ପଞ୍ଚାୟତିରାଜ ବିଭାଗର ଅନୁଦାନ ଯୋଜନାରେ ପୋଖରୀ ଖୋଳା ନାଁରେ ଅର୍ଥ ହଡପ ମସୁଧା

ପଞ୍ଚାୟତିରାଜ ବିଭାଗର ଅନୁଦାନ ଯୋଜନାରେ ପୋଖରୀ ଖୋଳା ନାଁରେ ଅର୍ଥ ହଡପ ମସୁଧା, ଭିଜିଲାନ୍ସ ତଦନ୍ତ ଦାବି ।କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ ଅବଦାନ ଗ୍ରାମପଞ୍ଚାୟତରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ଜିଆଇଏ ( ଅନୁଦାନ) ଯୋଜନାରେ ଯଦୁପୁର ଗ୍ରାମରେ ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ନାଁକୁ ମାତ୍ର ପୋଖରୀ ଖୋଳି ଲକ୍ଷାଧିକ ଟଙ୍କା ହଡ଼ପ କରିବା ନେଇ ମସୁଧା କରାଯାଉଥିବା ନେଇ ଅଭିଯୋଗ ହେବା ସହ ସତ୍ଯତା ଉନ୍ମୋଚନ ପାଇଁ ଏହାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି। ଖବରରୁ ପ୍ରକାଶ ଯେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜିଆଇଏ ଅନୁଦାନରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧ଏକରରୁ ଊର୍ଦ୍ଧ୍ବ ଜାଗାରେ ପୋଖରୀ ଖନନ କାର୍ଯ୍ୟ କରିବା ପାଇଁ ସରକାରୀ ସ୍ତରରେ ନିୟମ ଥିବା ବେଳେ କୋଣାର୍କ ଥାନା ଅଧିନସ୍ଥ ଅବଦାନ ଗ୍ରାମ ପଞ୍ଚାୟତର ଯଦୁପୁର ଗ୍ରାମରେ ଏହାର ଖୋଲା ଉଲଂଘନ କରାଯାଇ ମାତ୍ର ୫ଗୁଣ୍ଠ ଜାଗାରେ ଏହି ଯୋଜନାରେ ନାଁ ମାତ୍ର ପୋଖରୀ ଖୋଳି ଲକ୍ଷାଧିକ ଟଙ୍କା ହରିଲୁଟ ପାଇଁ ମସୁଧା ଚାଲିଥିବା ଅବଦାନ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ଜେନା ଗ୍ରାମ ପଞ୍ଚାୟତ ଦାୟିତ୍ବରେ ଥିବା ଗ୍ରାମ ପଞ୍ଚାୟତ ନିର୍ବାହ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ଏହି ପୋଖରୀ ଖନନ କାର୍ଯ୍ୟ ଯଦୁପୁର ଗ୍ରାମର ଖାତାନଂ – ୫୦୯ ରେ ୫ଗୁଣ୍ଠ ପରିମିତ ଜାଗାରେ କରାଯାଉଥିବା ବେଳେ ଏହା ପଞ୍ଚାୟତିରାଜ ବିଭାଗର ଆଇନର ଖୋଲା ଉଲଂଘନ କରୁଛି ବୋଲି ପୂର୍ବତନ ସରପଞ୍ଚ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଏହି ପୋଖରୀ ଖନନ କାର୍ଯ୍ୟ ୧ଏକର ପରିବର୍ତ୍ତେ ୫ଗୁଣ୍ଠ ରେ କିଭଳି ଭାବେ କରାଯାଉଛି ତାହା ସଂପୂର୍ଣ୍ଣ ବେଆଇନ ବୋଲି ଅଭିଯୋଗ ହେଉଛି। ଏହି ଖନନରୁ ଖୋଳା ଯାଉଥିବା ମାଟି ବିକ୍ରି କରାଯାଉଛି ବୋଲି ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ଜେନା ଅଭିଯୋଗ କରିଛନ୍ତି। ପଞ୍ଚାୟତିରାଜ ବିଭାଗର ଜିଆଇଏ ଯୋଜନାର ନିୟମକୁ ଉଲ୍ଲଂଘନ କରି ଏଭଳି ନାଁ ମାତ୍ର ପୋଖରୀ ଖନନ କରି ଲକ୍ଷାଧିକ ଟଙ୍କା ହରିଲୁଟ କରିବା ପାଇଁ ଚାଲିଥିବା ଘଟଣାରେ ଭିଜିଲାନ୍ସ ତଦନ୍ତ ପାଇଁ ପୂର୍ବତନ ସରପଞ୍ଚ ଶ୍ରୀ ଜେନା ଦାବି କରିଛନ୍ତି। ଏହି ଘଟଣାକୁ ନେଇ ପୁରୀ ଜିଲ୍ଲାପାଳ, ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ଓ କାକଟପୁର ବ୍ଲକ ବିଡିଓଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରି ଏଭଳି ବେଆଇନ କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ କାର୍ଯ୍ୟ ଜାରି ରହିବ ବୋଲି ଅବଦାନ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ଜେନାଙ୍କ ସମେତ ଶତାଧିକ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *