ଚିଲିକାର ନୀଳ ଜଳରେ ମହାପ୍ରଭୁଙ୍କ ରଥଯାତ୍ରା

କଳାଠାକୁରଙ୍କ କିମ୍ବଦନ୍ତୀ ସହ ଜଡିତ ଏକ ପୀଠ ହେଉଛି ଖୋର୍ଦ୍ଧା ଜିଲ୍ଲା, ନଈରୀ ଗ୍ରାମ ନିକଟସ୍ଥ ଚିଲିକା ଭିତରେ ଥିବା କାଙ୍କଣ ଶିଖରୀ । କାଙ୍କଣ ଶିଖରୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଲୀଳା କ୍ଷେତ୍ର ବୋଲି କୁହାଯାଏ । ଶ୍ରୀକ୍ଷେତ୍ରର ଭ୍ରମ ସୃଷ୍ଟି କରେ କାଙ୍କଣ ଶିଖରୀ । ୧୭୩୧ ମସିହାରେ ମୋଗଲଙ୍କ(ତକି ଖାଁ) ଆକ୍ରମଣରୁ ମହାପ୍ରଭୁଙ୍କୁ ସୁରକ୍ଷା ଦେବା ପାଇଁ ବଡ଼ ଦେଉଳରୁ ଆଣି କାଙ୍କଣୀ କୁଦରେ ପାତାଳି କରାଯାଇଥିଲା । ଯାହା ମାଦଳା ପାଞ୍ଜିରେ ଲିପିବଦ୍ଧ ହୋଇ ରହିଛି । କିମ୍ବଦନ୍ତୀ କହେ ମୋଗଲ ଶାସକଙ୍କ ଆକ୍ରମଣରୁ ବର୍ତ୍ତିବାକୁ ଗଜପତି ଓ ସେବାୟତମାନେ ମହାପ୍ରଭୁଙ୍କୁ ଚିଲିକାର ନୀଳ ଜଳରାଶି ମଧ୍ୟରେ ଥିବା ଏକ ଟାପୁରେ ଲୁଚାଇ ରଖିଥିଲେ ।ଏହି କ୍ଷେତ୍ର ଏବେ ଶ୍ରୀଜୀଉଙ୍କ ଲୀଳା କ୍ଷେତ୍ର ଭାବେ ବେଶ ପରିଚିତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଚିଲିକା ମଝିରେ ରହିଛି ଲିଳାକ୍ଷେତ୍ର କାଙ୍କଣ ଶିଖରୀ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏଠି ପାଳିତ ହୁଏ ସମସ୍ତ ପର୍ବ ପର୍ବାଣୀ ଓ ନୀତି କାନ୍ତି । ଶ୍ରୀଗୁଣ୍ଡିଚାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି କାଳିଆ ସାଆନ୍ତ ଡଙ୍ଗାରେ ବସି ଚିଲିକା ପରିଭ୍ରମଣ କରନ୍ତି । ଏ ଅପୂର୍ବ ଦୃଶ୍ୟ ଦେଖିବାକୁ କାହିଁ ଦୂର ଦୁରାନ୍ତରୁ ଭକ୍ତ ମାନେ ଆସିଥାନ୍ତି l ଏଠାରେ ଭକ୍ତଙ୍କ ପ୍ରବଳ ଗହଳି ମଧ୍ୟ ଜମିଥାଏ । ଯାହା ବିଶ୍ବରେ ଅନ୍ୟ କେଉଁଠି ଦେଖିବାକୁ ମିଳିନଥାଏ । ଜଗତର ନାଥ ଜଗନ୍ନାଥ ଏଠାରେ ପାତାଳୀ ହୋଇଥିବା ସମୟରେ ଟାପୁରେ ଫଳିଥିବା କାଙ୍କଡ଼ ମହାପ୍ରଭୁଙ୍କୁ ଭୋଗଲାଗି ହୋଇଥିଲା । ସେହି ଦିନ ଠାରୁ ପ୍ରଭୁଙ୍କର ଏହି ଲୀଳା କ୍ଷେତ୍ରକୁ କାଙ୍କଣ ଶିଖରୀ ଭାବେ ଅଭିହିତ କରାଯାଇଛି । ଏହା ନଈରୀ ଗ୍ରାମବାସୀ ଏବଂ ବିଭିର୍ଣ୍ଣ ସ୍ୱଛା ସେବି ସଂଗଠନଙ୍କ ମାଧ୍ୟ୍ୟମରେ ପ୍ରଭୁଙ୍କର ଏହି ନୌକା ବିହାର କାର୍ଯ୍ୟକ୍ରମ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି l କିନ୍ତୁ ବଡ ଦୁଃଖର ବିଷୟ,ଭିଡ ନିମନ୍ତ୍ରଣ କରିବା ପାଇଁ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା l ଜଗନ୍ନାଥ ସଂସ୍କୃତିର ଏହି ପିଠ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ମର୍ଯ୍ୟାଦା ବହନ କରୁଛି ।