ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶାର ତରଫରୁ ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟର କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୬୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୦୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗଦେଇ କୁନିକୁନି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଜ୍ଞାନ ଯୁଗରେ ପ୍ରତ୍ଯେକ ଛାତ୍ରଛାତ୍ରୀ ବିଜ୍ଞାନ ଅନୁସନ୍ଧିତ୍ସୁ ହେବା ପାଇଁ ପରାମର୍ଶ ଦେଇଥିଲେ। ବିଜ୍ଞାନ ମେଳାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜିର ବିଜ୍ଞାନ ମେଳା ପ୍ରକଳ୍ପ ଗୁଡିକୁ ମୂଲ୍ଯାୟନ କରିବା ପାଇଁ ବିଚାରକ ତଥା ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଅନାଦି ଚରଣ ମହାନ୍ତି , ସମଗ୍ର ଶିକ୍ଷା ଅଭିଯାନର ରାଜ୍ୟ ରିସୋର୍ସ ପର୍ସନ ରବି ନାରାୟଣ ପାତ୍ର ,ପିଣ୍ଡିକେଶ ଆଞ୍ଚଳିକ ମହାବିଦ୍ୟାଳୟର ଜୀବ ବିଜ୍ଞାନ ଅଧ୍ଯାପକ ଆଲୋକ ଚନ୍ଦ୍ର ସାମନ୍ତରାୟ ଓ ଲେଙ୍କୁଡିପଡା ଉଚ୍ଚ ବିଦ୍ଯାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୌଦାମିନୀ ସ୍ବାଇଁ ଯୋଗଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ଯାୟନ କରିଥିଲେ। ବରିଷ୍ଠ ବର୍ଗରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ହନିମେଷ ଡାକୁଆ ପ୍ରଥମ ହୋଇଥିଲା ବେଳେ ପ୍ରିତିଶ୍ ବିଶ୍ବାଳ ଦ୍ବିତୀୟ ଓ ଅଙ୍କିତା ଶୁଭଦର୍ଶିନୀ ୩ୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଉପ ବରିଷ୍ଠ ବର୍ଗରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ବିଶ୍ବବିଜିତା ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଭାପୁର ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ର ଅମୀୟ ଶ୍ରୀଚନ୍ଦନ ଦ୍ବିତୀୟ ଓ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ସଚିନ୍ ପାତ୍ର ୩ୟ ସ୍ଥାନ ଅଧିକାର କରିଛନ୍ତି। କନିଷ୍ଠ ବର୍ଗରେ ଭାପୁର ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ର ପ୍ରିୟମ୍ବଦ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର, ମାଳିସାହିର ଅରୋଲିପ୍ସା ପ୍ରିୟଦର୍ଶିନୀ ଦ୍ବିତୀୟ ଏବଂ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ଲକ୍ଷ୍ମୀପ୍ରିୟା ନାୟକ ୩ୟ ସ୍ଥାନ ଅଧିକାର କରିଛନ୍ତି।ଉପ କନିଷ୍ଠ ବର୍ଗରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର କାଳିଆ କାହ୍ନୁ ବିଶ୍ବାଳ ପ୍ରଥମ ହୋଇଥିଲା ବେଳେ ସ୍ମ୍ରୁତି ପ୍ରିୟା ସାହୁ ଦ୍ବିତୀୟ ଓ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ଖମାରସାହି ର ସମ୍ଭାବନା ପରିଡା ୩ୟ ସ୍ଥାନ ଅଧିକାର କରିଛନ୍ତି।ଏହି ପ୍ରକଳ୍ପ ଗୁଡିକ ରାଜ୍ଯ ସ୍ତରୀୟ ବିଜ୍ଞାନ ମେଳାରେ ଭାଗନେବା ପାଇଁ ଚୟନ ହୋଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସଂସ୍ଥାନ ଜିଲ୍ଲ କାର୍ଯ୍ଯକର୍ତ୍ତା ଅବିନାଶ ସାହୁ ସହଯୋଗ କରିଥିଲାବେଳେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ସମସ୍ତ ଗୁରୁଜୀ ଗୁରୁମା ମାନେ ଅକ୍ଳାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ବିଦ୍ଯାଳୟର ପ୍ରିୟମ୍ବଦା ଗୁରୁମା ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ ଜିଲ୍ଲା ସଂଯୋଜକ ମନୋରଂଜନ ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ।