ପୁରୀ ରେ ଗଣେଶ ପୂଜା ଭସାଣୀ ସେପ୍ଟେମ୍ବର ୨୫ ତାରିଖରେ

ପୁରୀ ରେ ଗଣେଶ ପୂଜା ଭସାଣୀ ସେପ୍ଟେମ୍ବର ୨୫ ତାରିଖରେ।ପୁରୀ ୧୬/୯ ପୁରୀ ସହରର ଗଣେଶ ପୂଜା ଚଳିତ ମାସ ୧୯ ତାରିଖରେ ହେଉଥିବା ବେଳେ ଭସାଣୀ ସେପ୍ଟେମ୍ବର ୨୫ତାରିଖରେ ଅନୁଷ୍ଠିତ ହେବ। ଭସାଣୀ ରେ ସାମିଲ ମେଢ଼ ମାନେ ସଂଧ୍ୟା ୭ ଘଟିକା ସୁଦ୍ଧା ସିଂହଦ୍ଵାର ନିକଟରୁ ବାହାରି ରାତ୍ର ୮ ଘଟିକା ସୁଦ୍ଧା ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ନିକଟରେ ପହଞ୍ଚି ଏକତ୍ରିତ ହେବେ।ସେଠାରେ ସମସ୍ତ ପୂଜା କମିଟି କୁ ସମ୍ବର୍ଦ୍ଧିତ କରାଯିବ। ପରେ ନବକଳେବର ରୋଡ କୁମ୍ଭାରପଡା ଥାନା ଦେଇ ଶ୍ରୀ ସେତୁ ନିକଟସ୍ଥ ମୂଷା ନଦୀ ର ଅସ୍ଥାୟୀ ବିସର୍ଜନ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବେ ବୋଲି ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି। ଆଜି ଅପରାହ୍ନ ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଉପଜିଲ୍ଲାପାଳ ଭବତାରଣ ସାହୁ ଙ୍କ ଅଧ୍ୟକ୍ଷତାରେ ଗଣେଶ ପୂଜା ଓ ଭସାଣୀ କୁ ଶାନ୍ତି ଶୃଙ୍ଖଳା ର ସହ ପାଳନ ନିମିତ୍ତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶାନ୍ତି ଶୃଙ୍ଖଳା ଓ ସଦଭାବନାର ସହ ଏହାକୁ ପାଳନ କରିବାକୁ ଉପଜିଲ୍ଲାପାଳ ଶ୍ରୀ ସାହୁ ସମସ୍ତଙ୍କୁ ଅନୁରୋଧ କରିବା ସହ ପ୍ରତ୍ୟେକ ପୂଜା କମିଟି ନିଆଯାଉଥିବା ନିଷ୍ପତ୍ତି ର ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ। ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ପ୍ରତ୍ୟେକ ପୂଜା କମିଟି ସ୍ୱଛତା ପ୍ରତି ଦୃଷ୍ଟି ଦେବା ସହ ମୁନିସିପାଲ୍ଟିକୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।ରାସ୍ତା ଆଲୋକୀକରଣ,ଅସ୍ଥାୟୀ ମୂର୍ତ୍ତି ବିସର୍ଜନ ପୋଖରୀ ବ୍ୟବସ୍ଥା ଇତ୍ୟାଦି ପୌର ପାଳିକା ବ୍ୟବସ୍ଥା କରିବ ବୋଲି ସେ କହିଥିଲେ।ନିଷ୍ପତ୍ତି ନିଆଗଲା ଯେପ୍ରତ୍ୟେକ ପୂଜା କମିଟି ପୂଜା ଓ ଭସାଣୀ ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷ ଙ୍କ ଠାରୁ ଅନୁମତି ନେବା, ପୂଜା ଓ ଭସାଣୀ ସମୟରେ ଅଯଥା ଭିଡ ନ କରି ଶୃଙ୍ଖଳିତ ଭାବେ ପୂଜା ଓ ଭସାଣୀ କରିବେ । ଇଲେକ୍ଟ୍ରି କନେକ୍ସନ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ସହଯୋଗ କରାଯିବ।ରାସ୍ତା ଘାଟ ମରାମତି ଓ ପରିସ୍କାର, ପରିଛନ୍ନ , ଆଲୋକ ବ୍ୟବସ୍ଥା,ପାନୀୟ ଜଳ ଯୋଗାଣ, ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଇତ୍ୟାଦି ସମ୍ପୃକ୍ତ ବିଭାଗ ମାନେ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଗଲା। ପ୍ରାରମ୍ଭରେ ଗଣେଶ ପୂଜା କମିଟିର ଉପସଭାପତି ଚକ୍ରଧର ମହାପାତ୍ର, ଉପଦେଷ୍ଟା ରାମଚନ୍ଦ୍ର ଦାସମହାପାତ୍ର, ସଦସ୍ୟ ନରେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ପୂଜା ଓ ଭସାଣୀ ସମ୍ପର୍କରେ ବିଷଦ ଆଲୋଚନା କରି ବିବିଧ ପ୍ରସ୍ତାବ ମାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ପୂଜା କମିଟି ର ସଦସ୍ୟ ମାନେ ଯୋଗ ଦେଇଥିଲେ।ଶେଷରେ ସହକାରୀ ଜିଲ୍ଲାପାଳ ରାଜ ବଲ୍ଲଭ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।