ଲଘୁଚାପଜନିତ ସମ୍ଭାବ୍ୟ ବର୍ଷା ଦୃଷ୍ଟିରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୧୫ରୁ ୧୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ସୃଷ୍ଟିହେବା ଫଳରେ ଓଡ଼ିଶାରେ ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଯଥା-ଗଞ୍ଜାମ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ମାତ୍ରାଧିକ ବର୍ଷା ହେବାର ସମ୍ଭାବନା ଅଛି । ଅନ୍ୟାନ୍ୟ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଫସଲର ପରିଚାଳନା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ
ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ୍‌ ଶ୍ରୀ ପ୍ରସନ୍ନଜିତ ମିଶ୍ର, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଓ ଭାରତୀୟ ପାଣିପାଗ ବିଭାଗର ଅଧିକାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ବୈଠକରେ ବର୍ତ୍ତମାନ ଫସଲର ଅବସ୍ଥା ଏବଂ ଫସଲର ସୁରକ୍ଷା ଦିଗରେ ବିସ୍ତୃତ ଭାବରେ ଆଲୋଚନା କରାଯାଇ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପରାମର୍ଶଗୁଡ଼ିକୁ ଚାଷୀମାନଙ୍କୁ ଅବଲମ୍ବନ କରିବା ପାଇଁ ଅନୁରୋଧ କରାଯାଇଛି ।
ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମୁଖ୍ୟ ଫସଲ ଧାନ କ୍ଷୀର ଢୋକିବା ଓ ପାକଳ ପୂର୍ବବର୍ତ୍ତୀ ଅବସ୍ଥାରେ ଅଛି । ଢିପ ଜମିରେ ଧାନ କଟା ମଧ୍ୟ ଚାଲିଛି । ଏହା ବ୍ୟତୀତ ମୁଗ, ବିରି, ଚିନାବାଦାମ ଆଦି ଫସଲ ପାକଳ ଅବସ୍ଥାରେ ଅଛି । ଆଳୁ ଫସଲ ଅନେକ ସ୍ଥାନରେ ଲଗା ଚାଲିଛି । କୋବି ଓ ବିଭିନ୍ନ ପନିପରିବା ମଧ୍ୟ ତଳି ରୋପଣ ଓ ଅମଳ ମଧ୍ୟ ଚାଲିଛି ।
ସେହିଭଳି ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ଇକରେ ଯଥା-ଗଞ୍ଜାମ, ରାୟଗଡ଼ା, କୋରାପୁଟରେ କପା ଫସଲ ଅମଳ ଅବସ୍ଥାରେ ରହିଛି । ଏହି ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ତରଫରୁ ଏକ ଫସଲ ସୁରକ୍ଷା ବାର୍ତ୍ତା ପ୍ରସ୍ତୁତ କରାଯାଇ ଅବଲମ୍ବନ କରିବା ପାଇଁ ଅନୁରୋଧ କରାଯାଇଛି । ଅଧିକ ସୂଚନା ପାଇଁ ଚାଷୀମାନଙ୍କୁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, କୃଷି ଅଧିକାରୀ ଓ ଆମ କୃଷି ଦେୟମୁକ୍ତ ନମ୍ବର୧୫୫୩୩୩ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *