ପଟ୍ଟା ପାଇନଥିବା ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ଜାଗା ମିଶନରେ ସ୍ଥାୟୀ ପଟ୍ଟା ପାଇବାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର। ପୁରୀ ପୌରପାଳିକାର ପୂର୍ବତନ କାଉନସିଲର ମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ପ୍ରଶାସନ ଜମିଜମା ସମସ୍ୟାର ସମାଧାନ କରି ଶିଘ୍ର ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ଦାବି କରିଛନ୍ତି ପୂର୍ବତନ କାଉନସିଲର। ବିଜୁ ଯୁବ ଜନତା ଦଳର ଉପସଭାପତି ସୁନିଲ୍ ମହାନ୍ତିଙ୍କ ନେତୃତ୍ବରେ ବିଜେଡିର ପୂର୍ବତନ କାଉନସିଲର ମାନେ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଭେଟି ଆଜି ଏହି ଦାବି ଜଣାଇଛନ୍ତି। ଜାଗା ମିଶନରେ ଅନେକ ବସ୍ତିବାସିନ୍ଦା ଜମିଜମା ସମସ୍ୟାକୁ ନେଇ ସ୍ଥାୟୀ ପଟ୍ଟା ପାଇପାରୁ ନାହାନ୍ତି। ଫଳରେ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ହଜାର ହଜାର ବସ୍ତି ବାସିନ୍ଦା ପାଇପାରୁ ନାହାନ୍ତି। ବିଜୁ ଯୁବ ଜନତା ଦଳର ଉପସଭାପତି ସୁନିଲ୍ ମହାନ୍ତି କହିଛନ୍ତି ଜିଲ୍ଲାପାଳଙ୍କ ସହ ଏନେଇ ଆଲୋଚନା ହୋଇଛି। ଆସନ୍ତା ଦୁଇମାସ ଭିତରେ ଜମିଜମା ସମସ୍ୟାର ସମାଧାନ କରାଯାଇ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।
ସେପଟେ ପୁରୀ ପୌରପାଳିକାରେ ଦୀର୍ଘ ୫ବର୍ଷ ହେବ ନିର୍ବାଚନ ହୋଇନଥିବାରୁ ପୌରାଞ୍ଚଳରେ ସଫେଇ ବ୍ୟବସ୍ଥା ଭୁଷୁଡି ପଡିଥିବା ପୂର୍ବତନ କାଉନସିଲର ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ତେବେ ସହରରେ ଡେଙ୍ଗୁ ବ୍ୟାପୁଥିବା ବେଳେ ତୁରନ୍ତ ବିଭିନ୍ନ ୱାର୍ଡରେ ମଶା ତେଲ ସିଞ୍ଚନ ସହ ଅଳିଆ ଆବର୍ଜନାକୁ ତୁରନ୍ତ ସଫେଇ କରିବାକୁ ଦାବୀ ଜଣାଇଛନ୍ତି ପୂର୍ବତନ କାଉନସିଲର।