ବାରମ୍ବାର ଅବଗତ ପରେ ମଧ୍ୟ ଗଳାପୋଲ ସମ୍ପ୍ରସାରଣ କ୍ଷେତ୍ରରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିରବ ଜିଲ୍ଲାପାଳଙ୍କୁ ଅଭିଯୋଗ ସହ ଆସନ୍ତା ଦିନରେ ରାଜପଥ ଅବରୋଧ ଧମକ

ଭଦ୍ରକ, ୧୪ା୭ – ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ବହୁ ବିବାଦୀୟ ଭୂମିକା ନିଭଉାଥିବା ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ଠିକା ସଂସ୍ଥା ନିଜର ମନମୁଖୀ ନିର୍ମାଣ ନେଇ ପୁଣି ବିବାଦ ଘେରକୁ ଆସିଛନ୍ତି । ସମ୍ପୃକ୍ତ ଠିକା ସଂସ୍ଥା ପ୍ରକଳ୍ପ ନକ୍ସା ଅନୁସାରେ କାର୍ଯ୍ୟ କରୁନଥିବାରୁ ରାଜପଥ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଉଛି । କେଉଁଠି ଜଳ ନିଷ୍କାସନ ଦିଗରେ ସମସ୍ୟା ରହୁଛି ତ କେଉଁଠି ଗଳାପୋଲ ସମ୍ପ୍ରସାରଣକୁ ନେଇ । ପୁଣି ବିଳମ୍ବିତ କାର୍ଯ୍ୟ ପାଇଁ ଦୁର୍ଘଟଣା ଏକ ବଡ଼ ସମସ୍ୟା ।ଏହାରି ମଧ୍ୟରେ ସମ୍ପୃକ୍ତ ଠିକା ସଂସ୍ଥା ବିରୁଦ୍ଧରେ ଆସିଛି ଆଉ ଏକ ଦାୟିତ୍ୱହୀନତାର ଅଭିଯୋଗ ।ଯାହାକୁ ନେଇ ଆଜି ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ରାଜସ୍ୱ ଗ୍ରାମ ସହ ପାଶ୍ୱବର୍ତ୍ତୀ ଗ୍ରାମ ଗୁଡିକର ଗ୍ରାମବାସୀ ମାନଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଦ୍ୱାରା ଗଠିତ ମହାବୀର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିବା ଅଭିଯୋଗ ପତ୍ର ଅନୁଯାୟୀ,୧୬ ନଂ ଜାତୀୟ ରାଜପଥ ସଂଲଗ୍ନ ବିଷ୍ଣୁପୁର ରାଜସ୍ୱ ଗ୍ରାମକୁ ସଂଯୋଗ କରୁଥିବା ଗଳାପୋଲ,ଯାହାକି ବିଷ୍ଣୁପୁରକୁ ଗତାଗତ ନିମନ୍ତେ ମୁଖ୍ୟ ମାଧ୍ୟମ ଅଟେ । ଏହାବାଦ ଏହି ଗଳାପୋଲ ବିଷ୍ଣୁପୁର ବିଦ୍ୟାଳୟ ସହ ବିଷ୍ଣୁପୁର ନିମ୍ନ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଯିବା ପାଇଁ ଏକମାତ୍ର ରାସ୍ତା ଭାବେ ପ୍ରତିଦିନ ଅପର ପାଶ୍ୱର୍ରେ ଥିବା ଗୋପେଇ,ବହୁଦରଡା ଗ୍ରାମର ଛାତ୍ରଛାତ୍ରୀଙ୍କ ସମେତ ଚାଷକାର୍ଯ୍ୟ ପାଇଁ ଚାଷୀ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଅନେକ ଲୋକ ଏହି ଗଳାପୋଲ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଗ୍ରାମବାସୀଙ୍କ ପକ୍ଷରୁ ବହୁ ପୂର୍ବରୁ ସମ୍ପୃକ୍ତ ଠିକା ସଂସ୍ଥା ସହ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଯାଇ ଏହାର ସମ୍ପ୍ରସାରଣ ନିମନ୍ତେ ପ୍ରତିଶୃତି ମିଳିଥିଲା । ହେଲେ ଏବେ ସେହି ନିକଟବର୍ତ୍ତୀ ଅଞ୍ଚଳ ପାର୍ଶ୍ୱରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ସ୍ଥଳେ ଏହାର ସମ୍ପ୍ରସାରଣ ନିମନ୍ତେ ସଂସ୍ଥା ପକ୍ଷରୁ ନାସ୍ତିବାଣୀ ଶୁଣିବାକୁ ମିଳୁଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି । ଏଥିନେଇ ସମ୍ପୃକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀରେ ଅବିଭକ୍ତ ଜଳମଣ୍ଡୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଭିକାରୀ ଚରଣ ସେଠି, ବିଷ୍ଣୁପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଦ୍ୟାଧର ସେଠି,ଭାରତୀୟ ମଜୁଦୁର ସଂଘର ସଂପାଦକ ମୁକ୍ତିକାନ୍ତ ସାହୁ, ସମାଜସେବୀ ବିଜୟ ମିଶ୍ର, ସାମ୍ବାଦିକ ରବିନାରାୟଣ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ବିସ୍ତୃତ ଆଲୋଚନା ମଧ୍ୟରେ ଗ୍ରାମବାସୀଙ୍କ ଦାବି ଉପସ୍ଥାପନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଦାବିକୁ ଉପଯୁକ୍ତ ବୋଲି ସ୍ୱୀକାର କରିବା ସହ ଏହାର କାର୍ଯ୍ୟକାରିତା ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଯଦି ଆଗାମୀ ଦିନରେ ଏହି ଗଳାପୋଲର ସମ୍ପ୍ରସାରଣ କାର୍ଯ୍ୟ କରାନଯାଏ ତେବେ ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ ସହ ସମ୍ପୃକ୍ତ ଠିକା ସଂସ୍ଥାକୁ ନିର୍ମାଣ କାର୍ଯ୍ୟରେ ଅସହଯୋଗ କରାଯିବ ବୋଲି ଉକ୍ତ ପ୍ରତିନିଧି ମଣ୍ଡଳୀ ଗଣମାଧ୍ୟମକୁ ଅବଗତ କରାଇଛନ୍ତି ।

Leave a Reply

Your email address will not be published. Required fields are marked *