୯୧ ବର୍ଷରେ ଗାଁ ଗାଁ ବୁଲି ମାଗଣା ପାଠ ପଢ଼ାଉଛନ୍ତି ଗୋଲକ ସାର୍;ହେଲେ ମିଳିନି ରାଜ୍ୟପାଳ କି ରାଷ୍ଟ୍ରପତି ପୁରସ୍କାର

କୁହାଯାଏ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମେଶ୍ରୀ ଗୁରୁବେ ନମଃ। ସତରେ ଗୁରୁଙ୍କୁ ପୂଜା କରିବା ଆଉ ଗୁରୁଙ୍କୁ ସମ୍ମାନ ଦେବାର ପରମ୍ପରା କାହିଁ କେଉଁ ପ୍ରାଚୀନ କାଳରୁ ହୋଇ ଆସୁଅଛି।ହେଲେ ଆଜିର ଆଧୁନିକ ଯୁଗରେ ଶିକ୍ଷା,ସଂସ୍କାର,ଗୁରୁ-ଶିଷ୍ୟ ପରମ୍ପରା କ୍ରମେ ମଉଳି ଯାଉଥିବା ବେଳେ ହଠାତ୍ ମନରେ ଜଣେ ନବେ ବର୍ଷର ଆଦର୍ଶ ଶିକ୍ଷକଙ୍କ ପ୍ରତିଛବି ଚାଲି ଆସେ। ଆଉ ସେଇ ୯୧ ବର୍ଷର ଆଦର୍ଶ ଶିକ୍ଷକ ଜଣକ ହେଉଛନ୍ତି ଗୋଲକ ଚନ୍ଦ୍ର ମହାନ୍ତି ଓରଫ ସମସ୍ତଙ୍କ ପ୍ରିୟ ଗୋଲକ ସାର୍।
ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ରଣଜିତ ପଞ୍ଚାୟତ ଅଧୀନ ମାଳିପଦୀ ଗାଆଁରେ ଗୋଲକ ଚନ୍ଦ୍ର ମହାନ୍ତିଙ୍କ ଘର।୧୯୩୪ ମସିହାରେ ଜନ୍ମ ଗ୍ରହଣ କରିଥିବା ଗୋଲକ ସାର୍ ମ୍ୟାଟ୍ରିକୁଲେସନ ପାସ ପରେ ୧୯୫୯ ମସିହାରେ ପ୍ରଥମେ ସରସଦା ମାଇନର ସ୍କୁଲରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ। ପରେ ୧୩ଟି ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଇ ୧୯୯୨ ମସିହାରେ ଚାକିରିରୁ ଅବସର ନେଲେ। ହେଲେ ନିଜର ଆଗ୍ରହ, ଛାତ୍ର ବତ୍ସଳତା,କର୍ମ ଚଂଚଳତା,ପ୍ରବୃତ୍ତି ଓ ଦକ୍ଷତା ଯୋଗୁଁ ଆଜି ବି ବୟସର ଅପରାହ୍ନରେ ଶହ ଶହ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ଗୋଲକ ସାର୍। ସବୁଠୁ ବଡ଼ କଥା ଶିକ୍ଷକତା ଦିନ ଠାରୁ ଆଜି ଯାଏଁ କୌଣସି ପିଲାଙ୍କ ଠାରୁ ଟ୍ୟୁସନ ଦରମା ନିଅନ୍ତି ନାହିଁ ଗୋଲକ ସାର୍। ପ୍ରାଥମିକ ଶିକ୍ଷକତାରୁ ଅବସର ନେବାର ୩୦ ବର୍ଷ ପୁରିଛି ହେଲେ ଦେଖୁ ନାହାନ୍ତି ୯୧ ବର୍ଷ ବୟସରେ ଆଜିବି କେମିତି ସାଇକେଲ ଚଲାଇ ଗାଁ ଗାଁ ବୁଲି ପିଲାଙ୍କୁ ପାଠ ପଢ଼ାଇବାକୁ ବାହାରିଛନ୍ତି ଗୋଲକ ସାର୍। ଯାହାକୁ ଦେଖିଲେ ଆଜିର ଶିକ୍ଷକ ସମାଜ ବି ଆଶ୍ଚର୍ଯ୍ୟ ହୋଇଯିବ।
ଖାଲି ପ୍ରାଥମିକ ନୁହଁ ମ୍ୟାଟ୍ରିକ ,ଦ୍ୱାଦଶ,ସ୍ନାତକ ତେଣିକି ଯେଉଁ ଶ୍ରେଣୀର ଛାତ୍ରଛାତ୍ରୀ ହେଇ ଥାନ୍ତୁ ନା କାହିଁକି ସୁନ୍ଦର ଭାବେ ସାହିତ୍ୟ, ସଂସ୍କୃତ,ଇଂରାଜୀ ସମେତ ବିଭିନ୍ନ ବିଷୟକୁ ପଢ଼ାଇ ସରଳ ଭାବେ ବୁଝାଇ ଦିଅନ୍ତି ଗୋଲକ ସାର୍।ଆଜିବି ଗାଁ ଗାଁ ରେ ଶହ ଶହ ଗୋଲକ ସାରଙ୍କ ଛାତ୍ରଛାତ୍ରୀ ମାନେ ସରକାରୀ ବେସରକାରୀ ସ୍ତରରେ ବହୁ ଉଚ୍ଚ ପଦବୀରେ କାର୍ଯ୍ୟ କରୁଥିବା ବେଳେ ଅନେକ ମେଧା ବୃତ୍ତି ମଧ୍ୟ ପାଇଥିବାର ଦେଖିବାକୁ ମିଳିଛି। ଖାଲି ସେତିକି ନୁହଁ ଶିକ୍ଷାଦାନ ବ୍ୟତୀତ କାବ୍ୟ ପୁସ୍ତକ ଓ ପାଲା ପୁସ୍ତକ ରଚନାରେ ସିଦ୍ଧହସ୍ତ ହେଉଛନ୍ତି ଗୋଲକ ସାର୍। ଜଣେ ବରିଷ୍ଠ ବ୍ୟଙ୍ଗ କବି ଭାବେ ଅନେକ ସମ୍ମାନ ସାଉଁଟିଥିବା ଗୋଲକ ସାର୍ ଙ୍କର ଦ୍ଵାରା ରଚିତ ନିତି ଶତକ,ଗୁଣବନ୍ତ ପୁଅ, ସୀତା ସନ୍ତକ, ଖଡ୍ଗ ଧାରିଣୀ,ଅଭିଶପ୍ତ ପାଣ୍ଡବ,ଉର୍ବଶୀଙ୍କ ଅଭିଶାପ,ଅଷ୍ଟସିଦ୍ଧି ଆଦି କାବ୍ୟ ପୁସ୍ତକ ପ୍ରକାଶିତ ହୋଇ ଏବେ ସାହିତ୍ୟକ ଓ ପାଲାକାରଙ୍କ ଦ୍ଵାରା ବେଶ ଆଦୃତି ହୋଇଥିବା ବେଳେ ଆହୁରି ଅନେକ ପାଣ୍ଡୁଲିପି ଅପ୍ରକାଶିତ ହୋଇ ରହିଅଛି।
ଜଣେ ଆଦର୍ଶ ଶିକ୍ଷକ ଆଉ ସାହିତ୍ୟକ ଭାବେ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିବା ନବେ ବର୍ଷରେ ଗୋଲକ ସାରଙ୍କୁ ସହଧର୍ମିଣୀ ମାଳତୀ,ପୁଅ,ବୋହୁ ନାତି ନାତୁଣୀ ସମସ୍ତେ ଉତ୍ସାହିତ କରୁଥିବା ବେଳେ ନବେ ବର୍ଷ ବୟସରେ ଶତ ସିଂହର ବଳ ନେଇ ଆଗକୁ ମାଡ଼ି ଚାଲିଛନ୍ତି ଗୋଲକ ସାର୍।ହେଲେ ବିଡ଼ମ୍ବନାର ବିଷୟ ଜଣେ ସରଳ ଆଦର୍ଶ ଶିକ୍ଷକ ଭାବେ ନିଶୁଳ୍କ ଶିକ୍ଷା ସମେତ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିଲେ ସୁଦ୍ଧା ନା ମିଳିଛି ଶିକ୍ଷକ ଭାବରେ ରାଜ୍ୟ ପୁରସ୍କାର ନା ମିଳିଛି ସାହିତ୍ୟକ ହିସାବରେ ସାହିତ୍ୟ ଏକାଡେମୀ ପୁରସ୍କାର । ତେବେ ଉତ୍କଳ ମାଟିରେ ଗୋଲକ ସାର୍ ଙ୍କ ଭଳି ଶିକ୍ଷକଙ୍କୁ ଯଦି ଉଚିତ ସମ୍ମାନ ପୂର୍ବକ ରାଷ୍ଟ୍ରପତି ପୁରସ୍କାର କି ରାଜ୍ୟପାଳ ପୁରସ୍କାର ଦିଆଯାନ୍ତା ତେବେ ନିଶ୍ଚିତ ଭାବେ ରାଜ୍ୟ ସରକାରଙ୍କ ଗୁରୁ ଦିବସ ପାଳନର ଯଥାର୍ଥତା ରହି ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ରିପୋର୍ଟ – ପୁନୀଲ କୁମାର ସାମନ୍ତ

Leave a Reply

Your email address will not be published. Required fields are marked *