ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଅପରାହ୍ନ ୪ଟାରେ ସିଏଚଏସଇ ଆନୁଷ୍ଠାନିକ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ଯକ୍ଷ ଅଶ୍ବନୀ ମିଶ୍ର ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି, ଗତ ମଇ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇଥିଲା ।
ସୂଚନା ଥାଉ କି, ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଥିଲା । ବିଜ୍ଞାନରେ ମୋଟ ୯୩,୭୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୭୧,୯୩୮ ଜଣ ଛାତ୍ରଛାତ୍ରୀ ପାସ୍ କରିଥିଲେ । ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷୀର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ଛାତ୍ରଛାତ୍ରୀ ଉତ୍ତର୍ଣ୍ଣୀ ହୋଇଛନ୍ତି । ୨ଟି ଏମିତି ବି ସ୍କୁଲ ରହିଛି ଯେଉଁଠି କେହି ଜଣେ ଛାତ୍ରଛାତ୍ରୀ ମଧ୍ଯ ପାସ୍ କରିନାହାନ୍ତି । ସେହିପରି ଯୁକ୍ତ ୨ ବାଣିଜ୍ୟରେ ଚଳିତ ବର୍ଷ ପାସ୍ ହାର ରହିଛି ୮୧.୧୨% । ଏଥର ମୋଟ ୨୪,୦୮୨ ଜଣ ପରୀକ୍ଷୀର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ଯରୁ ୧୯,୫୩୬ ଜଣ ପରୀକ୍ଷୀର୍ଥୀ ପାସ୍ କରିଛନ୍ତି । ୯୩.୯% ରେଜଲ୍ଟ ସହ ନୟାଗଡ଼ ଜିଲ୍ଲା ଆଗରେ ରହିଛି । ଚଳିତ ବର୍ଷ ବାଣିଜ୍ୟରେ ୫୫.୫୫% ରେଜଲ୍ଟ ସହ ସର୍ବ ନିମ୍ନରେ ରହିଛି ବୌଦ୍ଧ । ବାଣିଜ୍ୟରେ ପ୍ରାୟ ୯୪ଟି HSCରେ ଶତପ୍ରତିଶତ ରେଜଲ୍ଟ ହୋଇଛି ।ଚଳିତ ବର୍ଷ ମାର୍ଚ୍ଚ ମାସ ୧ ତାରିଖରୁ ଏପ୍ରିଲ ୫ ତାରିଖ ଯାଏଁ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । କଳାରେ ୨ ଲକ୍ଷ ୧୯ ହଜାରେ ୧୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଗତବର୍ଷ ଯୁକ୍ତ ୨ ପାସ ହାର ୯୪.୧୨ ପ୍ରତିଶତ ଓ ବାଣିଜ୍ୟରେ ୮୯.୨ ପ୍ରତିଶତ ରହିଥିଲା । ତେବେ ଚଳିତ ବର୍ଷ ଫଳାଫଳ ଅଧିକ ଭଲ ହେବା ନେଇ ଆଶା କରାଯାଇଛି । ପ୍ରକାଶ ଥାଉ କି, ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୦ରୁ ୨୨ ମଧ୍ଯରେ ଅନଲାଇନରେ ପରୀକ୍ଷା ଖାତା ଦେଖାଯାଇ ଥିବାବେଳେ ଏପ୍ରିଲ ୧୦ରୁ ୨୧ ମଧ୍ଯରେ ଅଫଲାଇନରେ ଖାତା ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଅନଲାଇନ ଖାତା ଦେଖାରେ ପ୍ରାୟ ୩ ହଜାର ଓ ଅଫଲାଇନରେ ପ୍ରାୟ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ । ବିଜ୍ଞାନ ଓ ବାଣିଜ୍ୟ ବିଷୟ ଗୁଡ଼ିକର ଇ- ମୂଲ୍ୟାୟନ ଲାଗି ୩୯ଟି ଓ ମାନୁଆଲ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦାମୂଳକ ବିଷୟ ଗୁଡ଼ିକ ଲାଗି ୬୫ଟି କେନ୍ଦ୍ର କରାଯାଇଥିଲା ।