ଜଗନ୍ନାଥ ସେନାର ଭକ୍ତ ଜାଗରଣ ଯାତ୍ରା

ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ଦାବିରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ଜାଗରଣ ଜନ ସଂପର୍କ ଯାତ୍ରା ରାଜ୍ୟର ଦକ୍ଷିଣରୁ (ବ୍ରହ୍ମପୁରରୁ) ଅବିଭକ୍ତ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଛି। କାରଣ ଶ୍ରୀଜଗନ୍ନାଥଙ୍କୁ ଯେତେବେଳେ ବିପଦ ମାଡି ଆସିଥିଲା ସେତେବେଳେ ମହାପ୍ରଭୂ ପ୍ରାୟତଃ ଦକ୍ଷିଣରେ ପାତାଳି ହୋଇଥିଲେ। ସେହି କାରଣରୁ ଦକ୍ଷିଣରୁ ହିଁ ଶ୍ରୀଜଗନ୍ନାଥ ସେନାର ଏହି ଅଭିଯାନ ଆରମ୍ଭ ହେଉଛି ବୋଲି ଶ୍ରୀଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଜିଲ୍ଲାର ଶ୍ରୀ ଜଗନ୍ନାଥ ପ୍ରେମୀଙ୍କୁ ନେଇ ବ୍ରହ୍ମପୁର ଗୋସାଣୀନୂଆଗାଁ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ରବିବାର ଏହି ଅଭିଯାନର ଶୁଭାରମ୍ଭ କରା ଯାଇଛି। ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ଜଗନ୍ନାଥ ସେନା ପକ୍ଷରୁ ଏହି ଦୁଇ ଦାବିକୁ ନେଇ ଗତ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ଚାରି ଦୁଆର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ଓ ରାଜ୍ୟ ସରକାର ହସ୍ତକ୍ଷେପ କରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ କରି ଚାରି ଦୁଆର ଖୋଲିବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦୁଇମାସ ମହଲତ ଦେଇଛନ୍ତି। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ରତ୍ନଭଣ୍ଡାର ଖୋଲି ରତ୍ନ ଗଣତି ଓ ମଣତି ପାଇଁ ହାଇକୋର୍ଟ ନିର୍ଦେଶ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ହାଇକୋର୍ଟଙ୍କ ନିର୍ଦେଶ ଓ ପୁରୀ ଜିଲା ପ୍ରଶାସନର ଅନୁରୋଧ ଯୋଗୁ ସେନା ଓଡିଶା ବନ୍ଦ ଡାକରାକୁ ସାମୟିକ ଭାବେ ସ୍ଥଗିତ କରିଛି। କିନ୍ତୁ ବୁଦ୍ଧିଜୀବୀ ଆନ୍ଦୋଳନରେ ଯବନିକା ପଡ଼ିନାହିଁ। ସେଥିପାଇଁ ସେନା ଭକ୍ତ ଜାଗରଣ ଓ ସଂପର୍କ ଯାତ୍ରା ଆରମ୍ଭ କରିଛି। ଯଦି ଆସନ୍ତା ୨ ମାସ ମଧ୍ୟରେ ରାଜ୍ୟ ସରକାର ଓ ପୁରୀ ଜିଲା ପ୍ରଶାସନ ଚାରି ଦୁଆର (ଧର୍ମ, ଅର୍ଥ, କାମ, ମୋକ୍ଷ) ଖୋଲି ଦିଅନ୍ତି ଓ ରତ୍ନଭଣ୍ଡାର ଖୋଲି ମରାମତି ସହ ରତ୍ନ ଗଣତି କରନ୍ତି ତେବେ ଆନ୍ଦୋଳନ ଏବଂ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଆଉ ହେବ ନାହିଁ। କିନ୍ତୁ ଯଦି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ସମୟ ଗଡ଼ାନ୍ତି ତାହା ହେଲେ ନିଜର ଧାର୍ମିକ ଅଧିକାର ପାଇଁ ସାମୟିକ ଭାବେ ସ୍ଥଗିତ ଥିବା ଆନ୍ଦୋଳନ ଓ ବନ୍ଦ ପୁନର୍ବାର ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ୪ ଦୁଆର ବନ୍ଦ ହେବା ଯୋଗୁ ଭକ୍ତମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମହାପ୍ରଭୂଙ୍କୁ ଦର୍ଶନ କରିବାକୁ ଅଯଥାରେ ଘଣ୍ଟା ଘଣ୍ଟା ଧାଡିରେ ଅପେକ୍ଷା କରିବାକୁ ପଡୁଛି। ରାଜ୍ୟ ଓ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା‌ ଭକ୍ତବୃନ୍ଦ ମହାପ୍ରଭୂଙ୍କୁ ଦର୍ଶନ କରିବା ପାଇଁ ନାକେଦମ ହେଉଛନ୍ତି। ତେଣୁ ଭକ୍ତଙ୍କ ସୁବିଧା ଓ ସୁରକ୍ଷିତ ଦର୍ଶନ ଦୃଷ୍ଟିରୁ ୪ ଦୁଆର ଆସନ୍ତା ୨ ମାସ ମଧ୍ୟରେ ଖୋଲାଯିବା‌ ନିହାତି ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେବା ସହ ପ୍ରଶ୍ନ କରିଛନ୍ତି ଯେ ରତ୍ନଭଣ୍ଡାର ଓ ଚାରି ଦୁଆର ଖୋଲିବାକୁ ସରକାର ଡରୁଛନ୍ତି କାହିଁକି ? ଓଡ଼ିଆଙ୍କ ପ୍ରାଣକେନ୍ଦ୍ର କାଳିଆ ସାଆନ୍ତଙ୍କ ଠାରୁ ଭକ୍ତଙ୍କୁ ଅଲଗା କରିବାର ଅଧିକାର ସରକାରଙ୍କର ଅଛି କି ? ଯିଏ ମନ୍ଦିର ନିର୍ମାଣ କରିଥିଲେ ସିଏ ଗୋଟିଏ ଦ୍ୱାର ନ କରି ଚାରି ଦୁଆର କରିଥଲେ କାହିଁକି ?ସମଗ୍ର ରାଜ୍ୟର ପୁରପଲ୍ଲୀରେ ଭକ୍ତ ମାନଙ୍କୁ ଜାଗ୍ରତ କରାଇବା ସହ ସରକାର ଓ ପ୍ରଶାସନ ପକ୍ଷରୁ ଆମକୁ ଦିଆଯାଇଥିବା ଲିଖିତ ପ୍ରତିଶ୍ରୁତିକୁ ସାଢେ଼ ଚାରି କୋଟି ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବାର ଗୁରୁ ଦାୟିତ୍ୱ ଓ କାର୍ଯ୍ୟକ୍ରମ ସେନା ପକ୍ଷରୁ ଚାଲୁ ରହିଲା।

Leave a Reply

Your email address will not be published. Required fields are marked *