ସରପଂଚଙ୍କ କାର୍ଯ୍ୟକାଳ ସରିବାକୁ ବସିଲାଣି, ପଂଚାୟତ ଗୃହ ସଂପୂର୍ଣ୍ଣ ହୋଇପାରିଲାନି

ବନ୍ତ,୧୬/୭: ଓଡ଼ିଶା ସରକାରଙ୍କ ପଂଚାୟତରାଜ ବିଭାଗ ପକ୍ଷରୁ ଗ୍ରାମପଂଚାୟତ ପୁର୍ନଗଠନ ଆଇନ ଅନୁଯାୟୀ ୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ୩ଗୋଟି ନୂତନ ଗ୍ରାମପଂଚାୟତ ଗଠନ ଘୋଷଣା କରାଯାଇଥିଲା । ତଦନୁସାରେ ବନ୍ତ ବ୍ଲକ ଅଧିନରେ ୨୨ଟି ପଂଚାୟତ ପରିବର୍ତ୍ତେ ୨୫ଟି ପଂଚାୟତ କାର୍ଯ୍ୟ କରିଥିଲା । ନୂତନ ଗ୍ରାମପଂଚାୟତ ଗୁଡ଼ିକ ହେଲା ପୁରୁଷଣ୍ଢ ପଂଚାୟତକୁ ଭାଗକରାଯାଇ ବଡ଼ହାଟତ୍ରିଲୋଚନପୁର(ବି.ଟି.ପୁର)ପଂଚାୟତ,କାଦବରାଙ୍ଗ ପଂଚାୟତକୁ ଭାଗକରାଯାଇ ବଡ଼ବର୍ଚ୍ଚିକୟାଁ ପଂଚାୟତ ଓ ଅଣିଜୋ ପଂଚାୟତକୁ ଭାଗକରାଯାଇ ଚାରିଗାଁ(ଚକ୍ରାପାଢୀ) ଏହିପରି ୩ଗୋଟି ନୂତନ ପଂଚାୟତ ଗଠନ କରାଯାଇଥିଲା । ଏହି ୩ଗୋଟି ନୂତନ ପଂଚାୟତ ଗଠନ ହେବାର ଇତି ମଧ୍ୟରେ ୫ବର୍ଷ ବିତିବାକୁ ବସିଲାଣି ଏବଂ ଆଉ ଏକ ପଂଚାୟତ ନିର୍ବାଚନ ଆସିଲାଣି ତଥାପି ଆଜି ପର୍ଯ୍ୟନ୍ତ ପଂଚାୟତଗୁଡ଼ିକର ନିଜସ୍ୱ କାର୍ଯ୍ୟାଳୟ ଗୃହ ନିର୍ମାଣ ହୋଇନପାରିବା ପରିତାପର ବିଷୟ ହୋଇଛି । ପ୍ରକାଶ ଯୋଗ୍ୟ ଯେ; ବଡ଼ହାଟତ୍ରିଲୋଚନପୁର(ବି.ଟି.ପୁର)ପଂଚାୟତ କାର୍ଯ୍ୟାଳୟ ନୂତନ ଗୃହ ନିମନ୍ତେ ଜମି ଅଧିଗ୍ରହଣ କରାଯିବା ପରେ ୩୩ ଲକ୍ଷ ୭୦ ହଜାର ଟଙ୍କା ମଂଜୁର ହୋଇଥିଲା । ୨୦୧୮ ମସିହା ଜାନୁୟାରୀ ୬ ତାରିଖରେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ମିଳିବା ସହିତ ୯୦ ଦିନ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଉଲ୍ଲେଖ ରହିଥିଲା । ଅବଧି ସରିବା ପରେ ସୁଦ୍ଧା ରାଜନୈତିକ ଆକ୍ରୋଶ ଯୋଗୁଁ ଆଜି ପର୍ଯ୍ୟନ୍ତ ଏକ ପୂର୍ଣ୍ଣାଙ୍ଗ ଗୃହ ନିମାଁଣ ହୋଇପାରିଲା ନାହିଁ । ସେହିପରି ବଡ଼ବର୍ଚ୍ଚିକୟାଁ ପଂଚାୟତ କାର୍ଯ୍ୟାଳୟ ନୂତନ ଗୃହ ନିମନ୍ତେ ଜମି ଅଧିଗ୍ରହଣ କରାଯିବା ପରେ ୨୦୧୭-୧୮ ଆର୍ଥିକ ବର୍ଷରେ ଏଥି ନିମନ୍ତେ ୩୩ଲକ୍ଷ ୭୦ହଜାର ଟଙ୍କା ମଂଜୁର ହୋଇଥିଲା । କିନ୍ତୁ ବିଦ୍ୟାଳୟ ନିମନ୍ତେ ସଂରକ୍ଷିତ ସ୍ଥାନରେ ପଂଚାୟତ ଗୃହ ନିର୍ମାଣ ହୋଇଥିବାରୁ ବହୁ ବାଦାନୁବାଦ ଭିତରେ ଉକ୍ତ ଗୃହ ନିର୍ମାଣ ସରିଥିଲେ ସୁଦ୍ଧା ସରକାରୀ ସ୍ତରୀୟ ଘୋଷଣା କରାଯାଇନଥିବା ବେଳେ ଚାରିଗାଁ (ଚକ୍ରାପାଢୀ)ପଂଚାୟତ କାର୍ଯ୍ୟାଳୟ ନୂତନ ଗୃହ ନିମନ୍ତେ ଜମି ଅଧିଗ୍ରହଣକୁ ନେଇ ସରକାର ଓ ଗ୍ରାମବାସୀଙ୍କ ମଧ୍ୟରେ ବାଦବିବାଦ ଲାଗିରହିଥିଲା ଏବଂ ପରେ ଏହାର ସ୍ଥାୟୀ ସମାଧାନ କରାଯାଇ ଚଳିତ ବର୍ଷ ଗତ ମାର୍ଚ୍ଚ ମାସ ୧୦ତାରିଖରେ ନୂତନ ଗୃହ ନିର୍ମାଣ ନିମନ୍ତେ ଶିଳାନ୍ୟାସ ଉତ୍ସବ ପାଳିତ ହୋଇଥିଲା । ଏହା ବର୍ତ୍ତମାନ ଅଧପନ୍ତରିଆ ଅବସ୍ଥାରେ ଥିବାରୁ ଚକ୍ରାପାଢୀ ପ୍ରାଥମିକ ବିଦ୍ୟାଳୟର ଏକ ପ୍ରକୋଷ୍ଠରେ ଅସ୍ଥାୟୀ ଭାବେ ପଂଚାୟତ କାର୍ଯ୍ୟାଳୟ ଚାଲି ଆସୁଛି । ଏହିପରି ନୂତନ ଭାବରେ ଗଠିତ ପଂଚାୟତ ଗୁଡ଼ିକର ନିଜସ୍ୱ ଗୃହ ନିର୍ମାଣ ସରିନଥିବାରୁ ବିକାଶ ମୂଳକ କାର୍ଯ୍ୟରେ ବାଧା ଉପୁଜିବାସହ ମୂଲ୍ୟହିନ ପାଲଟିବାକୁ ଯାଉଛି ସରକାରଙ୍କ ନୂତନ ଗ୍ରାମପଂଚାୟତ ଗଠନ ଯୋଜନା । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ଉକ୍ତ ଗୃହ ସଂପୂର୍ଣ୍ଣ କରିବାକୁ ଚେଷ୍ଟିତ ହେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି

Leave a Reply

Your email address will not be published. Required fields are marked *