ଖଣି ଅଞ୍ଚଳରେ ଜଳସଙ୍କଟ ଉତ୍କଟ : ଚୁଆ ପାଣି ହିଁ ଏକମାତ୍ର ଭରଷା ।

ରାଜ୍ୟରେ କେନ୍ଦୁଝର ଜିଲ୍ଲା ଖଣି ଖାଦାନର ଗନ୍ତାଘର ।ଏଠାରୁ କୋଟି କୋଟି ଟଙ୍କା ସରକାରଙ୍କ ରାଜକୋଷକୁ ସମୃଦ୍ଧ କରୁଥିବା ବେଳେ ଏଠାକାର ଲୋକ ମାନଙ୍କ ଦୂରାବସ୍ଥା କହିଲେ ନ ସରେ । ସରକାର ମାଳ ମାଳ ଯୋଜନା କରି ଲୋକ ମାନଙ୍କ ବିକାଶରେ ସହଭାଗୀ ହେଉଥିବା କହୁଥିବା ବେଳେ ଯୋଡା ବ୍ଲକ ବଡ କାଳିମାଟି ପଞ୍ଚାୟତବାସୀ ପିଇବା ପାଣି ଟୋପାଏ ପାଇଁ ଦିନ ତମାମ ସଙ୍ଘର୍ଷ ଚଳାଇଛନ୍ତି । ଜୀବନ ବଞ୍ଚିବା ପାଇଁ ଡହଳ ବିକଳ ପରିସ୍ଥିତି ଏଠାରେ ଦେଖାଦେଇଛି । ପାହାଡରୁ ବହି ଆସୁଥିବା ଝରଣା ପାର୍ଶ୍ବରେ ଚୁଆ ଖୋଳି ପାଣି ସଂଗ୍ରହ କରିବା ସହ ଅତ୍ୟନ୍ତ ଦୟନୀୟ ଭାବେ ଦୂଷିତ ଜଳ ପିଇ ଜୀବନ ଅତିବାହିତ କରୁଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ସରକାରଙ୍କ ବସୁଧା ଯୋଜନା ଏଠାରେ କାର୍ଯ୍ୟକ୍ଷମ ଥାଇ ସ୍ଥାନୀୟ ବାସୀନ୍ଧା ମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା କନ୍ତୁ ବିଡମ୍ବନାର ବିଷୟ ରାସ୍ତା କାମ ସମୟରେ ପାଇପ ଫଟାଇ ଦେବା ଯୋଗୁଁ ଏଅଞ୍ଚଳକୁ ପାନୀୟ ଜଳ ୫ମାସରୁ ଉର୍ଦ୍ଧ ସମୟ ଧରି ସମ୍ପୂର୍ଣ୍ଣ ବନ୍ଦ ରହିଛି । ଜଳ ଯୋଗାଣ ବିଭାଗର ଅଧିକାରୀଙ୍କ ଉଦାସୀନତା ପାଇଁ ଲୋକମାନେ ପାନୀୟ ଜଳ ନପାଇ ଚୁଆ ପାଣିକୁ ନିର୍ଭର କରି ବିଭିନ୍ନ ଦୁରାରୋଗ୍ୟର ଶୀକାର ହେଉଛନ୍ତି । ବର୍ତ୍ତମାନ ବର୍ଷା କାଳ ହୋଇଥିବା ବେଳେ ଦୂଷିତ ଜଳ ଗ୍ରହଣ କରି ହଇଜା,ଅମାଶୟ,ଡାଏରିଆ ରୋଗ ପରି ଅନେକ ମାରାତ୍ମକ ରୋଗ ରେ ଶୀକାର ହେଉଥିବା କୁହାଯାଇଛି ।ବାରମ୍ବାର ଜଳ ଯୋଗାଣ ବିଭାଗକୁ ଜଣାଇଲେ ସୁଧା କୌଣସି ଫଳପ୍ରଦ ହୋଇନାହିଁ ।ଏ ପଞ୍ଚାୟତରେ ସଂଖ୍ୟାଗରିଷ୍ଠ ଲୋକ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ କାମ ଧନ୍ଦା ଛାଡି ଚୁଆ ପାଣି ସଂଗ୍ରହରେ ସମୟ ବିତୁଥିବା କୁହାଯାଇଛି । ଅନ୍ୟପକ୍ଷେ ପଞ୍ଚାୟତର ପରିବେଷ୍ଟନୀ ମଧ୍ୟରେ ମାଳ ମାଳ ଖଣି ଓ ଷ୍ଟିଲ କମ୍ପାନୀ କାର୍ୟ୍ୟକ୍ଷମ ରହିଥିବା ବେଳେ ସେମାନଙ୍କ ଆଞ୍ଚଳିକ ପାରିପାର୍ଶ୍ବିକ ବିକାଶ ପ୍ରତି ଗୁରୁତ୍ୱ ନ ଦେବା ସେମାନଙ୍କୁ ବ୍ୟଥିତ କରିଛି । ପ୍ରଶାସନ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ଯଥାଶୀଘ୍ର ଏଅଞ୍ଚଳରେ ପୁନର୍ବାର ପାଣି ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।
ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ
