ଭାଗ୍ୟବାଦ ଓ ମାନସିକ ଦୈନ୍ୟ ଦୂର କରିପାରିଲେ ଓଡ଼ିଆ ସାହିତ୍ୟ ବିଶ୍ୱବିଜୟୀ ଓ ସର୍ବଜନଗ୍ରାହ୍ୟ ହୋଇପାରିବ

‘ କ୍ରାନ୍ତିଦର୍ଶୀ ସାହିତ୍ୟ ମଞ୍ଚ ‘ ଆନୁକୂଲ୍ୟରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ପ୍ରଫେସର ଚିତ୍ତ ରଞ୍ଜନ ଦାସ ଜନ୍ମ ଶତବାର୍ଷିକୀ ବକ୍ତୃତାମାଳା କ୍ରମରେ ‘ ଓଡ଼ିଶା ଓ ଓଡ଼ିଆ ‘ ଶୀର୍ଷକ ଏକ ଆଲୋଚନାଚକ୍ର ମନୋଜ୍ଞ ପରିବେଶରେ ସମ୍ପନ୍ନ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଅନୁଷ୍ଠାନର ସଭାପତି ଇଂ ଗିରିଜା ଶଙ୍କର ପାଢ଼ୀ କହିଲେ ଯେ ” ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଶିକ୍ଷାବିତ୍ ଓ ପ୍ରାବନ୍ଧିକ କ ପ୍ରଫେସର ଚିତ୍ତ ରଞ୍ଜନ ଦାସ ତାଙ୍କ ବହୁ ଆଲୋଚିତ ପ୍ରବନ୍ଧ ସଂକଳନ ‘ ଓଡ଼ିଶା ଓ ଓଡ଼ିଆ ‘ ମାଧ୍ୟମରେ ଓଡ଼ିଆଙ୍କ ପୂର୍ଣ୍ଣାଙ୍ଗ ପରିଚୟ ନିମିତ୍ତ ଯେଉଁ ସୃଜନାତ୍ମକ ନେତୃତ୍ୱର ଆବଶ୍ୟକ ଅଛି ବୋଲି କହୁଥିଲେ ସାଂପ୍ରତିକ କାଳଖଣ୍ଡ ଏବେ ମଧ୍ୟ ତାହାର ଅପେକ୍ଷାରତ। ଭାଗ୍ୟବାଦ ଓ ମାନସିକ ଦୈନ୍ୟ ବିରୁଦ୍ଧରେ ଅବିରାମ ଲେଖନୀ ଚାଳନା କଲେ ଆଜିର ଓଡ଼ିଆ ସାହିତ୍ୟ କାଳଜୟୀ ହୋଇପାରିବ “। ସଂପାଦକ ଡଃ ବଳରାମ ଦାଶ ସ୍ବାଗତ ସମ୍ଭାଷଣ ପୂର୍ବକ କହିଲେ ଯେ ଓଡ଼ିଶାର ପଞ୍ଚସଖା ସନ୍ଥ – ପରମ୍ପରା ପ୍ରଚଳିତ ବାହ୍ୟିକତା ବିରୁଦ୍ଧରେ ବଳିଷ୍ଠ ପ୍ରତିବାଦ ଜଣାଇ ମନୁଷ୍ୟକୁ ତାର ଅସଲ ଦିବ୍ୟ ପରିଚୟରେ ଚିହ୍ନିତ କରାଇପାରିଥିଲା।ମୁଖ୍ୟ ଅତିଥି ଡଃ ପ୍ରଭାକର ତ୍ରିପାଠୀ ତାଙ୍କ ଅଭିଭାଷଣରେ ଜଣେ ପକ୍ଷଧର ଚିନ୍ତକ ଭାବେ ଚିତ୍ତରଞ୍ଜନ ଦାସ ସମାଜର ବିବେକ ହୋଇ କାଳକୁ ଜେରା କରିପାରୁଥିଲେ। ମୁଖ୍ୟବକ୍ତା ଜନ୍ମେଜୟ ଦ୍ଵିବେଦୀ ଙ୍କ ମତରେ ଚିତ୍ତଭାଇଙ୍କ ସକ୍ରେଟୀୟ ଚେତନା ବିଶ୍ୱମାନବ ସହ ଏକାତ୍ମତା ଅନୁଭବ ଓ ଆଧ୍ୟାତ୍ମିକ ଉପଲବ୍ଧି ଉପନିଷଦୀୟ ଚରୈବେତି ମନ୍ତ୍ରରେ ଆଧାରିତ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଭୂତି ଭୂଷଣ କର, ଡଃ ଶଙ୍କର୍ଷଣ ପ୍ରଧାନ, ଡଃ ପ୍ରଦୀପ କୁମାର ସାହୁ, ଶରତ କୁମାର ସାହୁ, ଦୟାନିଧି ପଣ୍ଡା, ଡଃ ପ୍ରମୋଦ କୁମାର ଦଳେଇ, ଶ୍ରୀମତୀ ମନ୍ଦାକିନୀ ଆଚାର୍ଯ୍ୟ, ରୀନା ପାତ୍ର,ରୂପରଞ୍ଜନ ତ୍ରିପାଠୀ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ପରିଶେଷରେ ଶ୍ରୀ ଉମେଶ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦାର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *