ଅର୍କଶ୍ରୀ ପକ୍ଷରୁ ହେବ ୪ଦିନିଆ ରଜଉତ୍ସବ

କୋଣାର୍କ,୦୯.୦୬- ଆସନ୍ତା ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଅର୍କଶ୍ରୀ ପକ୍ଷରୁ ମା ଭଗବତୀଙ୍କ ପୀଠରେ ରଜ ଉତ୍ସବ ୨୦୨୩ ମହା ଆଡ଼ମ୍ବରରେ ପାଳିତ ହେବାକୁ ଯାଉଛି। ଏହାକୁ ଆକର୍ଷଣୀୟ କରିବା ପାଇଁ କୋଣାର୍କ ଅର୍କଶ୍ରୀ ଶିଳ୍ପୀ ବାଟିକା ପରିସରରେ ଶୁକ୍ରବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅର୍କଶ୍ରୀ ସଂପାଦକ ଉମେଶ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଞ୍ଚ ସଂଯୋଜକ ପ୍ରତାପ ରାଉତ, ସମାଜସେବୀ ଲିଙ୍ଗରାଜ ନାୟକ, କାର୍ଯ୍ୟକ୍ରମ ପରିଚାଳକ ତଥା ଆଇନଜୀବୀ ସୁରେଶ ସ୍ବାଇଁ, ଶିକ୍ଷାବିତ ରାମକୃଷ୍ଣ ମହାନ୍ତିଙ୍କ ସମେତ ସ୍ଥାନୀୟ ସାମ୍ବାଦିକ ମାନେ ପ୍ରମୁଖ ଯୋଗଦେଇଥିଲେ। ସାମାଜିକ ଅନୁଷ୍ଠାନ ଅର୍କଶ୍ରୀ ନିଜ୍ୱସ ଉଦ୍ୟମରେ ମୌସୁମୀ ଋତୁକୁ ସ୍ବାଗତ କରିବା, ଓଡିଶା ପରମ୍ପରା ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା, ମହିଳା ସଶକ୍ତିକରଣର ବାର୍ତ୍ତା ନେଇ ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଏହି ଗଣ ପର୍ବ ଏବେ ବିଶାଳ ଉତ୍ସବରେ ପରିଣତ ହୋଇଛି। ୨୪ବର୍ଷ ଧରି ନିଜର ଉଦ୍ୟମରେ ପାଳନ ହେଉଥିବା ଏହି ଉତ୍ସବକୁ ସରକାରୀ ଓ ବେସରକାରୀ ସ୍ତରରେ ସାହାର୍ଯ୍ୟ ସହଯୋଗ ମିଳିଲେ ଏହା ଆହୁରି ଆକର୍ଷଣୀୟ ହୋଈ ପାରିବ ବୋଲି ସମ୍ପାଦକ ଶ୍ରୀଯୁକ୍ତ ଉମେଶ ସ୍ୱାଇଁ ଆହ୍ବାନ ଦେଇଛନ୍ତି। ଏହି ୨୪ତମ ରଜ ଉତ୍ସବ ସମୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅର୍କପ୍ରଭା, ଅର୍କଶ୍ରୀ ଓ ରଜ ସମ୍ମାନରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ଏଥି ସହିତ ବିଭିନ୍ନ ପ୍ରକାର ପାରମ୍ପରିକ ଓ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ସ୍ଥିର କରାଯାଇଛି। ମହିଳା ମାନଙ୍କ ମଧ୍ୟରେ ଗୀତ, କାନ୍ଦଣା, ହୁଳହୁଳି, ପୁଚି, ଲୁଡୁ, ତାସ, ମେହେନ୍ଦି, ଝୋଟି ପ୍ରତିଯୋଗିତା ସହ ପାନ ଓ ପୋଡ଼ପିଠା ପ୍ରସ୍ତୁତି ସହ ପୁରୁଷ ମାନଙ୍କ ପାଇଁ କବାଡି, ନଡ଼ିଆ ଲଢେଇ, ତାସ ଓ ଲୁଡୁ ପ୍ରତିଯୋଗିତା କରାଯିବ। ଏହି ରଜ ଉତ୍ସବ ଉପଲକ୍ଷେ ନିଶିଗନ୍ଧା ଭାଷା ସାହିତ୍ୟ ଅନୁଷ୍ଠାନର ନିଜର ସହଭାଗିତା ସହ ୮ମ ବାର୍ଷିକ ଉତ୍ସବ ପାଳନ କରିବ। ଯାହା ଫଳରେ ସାହିତ୍ୟ ଆଲୋଚନା ଓ ଆସର ସହ ରାଜ୍ୟସ୍ତରୀୟ କବି କବୟିତ୍ରୀ ମାନଙ୍କ ମିଳନ ହେବ। ପ୍ରତିଦିନ ସାଧାରଣ ସଭା, ଆସର, ଆଲୋଚନା, ପ୍ରତିଯୋଗିତା ସହ ବିଭିନ୍ନ ପ୍ରକାର ସାଂସ୍କୃତିକ ନୃତ୍ୟ ଗୀତର କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ମାନେ ସୁସଜ୍ଜିତ ଦୋଳିରେ ଖେଳିବା ସହ ପାରମ୍ପରିକ ପିଠା ପଣା ଖାଇବା, ନାଚ ଗୀତ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ଉତ୍ସବରେ ସ୍ଥାନୀୟ ବିଧାୟକ, ମନ୍ତ୍ରୀ, ସାଂସଦ, ଅଭିନେତା, ଅଭିନେତ୍ରୀଙ୍କ ସହ ଅନେକ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗ ଦେବେ ବୋଲି ଅନୁଷ୍ଠାନ ପକ୍ଷରୁ ସୁଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *