ଅବାଧ ନିଶାକାରବାର ବନ୍ଦ ପାଇଁ ସାଉରିଆ ଓ ଘନିପୁର ପଞ୍ଚାୟତବାସୀଙ୍କ ଦାବି

ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଅବାଧ ନିଶା କାରବାର ଖୁଲମଖୁଲା ଭାବେ ଚାଲିଥିବାବେଳେ ଖୋଦ୍ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ନେଇ ଅଭିଯୋଗ ହେଉଛି।ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସାଉରିଆ ଏବଂ ଘନିପୁର ପଞ୍ଚାୟତରେ ଚୋରା ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହାକୁ ବନ୍ଦ୍ କରିବା ପାଇଁ ଉଭୟ ପଞ୍ଚାୟତର ଲୋକେ ଅଣ୍ଟା ଭିଡିଛନ୍ତି। ଘୋରଡିଆ ଗ୍ରାମରେ ସମ୍ପ୍ରତି ୧୫ହଜାରରୁ ଉର୍ଦ୍ଧ୍ଵ ଲୋକେ ବସବାସ କରୁଥିବାବେଳେ ଏଠାରେ ଦୀର୍ଘ ଦିନ ଧରି ଅବାଧ ଦେଶୀ ଓ ବିଦେଶୀ ମଦ କାରବାର ସହ ଗଞ୍ଜେଇ ଓ ବ୍ରାଉନ ସୁଗାର ବେପାର ବେଧଡକ ଭାବେ ଚାଲିଛି।ଗାଁର ପ୍ରତି ଗଳିକନ୍ଦି ସମେତ ପାନ ଦୋକାନ ଓ ତେଜରାତି ଦୋକାନରେ ଏହି ନିଶା କାରବାର ଦିନ ଦ୍ୱିପ୍ରହରରେ ଚାଲୁଥିବାବେଳେ ମଦ୍ୟପଙ୍କ ଉତ୍ପାତ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।ମଦ୍ୟପଙ୍କ ଦୌରାତ୍ମ୍ୟ ଯୋଗୁଁ ଝିଅ,ବୋହୁ,ଯୁବତୀ,କଲେଜ୍ ଓ ସ୍କୁଲ୍ ପଢୁଆ ଛାତ୍ରୀମାନେ ସ୍ଵାଧୀନ ଭାବେ ରାସ୍ତାରେ ଚଳପ୍ରଚଳ କରିବା ପାଇଁ ନିଜକୁ ଆଦୌ ସୁରକ୍ଷିତ ମଣୁନାହାନ୍ତି।ସ୍ଥାନୀୟ ଘୋରଡିଆ ହାଟରେ ଆଖପାଖ ଗ୍ରାମପୁଞ୍ଜର ପ୍ରତିଦିନ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ସମାଗମ ହେଉଥିବାବେଳେ ଏଠାରେ ସହଜରେ ନିଶା ସାମଗ୍ରୀ ଉପଲବ୍ଧ ହେଉଥିବାରୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।ତେବେ ଅଭିଯୋଗ ହେଲେ ନାମକୁ ମାତ୍ର କେବଳ ଲୋକ ଦେଖାଣିଆ ଭାବେ ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୋଲିସ୍ ଚଢାଉ କରି ସ୍ୱଳ୍ପ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ମାମଲା ରୁଜୁ କରୁଥିଲେ ହେଁ ପରବର୍ତ୍ତୀ ସମୟରେ ସେହି ନିର୍ଦ୍ଧିଷ୍ଟ ଚୋରା ନିଶା ବେପାରୀ ଅବାଧରେ ଖୁଲମଖୁଲା ନିଶା କାରବାର କରୁଥିବା ପରିଲକ୍ଷିତ ହେଉଛି।ଅବାଧ ନିଶା ସେବନ କରି ଅନେକ ପଥଭ୍ରଷ୍ଟ ଯୁବକଙ୍କ ଅକାଳରେ ମୂଲ୍ୟବାନ ଜୀବନ ଚାଲିଯାଉଥିବାରୁ ନବ ବିବାହିତା ବଧୂଟିଏ ଅଳ୍ପ ବୟସରୁ ବିଧବା ହେଉଛି।ପରିବାର ମଧ୍ୟରେ ମଦ୍ୟପାନକୁ କେନ୍ଦ୍ରକରି ବାପ,ପୁଅ,ସ୍ଵାମୀ,ସ୍ତ୍ରୀ,ଭାଇ ଓ ଭଉଣୀଙ୍କ ମଧ୍ୟରେ ସର୍ବଦା କଳିଝଗଡା ଲାଗି ରହୁଥିବାରୁ ଅନେକ ପରିବାର ଉଜୁଡ଼ି ଯିବାର ମଧ୍ୟ ନଜିର ରହିଛି।ନିଶାସକ୍ତମାନେ ଛୋଟବଡ ଅପରାଧ ଓ ଚୋରି,ଡ଼କାୟତିରେ ସଂପୃକ୍ତ ରହିବା ସହ ପ୍ରାୟ ପ୍ରତ୍ୟେକ ଦିନ କଳିଝଗଡା ଓ ଗଣ୍ଡଗୋଳ ନେଇ ଥାନାରେ ମାମଲା ରୁଜୁ ହେଉଛି।ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଘନିପୁର ପଞ୍ଚାୟତ ସରପଞ୍ଚ ପ୍ରତିମା ପାତ୍ର,ସାଉରିଆ ପଞ୍ଚାୟତ ସରପଞ୍ଚ ପ୍ରଭାତୀ ବେହେରା, ଘନିପୁର ପଞ୍ଚାୟତ ସମିତି ସଭ୍ୟା ରାଜଲକ୍ଷ୍ମୀ ବେହେରା,ପୁରୀ ନିମାପଡ଼ା ସମ୍ମିଳିତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ,ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପାତ୍ର,ସମାଜସେବୀ ରମେଶ ଚନ୍ଦ୍ର ପାଟ୍ଟଶାଣୀ,ଶିକ୍ଷାବିତ୍ ଦୟାନିଧି ମାର୍ଥା,ବ୍ୟବସାୟୀ କମ୍ମୁର ମହମ୍ମଦ,ବରିଷ୍ଠ ନାଗରିକ ପ୍ରହଲ୍ଲାଦ ବଳିୟାରସିଂହ, ୱାହିଦ୍ ମହମ୍ମଦ,ରଙ୍କନିଧି ବେହେରା, ସୟଦ୍ ମହମ୍ମଦ ଭଟ୍ଟ,ରାଙ୍ଗା ମହମ୍ମଦ,ବଳରାମ ପାଇକରାୟ,ଆଲୋକ ନରେନ୍ଦ୍ର ଓ ରବୀନ୍ଦ୍ର ସାହୁ ପ୍ରମୁଖ ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କ ପ୍ରତିନିଧି ବୁଧବାର ଦିନ ଡେଲାଙ୍ଗ ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କୁ ଭେଟି ଏହାର ସ୍ଥାୟୀ ସମାଧାନ କରିବା ନିମନ୍ତେ ପ୍ରତ୍ୟେକ୍ଷ ଭାବେ ହସ୍ତକ୍ଷେପ କରିବା ସହ ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅନ୍ୟ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।ତେବେ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ପ୍ରତି ଗୁରୁତ୍ବ ଦେଇ ତୁରନ୍ତ ଅବାଧ ନିଶା କାରବାର ବନ୍ଦ୍ କରିବା ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନାଧିକାରୀ ଦେବାଶିଷ ମହାନ୍ତି ଏହି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଥିବା ନେଇ କେନ୍ଦ୍ର ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *