ଡେଲାଙ୍ଗରେ ରଜ ମହୋତ୍ସବ ଧୂମ୍ ଧାମ୍ ରେ ପାଳିତ

ଡେଲାଙ୍ଗ -ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ସମଗ୍ର ବିଶ୍ଵରେ ଅନନ୍ୟ ଓ ସ୍ବତନ୍ତ୍ର। ସହର୍ଷ ,ସ୍ନେହ,ସୋହାର୍ଦ୍ଦ୍ୟ ସହଭାଗିତା,ସୁଷମାର ମହାନ୍ ମହାମିଳନ ହେଉଛି କୃଷିଭିତ୍ତିକ ପ୍ରାକୃତିକ ପର୍ବ ରଜ ।ଆଜିର କର୍ମକାଲନ୍ତ ସନ୍ତାପିତ ଜୀବନରେ ଶାନ୍ତି ପାଇଁ ସାଂସ୍କୃତିକ ଆଧ୍ୟାତ୍ମିକ ଭାବଧାରାର ସରସ ସଞ୍ଜୀବନୀ ଓ ଭାଇଚାରାର ମହାନ୍ ମହୋଷଧି ହିଁ ଅସରନ୍ତି ଆନନ୍ଦର ଅପୂର୍ବ ଗଣପର୍ବ ରଜ ବୋଲି ଡେଲାଙ୍ଗ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଗଡମୋଟରୀସ୍ଥିତ ବିଶ୍ଵନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ରଜମହୋତ୍ସବ ପାଳନ ଅବସରରେ ନିରାକାରପୁର ଅଞ୍ଚଳର ସୁନାମଧନ୍ୟ ଶିଶୁ ସାହିତ୍ୟିକ , ବିଶିଷ୍ଟ ଗାଳ୍ପିକ, ଔପନ୍ୟାସିକ, ଆଦର୍ଶ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କ ସହ ଆମନ୍ତ୍ରିତ ଅତିଥିମାନେ ସାର୍ବଜନୀନଭାଵେ ମତପୋଷଣ କରି ସବୁ ଉତ୍କଳୀୟ ସଂସ୍କୃତିର ଉତ୍କର୍ଷତା ଓ ମହନୀୟତାକୁ ଧ୍ୟାନ ଦେଇ ପରମ୍ପରା ଓ ଭାଇଚାରା ବଜାୟ ରଖିବାକୁ ସାମ୍ପ୍ରତିକ ସମାଜକୁ ନିବେଦନ କରିଛନ୍ତି। ଲୋକପ୍ରିୟ ଶିଶୁ ସାହିତ୍ୟିକା ଲକ୍ଷ୍ମୀପ୍ରିୟା ଦାଶଙ୍କ ଆବାହକତ୍ବ ଓ ପ୍ରଯତ୍ନଶୀଳ ପ୍ରଧାନଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ରଙ୍କ ପ୍ରଚେଷ୍ଟା ଏବଂ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସାହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଉତ୍କଳ ସମ୍ମିଳନୀର ଉପସଭାପତି ତଥା ଗାନ୍ଧୀ ତତ୍ତ୍ଵ ଓ ଗାନ୍ଧୀ ବାଣୀ ପ୍ରଚାରକ ସମାଜସେବୀ ଅନାମ ମଲ୍ଲିକ ଏବଂ ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ଶ୍ୟାମସୁନ୍ଦର ପାଠାଗାର ର ପ୍ରତିଷ୍ଠାତା କବି ଶିକ୍ଷାବିତ୍ କାଶୀନାଥ ମହାପାତ୍ର ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ , ଆଇନଜୀବୀ, ଶିଶୁ କବି, ପରିବେଶପ୍ରେମୀ, ପ୍ରକୃତି ମିତ୍ର ହୃଷିକେଶ ପାଢି , ପ୍ରଧାନଶିକ୍ଷକ ପ୍ରଦୀପ ସେଠୀ, ସ୍ଥାନୀୟ ସହକାରୀ ଶିକ୍ଷକ ପର୍ଶୁରାମ ଜେନା ଯୋଗଦେଇ ଏହି ଲୋକପର୍ବ ରଜର ସାମାଜିକ, ଐତିହାସିକ ,ଆଧ୍ୟାତ୍ମିକ, ପୃଷ୍ଠଭୂମିର ଅବତାରଣା କରି କୃଷି ଓ ଗ୍ରାମ୍ୟ ପରିବେଶ ସହ କିପରି ଏହା ସଂଶ୍ଳିଷ୍ଟ ଓ ସାନନ୍ଦ ଦାୟକ ତାହା ବର୍ଣ୍ଣନା କରି ପ୍ରତିଟି ଲୋକକଳା ଓ ଲୋକପର୍ବକୁ ବଞ୍ଚାଇରଖିବା ପ୍ରତ୍ୟେକ ଓଡ଼ିଆର ପ୍ରମୁଖ କର୍ତ୍ତବ୍ୟ ବୋଲି ଆହ୍ବାନ ଦେଇଥିଲେ। ଏଥିରେ ସୁସାହିତିକ ପ୍ରଶାନ୍ତ କୁମାର ମଙ୍ଗରାଜ ସଭାପତିତ୍ବ କରିଥିଲେ। ପ୍ରାରମ୍ଭରୁ ସଭାପତି ଓ ମୁଖ୍ୟ ଅତିଥି ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜୋଳନପୂର୍ବକ ଉତ୍ସବକୁ ଉଦ୍ଘାଟନ କରିଥିଲେ। ନୃତ୍ୟର ତାଳେ ତାଳେ ଅତିଥିମାନଙ୍କୁ ପୁଷ୍ପ ଚନ୍ଦନ ଓ ବନ୍ଦାପନା ସ଼ହ ପାରମ୍ପରିକ ଢାଞ୍ଚାରେ ଉତ୍ସବରେ ଯଥାବିଧି ଆତିଥେୟତା ପ୍ରଦାନ କରାଯାଇଥିଲା । ଅତିଥିମାନଙ୍କଦ୍ବାରା ଫକିର ଚରଣ ପାଢୀଙ୍କ ରଚିତ ଦୁଇଟି ପୁସ୍ତକ “ତୁଷାର ମାନବ” ଓ ଦାନର ମହତ୍ତ୍ଵ ଲୋକାର୍ପିତ ହୋଇଥିଲା। ଅନୁଷ୍ଠାନର ପ୍ରମୁଖ କର୍ଣ୍ଣଧାର ସଂପାଦିକା କବୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ ସଂପାଦକୀୟ ବିବରଣୀ ପାଠସହ ସ୍ବାଗତ ଅଭିଭାଷଣ ମାଧ୍ୟମରେ ସମସ୍ତଙ୍କୁ ସ୍ବାଗତ କରିଥିଲେ। କୋମଳ ପତି ବାଳିକାମାନଙ୍କ ରଜଦୋଳି , ପୁଚିଖେଳ,ରଙ୍ଗୋଲି,ଅଳତାଲଗାର ପ୍ରତିଯୋଗିତା ଉତ୍ସବକୁ ମୁଖରିତ କରିଥିଲା। ପିଲାମାନଙ୍କ ସମବେତ ସାଂସ୍କୃତିକ ନୃତ୍ୟଗୀତ ସାଙ୍ଗକୁ କୁନି ମୁହଁରୁ ବନସ୍ତେ ଡାକିଲା ଗଜ,ବରଷକେ ଥରେ ଆସିଛି ରଜଗୀତର କଲୋଳିତ ସ୍ବରର ଏକ ଖୁସିର ମାହଲରେ ସମସ୍ତେ ମସ୍ ଗୁଲ ହୋଇଗଲେ। ଓଡ଼ିଆ ଘରର ବିଭିନ୍ନ ପିଠା,ମିଠା ପାନ ସାଙ୍ଗକୁ ଶୃଙ୍ଗାର ପ୍ରସାଧନ ସାମଗ୍ରୀର ପ୍ରଦର୍ଶନ ସମସ୍ତଙ୍କୁ ବିମୋହିତ କରିଥିଲା। ଦିନସାରା ଏହି ଉତ୍ସବମୁଖର କାର୍ଯ୍ୟକ୍ରମର ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରି ଆଶୀର୍ବାଦ ଦେଇଥିଲେ। ସଂସ୍କୃତି ସାହିତ୍ୟପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ଅଭିନବ ଢ଼ଙ୍ଗରେ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭୁ ବନ୍ଦନା ଗାନ କରିଥିଲେ ଛାତ୍ରୀ ଶ୍ରଦ୍ଧା ଞ୍ଜଳି ପାଲଟା ସିଂ ଓ ସୁଭଦ୍ରା ନାୟକ । ଉତ୍ସବକୁ ସଫଳ କରିବାରେ ଶିକ୍ଷକ ଦିଲିପ ବେହେରା, ଶିକ୍ଷୟିତ୍ରୀ ନୂତନ ପାଟଯୋଶୀ, ସଭ୍ୟା ଲକ୍ଷ୍ମୀପ୍ରିୟା ଜୟସିଂହ, ବୁଦ୍ଧିଜୀବୀ ନରେନ୍ଦ୍ର ପୃଷ୍ଟି,, ଛାତ୍ରୀ ବିଜୟଲକ୍ଷ୍ମୀ ଯେନା,ସିତନୀ ପାଟଯୋଶୀ । ଉତ୍ସବର ମୁଖ୍ୟ ପୁରୋଧା ଶିକ୍ଷକ ଦମ୍ପତି ଗୋପାଳ ଚନ୍ଦ୍ର ମହାପାତ୍ର ଓ ଲକ୍ଷ୍ମୀପ୍ରିୟା ଦାଶଙ୍କ ଏତାଦୃଶ ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରୟାସକୁ ସମସ୍ତେ ଭୁରି ପ୍ରଶଂସା କରିଥିଲେ। ଶେଷରେ ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ର ସହଯୋଗ ପାଇଁ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଦେଇଥିଲେ।