ପୂର୍ବତନ ବାଚସ୍ପତି, ରାଜସ୍ଵ ମନ୍ତ୍ରୀ ତଥା ପୁରୀ ଜିଲ୍ଲାର ଜଣେ ଦକ୍ଷ ରାଜନୈତିକ ସଂଗଠକ ମହେଶ୍ୱର ମହାନ୍ତିଙ୍କ ବିୟୋଗ

ପୂର୍ବତନ ବାଚସ୍ପତି, ରାଜସ୍ଵ ମନ୍ତ୍ରୀ ତଥା ପୁରୀ ଜିଲ୍ଲାର ଜଣେ ଦକ୍ଷ ରାଜନୈତିକ ସଂଗଠକ ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ମୁଁ ଗଭୀର ଭାବରେ ମର୍ମାହତ। ଯଦିଓ ମହେଶ୍ୱର ବାବୁଙ୍କ ସହ ମୋର ରାଜନୈତିକ ପ୍ରତିଦ୍ବନ୍ଦିତା ଥିଲା, କିନ୍ତୁ ସେ ଜଣେ କୁଶଳୀ ରାଜନେତା ଭାବରେ ନିର୍ବାଚନରେ ବିଜୟୀ ହେଇ ଆସୁଥିଲେ। ପୁରୀ ସଦର ନିର୍ବାଚନ ମଣ୍ଡଳୀର ରାଜନୀତିରେ ସେ ଜଣେ ବିଚକ୍ଷଣ ଖେଳାଳି। ତାଙ୍କର ରାଜନୈତିକ ଗୋଟି ଚାଳନା ଓ କୌଶଳକୁ ଜାଣିବା କଷ୍ଟକର ଥିଲା। ଲୋକ ସମ୍ପର୍କ ରକ୍ଷା କରିବା ଓ ସର୍ବଦା ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇ ରହିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା। କୌଣସି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ସେ କେବେ ବି ପଛଘୁଞ୍ଚା ଦେଉନଥିଲେ। ମାତ୍ର ସେ କେବେ ବି ନିଜର ସ୍ବାସ୍ଥ୍ୟପ୍ରତି ଯତ୍ନଶୀଳ ନ ଥିଲେ। ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ ମୂଳକ କାର୍ଯ୍ୟରେ ତାଙ୍କର ଅବଦାନ ଲୋକ ସ୍ମୃତିରେ ସବୁଦିନ ପାଇଁ ରହିବ । ତାଙ୍କର ଧୈର୍ଯ୍ୟ, ସାହସ, ଏକାଗ୍ରତା ଓ ସହିଷ୍ଟୁତା ଅତୁଳନୀୟ। ମହେଶ୍ବର ମହାନ୍ତିଙ୍କ ବିୟୋଗରେ ପୁରୀବାସୀ ତାଙ୍କର ଅତି ପ୍ରିୟ ମୁରବୀଙ୍କୁ ହରାଇଛନ୍ତି। ସେହିପରି ସେ ମୋର ଜଣେ ରାଜନୈତିକ ପ୍ରତିଦ୍ବନ୍ଦୀ ଥିଲେ ମଧ୍ଯ ତାଙ୍କ ବିୟୋଗରେ ମୁଁ ଜଣେ ବଡଭାଇଙ୍କୁ ହରାଇଲି। ତାଙ୍କ ଅବର୍ତମାନରେ ପୁରୀ ରାଜନୈତିକ ବାତାବରଣରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିବ। ସେ ଦୀର୍ଘ ବର୍ଷ ଧରି ପୁରୀ ବାସୀଙ୍କୁ ସ୍ଥିର ନେତୃତ୍ୱ ଦେଇ ଆସୁଥିଲେ, ମହାପ୍ରଭୂଙ୍କ ପରମ ଭକ୍ତ ଭାବରେ ମହାପ୍ରଭୂଙ୍କ କୃପା ସବୁବେଳେ ତାଙ୍କ ଉପରେ ରହିଥିଲା । ସମସ୍ତଙ୍କ ପ୍ରିୟ ମହିଆ ଭାଇଙ୍କ ବିୟୋଗରେ ତାଙ୍କର ପବିତ୍ର ଆତ୍ମା ର ସଦଗତି କାମନା କରିବା ସହ ମହାପ୍ରଭୁ ତାଙ୍କର ପରିବାର ବର୍ଗ, ସମର୍ଥକ, ଶୁଭେଚ୍ଛୁ ଓ ଶୋକାଭିଭୂତ ଜନତାଙ୍କୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ, ଯେପରି ଏ ପ୍ରତିକୂଳ ଦୁଃଖଦ ପରିସ୍ଥିତିର ସାମ୍ନା କରିପାରିବେ।ଉମାବଲ୍ଲଭ ରଥ ପୂର୍ବତନ ବିଧାୟକ,ପୁରୀ