ପୁରୀ ଆର୍‌ଟିଓ ପକ୍ଷରୁ ଚଢ଼ଉ : ମଦ୍ୟପ ଚାଳକ ଓ ନାବାଳକଙ୍କୁ ୩୮ହଜାର ଟଙ୍କା ଜୋରିମାନା


ପୁରୀ୮: ଆଞ୍ଚଳିକ ପରିବହନ ବିଭାଗ, ପୁରୀ ପକ୍ଷରୁ ମୋଟରଯାନ ସଂଶୋଧିତ ଆଇନ ଉଲ୍ଲଙ୍ଘନ କରୁଥିବା ଚାଳକଙ୍କ ଉପରେ ଚଢ଼ଉ ଅଭିଯାନ ଜାରି ରହିଛି । ପରିବହନ କମିଶନର ଅମିତାଭ ଠାକୁରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍‌ପି ଡା. କନୱର ବିଶାଲ ସିଂଙ୍କ ତତ୍ତ୍ୱାବଧାନରେ ଆର୍‌ଟିଓ(ଆଞ୍ଚଳିକ ପରିବହନ ଅଧିକାରୀ) ରବିନ୍ କୁମାର ପଟ୍ଟନାୟକ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ଚଢ଼ଉ କରୁଛନ୍ତି ।
ଶୁକ୍ରବାର ଆର୍‌ଟିଓ ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସିଷ୍ଟାଣ୍ଟ୍ ଏମ୍‌ଭିଆଇ ଅମିତ କୁମାର ରଣା ଓ ଟ୍ରାଫିକ ଇନ୍ସିପେକ୍ଟର ସୁସାନ୍ତ କୁମାର ପାତ୍ର ତାଙ୍କ ଟିମ୍‌କୁ ନେଇ ପୁରୀ-କୋଣାର୍କ ରାସ୍ତାରେ ଯାନବାହନ ଯାଞ୍ଚ କରୁଥିଲେ । ତୋଷାଳି ହୋଟେଲ ନିକଟ ରାସ୍ତାରେ ଏକ ଯାତ୍ରୀବାହୀ ବସ୍‌କୁ ଅଟକାଇଥିଲେ । ଉକ୍ତ ବସ୍‌ର ଚାଳକ ମଦ ପିଇ ଗାଡ଼ି ଚଳାଉଥିବାରୁ ବସ୍ ନମ୍ବରରେ ଜରିମାନା ବାବଦକୁ୧୦ହଜାର ଟଙ୍କାର ଚାଲାଣ କଟାଯାଇଥିଲା । ଜରିମାନା ଟଙ୍କା ଦେବା ପରେ ବସ୍‌କୁ ଅନ୍ୟ ଜଣେ ଚାଳକ ଡ୍ରାଇଭ୍ କରି ଯାତ୍ରୀଙ୍କୁ ନେଇକି ଯାଇଥିଲେ ।
ସେହିପରି ଏହି ରାସ୍ତା ଦେଇ ପୁରୀ ନାଗାପାଟଣା ଅଞ୍ଚଳର ଜଣେ ୧୬ବର୍ଷୀୟ ଯୁବକ ବାଇକ୍ ନେଇ ବଇରିପୁର ସ୍ଥିତ କଲେଜ ଅଭିମୁଖେ ଯାଉଥିଲେ । ଏହି ବାଇକ୍ ପଛପଟେ ଆଉ ଜଣେ ଛାତ୍ର ମଧ୍ୟ ବସିଥିଲେ । ଏହାଦେଖି ଆରଟିଓ ଟିମ୍ ସେମାନଙ୍କୁ ଅଟକାଇ ବୟସ ପଚାରିଥିଲେ । ପରେ ନାବାଳକଙ୍କ ପଲ୍ସର ବାଇକ୍ ନମ୍ବରରେ ଜରିମାନା ବାବଦକୁ ୨୮ହଜାର ଟଙ୍କାର ଚାଲାଣ କାଟିଥିଲେ । ସମ୍ପୃକ୍ତ ନାବାଳକଙ୍କ ପରୀକ୍ଷା ଥିବାରୁ ତାଙ୍କୁ ତୁରନ୍ତ ଛାଡ଼ିଦିଆଯାଇଥିଲା । ତେବେ ନାବାଳକମାନଙ୍କୁ ଯାନବାହନ ଚଳାଇବାକୁ ନ ଦେବାକୁ ଆର୍‌ଟିଓ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *