କଣ୍ଟାପିଢା ଯାତ୍ରା ପାଇଁ ସହର ଚଳଚଞ୍ଚଳ
ସୋରଡା- ସୋରଡା ଅଞ୍ଚଳର ଆରାଧ୍ୟା ଶ୍ରୀ ଶ୍ରୀ ମାଁ କନ୍ଧୁଣିଦେବୀ ଙ୍କ ପବିତ୍ର କଣ୍ଟାପିଢା ଯାତ୍ରା ପାଇଁ ସହର ଚଳଚଞ୍ଚଳ ହୋଇଉଠିଛି। ବାଲି ଯାତ୍ରା ପରେ ଦିନ କୁ ଦିନ ମନ୍ଦିର ରେ ବିଭିନ୍ନ ରୀତି ନୀତି ରେ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳୁଛି। ସହର ର ବିଭିନ୍ନ ସାହି ଓ ଅନୁଷ୍ଠାନ ମାନଙ୍କ ରୁ ବର୍ତମାନ ମାଁ ଙ୍କ ମନ୍ଦିର କୁ ଯୋଗାଡ ଭୋଗ ଆରମ୍ଭ ହୋଇଛି। ଯାତ୍ରା ସମୟ ରେ ଏହି ଯୋଗାଡ ଭୋଗ ରେ ମାଁ ଙ୍କ ଅତିପ୍ରିୟ ହୋଇଥାଏ। ବାଦ୍ୟବାଜଣା ସହ ଯୋଗାଡ ମୁଆଁ,ନବାତ ପଣା,କାକେରା, ସମେତ ଅନ୍ୟାନ ମିଷ୍ଟାନ ସବୁ ଯୋଗାଡ ରେ ଯାଇଥାଏ। ଯୋଗାଡ ସମୟରେ ବଡ ପଟୁଆର ର ମଧ୍ୟ ଆୟୋଜନ କରିଥାନ୍ତି ଭକ୍ତ ବୃନ୍ଦ। ସୋରଡା ରେ ଏହି ପିଠ ରେ ଆମିଷ ଭୋଗ ହେଉଥିବା ବେଳେ ଏଠାରେ କେବେ ମଧ୍ୟ ବଳିପଡେ ନାହିଂ। ଏହି ପ୍ରର୍ଥା ଆଜକୁ ୧୦୦ ବର୍ଷ ରୁ ଉର୍ଦ୍ଧ ହେଲାଣି ବନ୍ଦ ରହିଛି। କେବଳ ରାତ୍ର ଭୋଗ ରେ ମାଛ ରନ୍ଧା ହୋଇଥାଏ। ଏ ସବୁ କୁ ବାଦ ଦେଲେ ଖଇଙ୍କା ସୁକୁଆ ରନ୍ଧା ମାଁ ଙ୍କ ପ୍ରିୟ ଅଟେ। ପୂର୍ବ ରୁ ଏଠାରେ ଶତାଧିକ ବଳି ପ୍ରଥା ରହିଥିଲା। ଏପରିକି ଏହି ପିଠ ରେ ଛାଗ ଓ କୁକୁଡା ବଳି ରେ ରାସ୍ତା ରକ୍ତ ରଞ୍ଜିତ ହେଉଥାଏ। ମାତ୍ର ୧୬ ବର୍ଷ ବୟସ ରେ ସମାଜ ସଂସ୍କାରକ ଶଶିଭୂଷଣ ରଥ ଏହି ପ୍ରଥା ବନ୍ଦ କରିଥିଲେ। ମାତ୍ର ୧୬ ବର୍ଷ ବୟସ ରେ ଶଶି ଭୂଷଣ ରଥ ମାଁ କନ୍ଧୁଣିଦେବୀ ଙ୍କ ପରି ଏକ ପୋଛୁଣି ବେଶ ରେ ବେକ ରେ ବେଲପତ୍ରୀ ଓ ଫୁଲମାଳ ପକାଇ ସହର ସାରା ନାଚି ନାଚି ବୁଲିବାରେ ଲାଗିଥିଲେ। ଏହା ଦେଖି ଲୋକେ ଆଶ୍ଚର୍ଯ ହେବା ସହ ଶଶୀ ଭୂଷଣ ପାଗଳ ହୋଇଗଲା ବୋଲି ଭାବିଥିଲେ। ସହର ସାରା ନାଚି ନାଚି ଶେଷ ରେ ମାଁ ଙ୍କ ମନ୍ଦିର ରେ ଥିବା ଛାଟ ଖମ୍ବରେ ଛାଗ ବଳି ପରି ନିଜର ମୁଣ୍ଡଟିକୁ ଲଗାଇ ମତେ ନର ରକ୍ତ ଦରକାର ଏବଂ ନର ରକ୍ତ ବିନା ମୋର ଭୋକ ମେଣ୍ଟିବା ନାହିଂ ବୋଲି କହିବାରେ ଲାଗିଲେ। ଶଶୀ ଭୂଷଣ ଙ୍କ ଏହିପରି ଅବତାର ଦେଖି ଲୋକେ କାଠ ପାଲଟି ଯାଇଥିଲେ। ଏହି ଘଟଣା ପରେ ଆଜି ଯାଏଁ ଏହି ପିଠ ରେ ବଳି ପ୍ରଥା ନାହିଂ। କେବଳ ଯାତ୍ରା ସମୟରେ ମାଛ ଭୋଗ ରାତ୍ରି ରେ ହୋଥାଏ। ଏହା ବ୍ଯତୀତ ଖଇଙ୍କା ସୁକୁଆ ମଧ୍ୟ ରନ୍ଧା ଯାଇ ମାଁ ଙ୍କୁ ଭୋଗ ରୂପେ ସମର୍ପଣ କରାଯାଇଥାଏ। ତେଣୁ ମାଁ କନ୍ଧୁଣିଦେବୀ ଙ୍କ ପିଠ ବଳି ପ୍ରର୍ଥା ରୁ ଉର୍ଦ୍ଧ ରେ ଅଟେ। ସୋରଡା ରେ ମାଁ କନ୍ଧୁଣିଦେବୀ ଙ୍କ ସାତଟି ପିଠ ରହିଥିବା ବେଳେ ସୋରଡା ମାଁ ଙ୍କ ମନ୍ଦିର ସାନ ଭଉଣୀ ଙ୍କ ପିଠ ଅଟେ। ତେଣୁ ସମସ୍ତ ପିଠ ରେ ଯାତ୍ରା ସମାପନ ପରେ ସବୁ ଭଉଣୀ ଏହି ଯାତ୍ରା କୁ ଆସି ସମସ୍ତ ଭକ୍ତ ଙ୍କ ଉପରେ କୃପା କରିବା ର ଲୋକକଥା ରହିଛି।
ସୋରଡ଼ା ରୁ ନାରାୟଣ ଡାକୁଆ