ଡେଲାଙ୍ଗ ମହୋତ୍ସବ କମିଟି ପକ୍ଷରୁ ଗୁରୁ ଦିବସ ପାଳିତ

ଡେଲାଙ୍ଗ, ଆମର ରାଷ୍ଟ୍ରଗୁରୁ ,ମହାନ ଦାର୍ଶନିକ ,ରାଷ୍ଟ୍ରଦୂତ ,ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଦିବସ ଅର୍ଥାତ ସେପ୍ଟେମ୍ବର ମାସର ପାଞ୍ଚ ତାରିଖ ଗୁରୁ ଦିବସ ରୂପେ ସାରା ଦେଶ ପାଳନ କରୁଛି। ଇଂରାଜୀରେ ଏହାକୁ Teacher’s Day ବା ଶିକ୍ଷକ ଦିବସ କୁହାଯାଏ l ଶିକ୍ଷକ ମାନଙ୍କର ସମ୍ମାନାର୍ଥେ ଏହା ପାଳନ କରାଯାଏ।
ଆଜି ଆମର ଏ ଦିନଟି ସମାଜ ଗଠନ ଓ ମଣିଷ ତିଆରି କରିବାରେ ଗୁରୁଙ୍କର ଭୂମିକାକୁ ସ୍ମରଣ କରିବାର ଦିନ l ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଡେଲାଙ୍ଗ ମହୋତ୍ସବ କମିଟି ଆନୁକୁଲ୍ୟରେ ହାଟ ଡେଲାଙ୍ଗସ୍ଥିତ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି ।ଡେଲାଙ୍ଗ ମହୋତ୍ସବ କମିଟିର ସମ୍ପାଦକ ତଥା ଡେଲାଙ୍ଗ କୋଠବାଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁର୍ଗାଚରଣ ରାଉତରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ଏବଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅନନ୍ୟ କାର୍ଯ୍ୟକ୍ରମରେ ଡେଲାଙ୍ଗ ମହୋତ୍ସବ କମିଟିର ସଭ୍ୟ/ସଭ୍ୟା,ଡେଲାଙ୍ଗ ଅଞ୍ଚଳର ମୂରବୀ,ବୁଦ୍ଧିଜୀବୀ ଓ ଯୁବବନ୍ଧୁମାନେ ଯୋଗଦେଇ ଉପସ୍ଥିତ ଥିବା ଗୁରୁମାନଙ୍କୁ ଧୂପ,ଦୀପ ଦେଇ ପୂଜାର୍ଚ୍ଚନା କରିବା ସହ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏନସିସି ପ୍ରଶିକ୍ଷକ ତଥା ମହତାବ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୁରୁଦେବ ଚକ୍ରଧର ତ୍ରିପାଠୀ,ଅବସରପ୍ରାପ୍ତ ଶିକ୍ଷକ ତଥା ଯାତ୍ରା ମଞ୍ଚ ନିର୍ଦ୍ଦେଶକ ଗୁରୁ କୈଳାସ ଚନ୍ଦ୍ର ରଥ,ଡେଲାଙ୍ଗ ମହୋତ୍ସବ କମିଟିର ବରିଷ୍ଠ ସଦସ୍ୟ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରଚାରକ ଗୁରୁ ଶରତ କୁମାର ରାଉତ ଏବଂ ଡେଲାଙ୍ଗ ମହୋତ୍ସବ କମିଟିର ଅନ୍ୟତମ ବରିଷ୍ଠ ସଦସ୍ୟ ତଥା ଗାନ୍ଧୀ ତତ୍ତ୍ଵ ପ୍ରଚାରକ ସମାଜସେବୀ ଗୁରୁ ଅନାମ ମଲ୍ଲିକଙ୍କୁ ଗୁରୁଦିବସ ଅବସରରେ ସେମାନଙ୍କ ପରମଶିଷ୍ୟ ଦୁର୍ଗାଚରଣ ରାଉତରାୟ,ଅଧ୍ୟାପକ ପ୍ରଶାନ୍ତ କୁମାର ପଲେଇ ଓ ଦିଲ୍ଲୀପ କୁମାର ପଟ୍ଟନାୟକ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ।ଗୁରୁମାନେ ଉପଦେଶ ମାଧ୍ୟମରେ ସମାଜର ମଙ୍ଗଳ ପାଇଁ ଉପାଦେୟ ପରାମର୍ଶ ଦେଇଥିଲେ।ଏହି ଗୁରୁପୂଜନ ପରମ୍ପରା ଗତ ୧୦ବର୍ଷ ଧରି ଚାଲିଆସୁଛି ବୋଲି ପ୍ରାକ୍ତନ ସରପଞ୍ଚ ତଥା ଏହି କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ଦୁର୍ଗାଚରଣ ରାଉତରାୟ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ମୁନିନ୍ଦା ପଞ୍ଚାୟତ ସରପଞ୍ଚ ଶେଷଦେବ ବାରିକ, ସାରଙ୍ଗଯୋଡିର ସମାଜସେବୀ ସୁଶିଲ କୁମାର ସାହୁ ପ୍ରମୁଖ ଯୋଗଦେଇ ଗୁରୁଙ୍କ ଆଶୀର୍ବାଦ ଲାଭ କରିଥିଲେ। ଡେଲାଙ୍ଗ ମହୋତ୍ସବ କମିଟି ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥିଙ୍କୁ ମହାପ୍ରସାଦ ସେବନ ପୂର୍ବକ ଆପ୍ୟାୟିତ କରାଯାଇଥିଲା।ଶେଷରେ ମହୋତ୍ସବ କମିଟିର ସମ୍ପାଦକ ଶ୍ରୀ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !