କେରଳ ଛୁଇଁଲା ମୌସୁମୀ, ବିଳମ୍ବରେ ଓଡ଼ିଶା ଆସିବ

ନୂଆଦିଲ୍ଲୀ/ଭୁବନେଶ୍ୱର,୮ା୬(ବ୍ୟୁରୋ): ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। କିନ୍ତୁ ଏହା ଓଡ଼ିଶା ଛୁଇଁବାରେ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂତରୁ ପ୍ରକାଶ। ଆଇଏମ୍‌ଡି କହିଛି, ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ବଙ୍ଗୋପସାଗର, ଆରବ ସାଗରରେ ଅଧିକ ଅଞ୍ଚଳକୁ ଛୁଇଁବ। ପରେ ତାମିଲନାଡୁ ସମେତ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତ ଛୁଇଁବ। ଯେହେତୁ ମୌସୁମୀ ବାୟୁ ସପ୍ତାହେ ବିଳମ୍ବରେ କେରଳ ଛୁଇଁଛି, ସେମିତି ଓଡ଼ିଶା ଛୁଇଁବାରେ ମଧ୍ୟ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେବେ ଓଡ଼ିଶା ଛୁଇଁବ ସେ ନେଇ କୌଣସି ସୂଚନା ନାହିଁ। ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ପ୍ରଭାବରେ ସପ୍ତାହ ବିଳମ୍ବରେ ମୌସୁମୀ ଗୁରୁବାର କେରଳ ଛୁଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଯଦିଓ ଦେଶରେ ମୌସୁମୀ ବିଳମ୍ବ ହୋଇଛି ଏହା ବର୍ଷା ଉପରେ ପ୍ରଭାବ ପକାଇବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

ଅନ୍ୟପକ୍ଷେ ମୌମୁମୀ ଆଗାମୀ ୩ରୁ ୪ ଦିନ ମଧ୍ୟରେ କର୍ନାଟକ ଏବଂ ତାମିଲନାଡୁରେ ପହଞ୍ଚିବାର ସମ୍ଭାବନା ରହିଛି। ଏପରିକି ଏକ ସପ୍ତାହ ପରେ ମହାରାଷ୍ଟ୍ର ଏବଂ ଗୋଆରେ ପହଞ୍ଚି ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥି ସହିତ ଚଳିତ ମାସ ଶେଷରେ ଉତ୍ତର ଭାରତ ସମେତ ରାଜଧାନୀ ଦିଲ୍ଲୀରେ ମୌସୁମୀ ପହଞ୍ଚିବ ବୋଲି ଆଶା କରାଯାଉଛି।

ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଡକ୍ଟର ନରେଶ କୁମାର କହିଛନ୍ତି, ଲଗାତର ଦୁଇ ଦିନ ଧରି କେରଳରେ ପ୍ରବଳ ବର୍ଷା ହୋଇଛି, ପଶ୍ଚିମ ପବନର ଗତି ମଧ୍ୟ ଭଲ ରହିଛି। ଆସନ୍ତା କିଛି ଦିନ ମଧ୍ୟରେ ଉତ୍ତର ପୂର୍ବ ଭାରତର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସମଗ୍ର କେରଳକୁ ଆଚ୍ଛାଦନ କରିବ ବୋଲି ପାଣିପାଗ ବିଭାଗ ଆଶାବାଦୀ ରହିଛି। ଏହାସହ ମୌସୁମୀ ତାମିଲନାଡୁର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ପହଞ୍ଚିବ। ଆଗାମୀ ୧ରୁ ୨ ଦିନ ମଧ୍ୟରେ ପୂର୍ବ ଭାରତ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇବା ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷେ କେରଳରେ ମୌସୁମୀ ଆଗମନ ଚାଷୀଙ୍କ ପାଇଁ ଖୁସିର ଖବର ଆସିଛି। ଏବେ ଚାଷୀ ଖରିଫ ଧାନ ବୁଣିବା ପାଇ ପ୍ରସ୍ତୁତି ଆରମ୍ଭ କରିବ।

ଚଳିତ ବର୍ଷ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ସାଧାରଣ ମୌସୁମୀ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି। ତେବେ ଉତ୍ତର-ପଶ୍ଚିମ ଭାରତରେ ଚଳିତ ବର୍ଷ ମୌସୁମୀ ବର୍ଷା ହାରାହାରି କମ୍‌ ହୋଇପାରେ।

Leave a Reply

Your email address will not be published. Required fields are marked *