ଆଜି ନିର୍ଜଳା ଏକାଦଶୀ : ଏହି ବ୍ରତ ପାଳନ କଲେ ବ୍ରତୀକୁ ଆୟୁ ଓ ନିରୋଗ ସହ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ

ଆଜି ହେଉଛି ପବିତ୍ର ନିର୍ଜଳା ଏକାଦଶୀ ବା ଭୀମସେନୀ ଏକାଦଶୀ I ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ଆୟୁ, ନିରୋଗ ଏବଂ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ । ପୌରାଣିକ କଥାବସ୍ତୁରୁ ଜଣାଯାଏ ଏହି ଏକାଦଶୀରେ ଭୀମସେନ ବ୍ରତ ରଖିଥିଲେ । ସେ ଯେକୌଣସି ଖାଦ୍ୟକୁ ସହଜରେ ହଜମ କରିଦେଉଥିଲେ । ତାଙ୍କ ଉଦରରେ ବୃକ ନାମକ ଅଗ୍ନି ଥିବାରୁ ସେ ଏପରି ଖାଦ୍ୟ ପରିପାକ କରିପାରୁଥିଲେ । ନାଗଲୋକ ଯାଇ ସେଠି ମଧ୍ୟ ଦଶକୁଣ୍ଡ ଦୁଗ୍ଧ ପାନ କରିଥିବାରୁ ସେ ଦଶ ହଜାର ହାତୀର ଶକ୍ତି ପ୍ରାପ୍ତ ହୋଇଥିଲେ। ଏହି ରସ ପ୍ରଭାବରୁ ତାଙ୍କର ପ୍ରଚୁର କ୍ଷମତା ବଢ଼ିଯାଇଥିଲା । ତେଣୁ ସେ ଏକାଦଶୀ ବ୍ରତ ପାଳନ କରି ପାରୁ ନଥିଲେ ।

ଥରେ ଭୀମସେନ ମହର୍ଷି ବେଦବ୍ୟାସଙ୍କୁ କହିଲେ ଦ୍ରୌପଦୀ ଏବଂ ମୋର ସମସ୍ତ ଭ୍ରାତା ଏକାଦଶୀ ବ୍ରତ ରଖୁଛନ୍ତି । କିନ୍ତୁ ମୁଁ ଭୋକ ସମ୍ଭାଳି ନପାରି ବାରୁ ଏହିବ୍ରତ କରିପାରୁନାହିଁ ଆପଣ କୌଣସି ଏକ ଉପାୟ ବତାନ୍ତୁ । ବେଦବ୍ୟାସ କହିଲେ ତୁମେ ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ବ୍ରତ ପାଳନ କଲେ ବର୍ଷ ସାରା ଅନ୍ୟ ସବୁ ବ୍ରତର ଫଳ ମିଳିପାରିବ ।

ଏଥିପାଇଁ ତୁମକୁ ଉକ୍ତ ଏକାଦଶୀରେ ଦୁଇବେଳା ଭୋଜନ ଓ ଜଳତ୍ୟାଗ କରିବାକୁ ପଡ଼ିବ । ଏହିକଥା ଶୁଣି ଭୀମ ନିର୍ଜଳା ଏକାଦଶୀ ବ୍ରତ କରିବା ପାଇଁ ଯତ୍ନଶୀଳ ହେଲେ । ଭୀମସେନ ଏହି ନିର୍ଜଳା ଏକାଦଶୀ ବ୍ରତ ପାଳନ କରିଥିବାରୁ ଏହାକୁ ଭୀମସେନୀ ଏକାଦଶୀ ବୋଲି କୁହାଯାଏ ।

ଶ୍ରୀକ୍ଷେତ୍ର ପୁରୀରେ ଏହା ରୁକ୍ମିଣୀ ହରଣ ଏକାଦଶୀ ଭାବରେ ପରିଚିତ। କାରଣ ଶ୍ରୀମନ୍ଦିରରେ ଆଜି ଦ୍ବୀପହର ଧୂପ ସରିବା ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପାଇ ଶ୍ରୀ ମଦନ ମୋହନ ବିମଳା ମନ୍ଦିର ନିକଟରେ ରୁକ୍ମିଣୀ ହରଣ ଲୀଳା ସମ୍ପାଦିତ କରିବେ। ପରେ ଶ୍ରୀମନ୍ଦିରସ୍ଥ ମାଜଣା ମଣ୍ଡପରେ ମଧ୍ୟ ରାତ୍ରରେ ବୈଦିକ ରୀତିରେ ରୁକ୍ମିଣୀ ବିବାହ ଅନୁଷ୍ଠିତ ହେବ। ରୁକ୍ମିଣୀଙ୍କୁ ହରଣ କରି ତ୍ରୈଲୋକ୍ୟ ଚୁଡାମଣି ବିବାହ ବନ୍ଧନରେ ଆବଦ୍ଧ ହେଉଥିବାରୁ ଲୋକ ମୁଖରେ ଏହା ରୁକ୍ମିଣୀ ହରଣ ଏକାଦଶୀ ନାମରେ ନାମିତ।

Leave a Reply

Your email address will not be published. Required fields are marked *