେବେ କିଛି ଭକ୍ତ ରଥଟଣା ସମୟରେ ନିଜ ନିଜ ଛାତ ଓ ବାଲକୋନୀରେ ଠାକୁରଙ୍କୁ ଦେଖୁଥିବା ଦେଖିବାକୁ ମିଳିଥିଲା | ସୁରକ୍ଷା ଦୃଷ୍ଟିକୋଣରୁ ୬୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ୩୦୦ ରୁ ଉର୍ଦ୍ଧ୍ବ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ପୁରୀ ପୌରାଞ୍ଚଳରେ କର୍ପ୍ୟୁ ଓ ୧୪୪ ଧାରା ଜାରି ମଧ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା କରାଯାଇଥିବା ବେଳେ ପୁରୀର ସମସ୍ତ ପ୍ରବେଶପଥକୁ ସିଲ୍ କରାଯାଇଥିଲା। ସମ୍ପୂର୍ଣ୍ଣ ସହରକୁ ୧୨ଟି ଜୋନ୍ ଓ ବଡଦାଣ୍ଡକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇଥିଲା। ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ଗଳିକନ୍ଦି ରାସ୍ତାକୁ ବ୍ୟାରିକେଡ୍ ଦ୍ବାରା ଆବଦ୍ଧ କରାଯାଇଥିବା ବେଳେ ସେଠାରେ ପୋଲିସ ମୁତୟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *