ନୟାଗଡରେ ଜୁଲାଇ ୧ରୁ ୧୫ ଜିଲ୍ଲାବ୍ୟାପି ୭ ମ ସେବା ଉତ୍ସବ ଅନୁଷ୍ଠିତ ହେବା ନେଇ ସୂଚନା

ନୟାଗଡ଼,୧୯/୬: ଆସନ୍ତା ଜୁଲାଇ ୧ ତାରିଖରୁ ଜୁଲାଇ ୧୫ ତାରିଖ ଯାଏଁ ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେବ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ।ଏନେଇ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସହର ସ୍ଥିତ ହୋଟେଲ ନୀଳମାଧବ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଯୁବପିଢ଼ିଙ୍କୁ ସେବା ଧର୍ମରେ ବ୍ରତୀ କରିବା ସହ ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇବା ପାଇଁ ବିଗତ ୬ ବର୍ଷ ଧରି ଜିଲ୍ଲାରେ ଜିଲ୍ଲାବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏହି କ୍ରମରେ ସପ୍ତମ ଥର ପାଇଁ ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଜୁଲାଇ ୧୫ ତାରିଖ ଯାଏଁ ଏହି ସେବା ଉତ୍ସବ ଅନୁଷ୍ଠିତ ହେବ ।ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ଅଭାବ ଅନାଟନ ଭିତରେ ରହିଥିବା ଅସହାୟ ପାରିବାରଙ୍କୁ ବସ୍ତ୍ର ବଣ୍ଟନ, ରାସନ ସାମଗ୍ରୀ ବଣ୍ଟନ, ଗରିବଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ ଆଦି କାର୍ଯ୍ୟକ୍ରମ ଜିଲ୍ଲାରେ ବ୍ୟାପକ ଭାବେ ଆୟୋଜନ ପାଇଁ ଲକ୍ଷ ରଖାଯାଇଥିବା ବେଳେ ଦୁର୍ଗମ ଅଞ୍ଚଳରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର, ଚଷମା ବଣ୍ଟନ, ଅଂଗଦାନ ଶିବିରର ଆୟୋଜନ କରାଯିବ । ସେହିଭଳି ଦିବ୍ୟାଙ୍ଗ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ଉଦେଶ୍ୟରେ ବିଭିର୍ଣ୍ଣ ସାଂସ୍କୃତିକ କାର‌୍ୟ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକରେ ଆୟୋଜନ କରାଯିବ ।ଜୁଲାଇ ୧ ତାରିଖ ସନ୍ଧ୍ୟାରେ ନୟାଗଡ଼ ଦୁର୍ଗମଣ୍ଡପ ଠାରେ ସେବା ଉତ୍ସବର ଉଦ୍ଘାଟନୀ ସମାରୋହ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପରେ ଏହା ଜିଲ୍ଲା ପରିକ୍ରମା କରି ଜୁଲାଇ ୧୫ ତାରିଖରେ ନୟାଗଡ଼ରେ ଉଦଯାପନୀ ହେବ ।ଏଣୁ, ଏହି ସେବା ଉତ୍ସବକୁ ସଫଳ କରିବା ପାଇଁ ବଦାନ୍ୟ ବ୍ୟକ୍ତି ମାନେ ସହାୟତା ପ୍ରଦାନ କରିବା ପାଇଁ ସେବା ଉତ୍ସବ ସମିତି ପକ୍ଷରୁ ଅଧକ୍ଷ ଶିବରାମ ମହାପାତ୍ର ସୂଚନା ଦେଇଛନ୍ତି ।ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ, ଯୁବପିଢ଼ି, ବୁଦ୍ଧିଜୀବୀ, ସମାଜସେବୀ ଓ ସାମାଜିକ ଅନୁଷ୍ଠାନ ତଥା ସବୁ ବର୍ଗର ଲୋକେ ଏହି ଉତ୍ସବରେ ଯୋଡ଼ିହୋଇପାରିବେ ବୋଲି ସମିତିର ଉପଦେଷ୍ଠା ସନ୍ତୋଷ କୁମାର ପ୍ରଧାନ କହିଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସେବା ଉତ୍ସବ ସଦସ୍ୟ ପରମେଶ୍ୱର ସାହୁ, ଜ୍ୟୋତି ରଂଜନ ମହାପାତ୍ର, ଅମିତ କୁମାର, ଗୁଲସନ କୁମାର ଦାଶ, ରାଜଲକ୍ଷ୍ମୀ ମହାନ୍ତି ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ

Leave a Reply

Your email address will not be published. Required fields are marked *