ପୁଣି ଅଘଟଣ : ଟ୍ରେନ୍‌ରେ କଟି ୬ ମୃତ

ଯାଜପୁର ୭ା୬: ଏମିତି ବି ଆସେ ମୃତ୍ୟୁ । ବାହାନଗା ଟ୍ରେନ୍‌ ଦୁର୍ଘଟଣା ମଣିଷ ମନରୁ ଲିଭି ନ ଥିବା ବେଳେ ବୁଧବାର ଆଉ ଏକ ଅଘଟଣ ଯାଜପୁରରୋଡ୍‌ ଷ୍ଟେଶନ ନିକଟରେ ଘଟିଛି। ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନଠାରୁ କଟକ ଆଡ଼କୁ ପ୍ରାୟ ୨୦୦ ମିଟର ଦୂରତାରେ ଏକ ମାଲବାହୀ ଟ୍ରେନ୍‌ରେ କଟି ବୁଧବାର ୬ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା ପବନ ଯୋଗୁ ମାଲ୍‌ବାହୀ ଟ୍ରେନ୍‌ ତଳେ କିଛି ଶ୍ରମିକ ଆଶ୍ରୟ ନେଇଥିବା ବେଳେ ଏହି ଅଘଟଣ ଘଟିଛି। ଆଜି ଅପରାହ୍ନରେ ଖୁବ୍‌ ଜୋର୍‌ରେ ବର୍ଷା ପବନ ଆସିବାରୁ ଶ୍ରମିକମାନେ ଏହି ମାଲ୍‌ବାହୀ ଟ୍ରେନ୍‌ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ସେଫ୍ଟି ଲାଇନ୍‌ରେ ଥିବା ଟ୍ରେନ୍‌ ଗଡ଼ିଥିଲା। ଫଳରେ ଏହି ଶ୍ରମିକମାନଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଶ୍ରମିକ ଗୁରୁତର ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ବୁଧବାର ଅପରାହ୍ଣରେ ୫ଟା ୧୫ ସମୟରେ ଯାଜପୁରରୋଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ବର୍ଷାରୁ ବର୍ତ୍ତିବା ପାଇଁ ଶ୍ରମିକମାନେ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନର ସାଈମନ୍ଦିର ରେଳଫାଟକ ନିକଟରେ ଅଟକିଥିବା ଏକ ମାଲଗାଡ଼ି ତଳେ ଆଶ୍ରୟ ନେଇଥିଲେ। ଷ୍ଟେସନ୍‌ରେ ଠିଆ ହୋଇଥିବା ଟ୍ରେନ୍‌ଟି ଅଳ୍ପ ସମୟ ପରେ ଆଗକୁ ବଢ଼ିଥିଲା। ଫଳରେ ଟ୍ରେନ୍‌ର ଚକା ତଳେ ଘଟଣାସ୍ଥଳରେ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁରରୋଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଥିମଧ୍ୟରୁ ୨ ଜଣ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଯେ, ଗତ ଜୁନ ୨ରେ ବାଲେଶ୍ୱରର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ଚିତ୍ର ଏବେ ବି ଲୋକଙ୍କ ଆଖି ଆଗରେ ଜୀବନ୍ତ ରହିଛି । ଭୁଲି ହେଉନି ସେହି ଦୃଶ୍ୟକୁ । ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ । ଭାରତ ରେଳ ଇତିହାସରେ ଘଟିଥିବା ସବୁଠୁ ବଡ଼ ଦୁର୍ଘଟଣା ମଧ୍ୟରୁ ଏହା ଥିଲା ଗୋଟିଏ ।

Leave a Reply

Your email address will not be published. Required fields are marked *