ଇରେଡାର ଅର୍ଥ ନିର୍ଦ୍ଦେଶକ ଭାବେ ଯୋଗ ଦେଲେ ଡକ୍ଟର ବିଜୟ କୁମାର ମହାନ୍ତି

ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଲିମିଟେଡ (ଇରେଡା)ର ଅର୍ଥ ନିର୍ଦ୍ଦେଶକ ଭାବେ ଡକ୍ଟର ବିଜୟ କୁମାର ମହାନ୍ତି ଯୋଗ ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ୍ ସବ୍କମିଟି ଇରେଡାରେ ତାଙ୍କ ନିଯୁକ୍ତିକୁ ମଞ୍ଜୁରି ଦେଇଛି ।
ଜଣେ ବରିଷ୍ଠ ଅର୍ଥ ପେସାଦାର ଭାବେ ଡକ୍ଟର ମହାନ୍ତିଙ୍କର ବିଭିନ୍ନ ବିଦ୍ୟୁତ ଶକ୍ତି ସଂସ୍ଥାରେ କାର୍ଯ୍ୟ କରିବାର ଦୀର୍ଘ ୨୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ଅର୍ଥ, ଏକାଉଣ୍ଟସ୍, ବାଣିଜ୍ୟ, ପ୍ରକଳ୍ପ ମୂଲ୍ୟ ନିର୍ଦ୍ଧାରଣ, କାର୍ଯ୍ୟନିର୍ବାହ ଓ ପରିଚାଳନା ଏବଂ ଆଇନଗତ ପରିଚାଳନା କ୍ଷେତ୍ରରେ ସେ ଜଣେ ବିଶେଷଜ୍ଞ ଭାବେ ପରିଚିତ । ଇରେଡାର ଅର୍ଥ ନିର୍ଦ୍ଦେଶକ ଭାବେ ଯୋଗ ଦେବା ପୂର୍ବରୁ ସେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନ ମହାରତ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆରଇସି ଲିମିଟେଡ୍ (ପୂର୍ବର ଗ୍ରାମୀଣ ବିଦ୍ୟୁତିକରଣ ନିଗମ ଲିମିଟେଡ)ରେ ଜଣେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।
ଡକ୍ଟର ମହାନ୍ତି ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିଃ (ଓପିଟିସିଏଲ) ଏବଂ ସେସ୍କୋ ବିଦ୍ୟୁତ ବିତରଣ କମ୍ପାନୀରେ ମଧ୍ୟ ପ୍ରମୁଖ ପଦପଦବୀରେ କାର୍ଯ୍ୟ କରିସାରିଛନ୍ତି । ୨୦୦୫ରେ ସେ ଆରଇସିରେ ଯୋଗ ଦେଇ ଦେଶର ବିଭିନ୍ନ ସ୍ଥାନରେ ଅନେକ ବିଦ୍ୟୁତ ପ୍ରକଳ୍ପର କାର୍ଯ୍ୟକାରିତାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିସାରିଛନ୍ତି ।
ସେ ବାଣିଜ୍ୟରେ ସ୍ନାତକୋତ୍ତର ଏବଂ ପିଏଚଡି ଡିଗ୍ରୀ ହାସଲ କରିଥିବା ବେଳେ ଏମଫିଲ, ଏମଏ (ସାଧାରଣ ପ୍ରଶାସନ) ଏବଂ ଆଇନ ସ୍ନାତକ ସହିତ ପ୍ରବନ୍ଧନରେ ସ୍ନାତକୋତ୍ତର ଡିପ୍ଲୋମା ଶିକ୍ଷା ମଧ୍ୟ ଅର୍ଜନ କରିଛନ୍ତି । ନିଜର ଜାଜ୍ଜୁଲ୍ୟମାନ କ୍ୟାରିଅରରେ ଡକ୍ଟର ମହାନ୍ତି, ଭାରତ ସରକାରଙ୍କ ସୌଭାଗ୍ୟ ଓ ଡିଡିୟୁଜିଜେୱାଇ ଯୋଜନା ଅଧୀନରେ ୧୦୦% ଗ୍ରାମୀଣ ବିଦ୍ୟୁତିକରଣ ଲକ୍ଷ୍ୟ ହାସଲରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ।