ପୁଣି ଶ୍ରୀମନ୍ଦିରରେ ଅଘଟଣ
ପୁଣି ଶ୍ରୀମନ୍ଦିରରେ ଅଘଟଣ। ବୋଝ ବୋହିବା ବେଳେ ଗରମ ଡାଲି ପଡି ଦୁଇ ବୋଝିଆ ଗୁରୁତର। ଗୁରୁତର ଦୁଇ ବୋଝିଆ ହେଉଛନ୍ତି ତଳଜଙ୍ଗ ଓ ବ୍ରହ୍ମଗିରିର ପପି ପ୍ରଧାନ ଓ ପ୍ରଦୀପ ସାହୁ। ଗରମ ଡାଲି ପଡିଯିବାରୁ ଉଭୟଙ୍କ ଶରୀରରେ ଗଭୀର ଆଘାତ ଲାଗିଛି। ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସରେ ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ସରିବା ପରେ ବୋଝ ବାହାକ ମାନେ ବୋଝରେ ମହାପ୍ରସାଦ ବୋହୁଥିଲେ। ତେବେ ଭୋଗମଣ୍ଡପ ସମ୍ମୁଖ ରାସ୍ତା ଖସଡ଼ା ଥିବାରୁ ଦୁଇଜଣଙ୍କ ଗୋଡ ଖସି ଯାଇଥିଲା। ଉଭୟ ତଳେ ପଡି ଯାଇଥିବା ବେଳେ ସେମାନଙ୍କ ଶରୀରରେ ଗରମ ଡାଲି ପଡିଯାଇଥିଲା। ହସ୍ପିଟାଲରେ ଉଭୟ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। ସେପଟେ ଶ୍ରୀମନ୍ଦିରରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାକୁ ନେଉ ଉଦବେଗ ପ୍ରକାଶ କରିଛି ବୋଝ ବାହାକ ସଂଘ। ତୁରନ୍ତ ବୋଝ ବାହାକ ସଂଘ ପାଇଁ ଇନସ୍ୟୁରାନ୍ସର ବ୍ୟବସ୍ଥା କରାଯାଉ ବୋଲି ବୋଝ ବାହାକ ସଂଘର ସଭାପତି ଦାବି କରିଛନ୍ତି।