ଅର୍ଥ ପରାମର୍ଶଦାତାମାନଙ୍କ ପାଇଁ ଏକ ଦିବସୀୟ ଜିଏସଟି କର୍ମଶାଳା ଅନୁଷ୍ଠିତ

ରାଜ୍ୟବାଣିଜ୍ୟକର, ଦ୍ରବ୍ୟ ଓ ସେବାକର କମିଶନ(ସିଟି ଓ ଜିଏସଟି କମିଶନରେଟ୍) କାର୍ଯ୍ୟାଳୟ, ଅର୍ଥବିଭାଗ ତରଫରୁ ରାଜ୍ୟସରକାରଙ୍କ ସମସ୍ତ ବିଭାଗ ଓ କର୍ପୋରେସନ ଆଦିମାନଙ୍କରେ କାର୍ଯ୍ୟକରୁଥିବା ଅର୍ଥପରାମର୍ଶଦାତା (ଏଫଏ) ଏବଂ ସହକାରୀ ଅର୍ଥପରାମର୍ଶଦାତା ( ଏଏଫଏ) ମାନଙ୍କ ନିମନ୍ତେ ଏକଦିବସୀୟ ଦ୍ରବ୍ୟ ଓ ସେବାକର ଆଇନ (ଜିଏସଟି) ସଂପର୍କିତ କର୍ମଶାଳା ଆଜି ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ମଧୁସୂଦନଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାକୁ ମୁଖ୍ୟ ଶାସନସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଏଫ୍ଏ, ଏଏଫ୍ଏ ଏବଂ ବିଭିନ୍ନ ସରକାରା ଟ୍ରେଜେରୀମାନଙ୍କରେ କାର୍ଯ୍ୟରତ ଓଡ଼ିଶା ଅର୍ଥ ସେବାଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ରାଜ୍ୟ ପ୍ରତି ଅନୁରକ୍ତ ରହି ରାଜ୍ୟର ସ୍ୱାର୍ଥକୁ ସୁନିଶ୍ଚିତ କରିବାକୁ ସେମାନେ କାର୍ଯ୍ୟ କରୁଛନ୍ତି । ରାଜ୍ୟର ରାଜସ୍ୱ ଆଦାୟ ଓ ଜିଏସଟି ସଂଗ୍ରହରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସେମାନଙ୍କର ଯୋଗଦାନ ରହିଛି । ଜିଏସିଟି ଆଦାୟ ଓ ଆର୍ଥିକ ପରିଚାଳନା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ବିଭାଗରେ ବହୁ ଅଭିଜ୍ଞ ଅଧିକାରୀ ଅଛନ୍ତି । ଜିଏସଟି ନିୟମ ସଂପର୍କରେ ସବୁ ବିଭାଗ ଜାଣିବା ଆବଶ୍ୟକ । କେଉଁ କ୍ଷେତ୍ରରେ ଜିଏସଟି ଲାଗୁ ହେବ ବା ଲାଗୁ ହେବ ନାହିଁ, ସେଥିରେ ଦ୍ୱନ୍ଦଉପୁଜିଲେ ବିନା ଦ୍ୱିଧାରେ ସେମାନେ ଏହିସବୁ ଅଧିକାରୀମାନଙ୍କ ପରାମର୍ଶନେବାକୁ ମୁଖ୍ୟ ଶାସନ ସଚିବ ପ୍ରଶିକ୍ଷଣନେଉଥିବା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟର ଅଭିବୃଦ୍ଧି ଓ ବିତ୍ତୀୟ ପରିଚାଳନା ଦୃଷ୍ଟିରୁ ଜିଏସଟି ସଂଗ୍ରହ ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ ।
ଅର୍ଥ ତଥା ଶକ୍ତି ବିଭାଗ ପ୍ରମୁଖ ଶାସନସଚିବ ଶ୍ରୀ ବିଶାଳ କୁମାର ଦେବ ଯୋଗଦେଇ ଓଡ଼ିଶାର ବିତ୍ତୀୟ ପରିଚାଳନା ସଂପର୍କରେ ବକ୍ତବ୍ୟ ରଖି ଦ୍ରବ୍ୟ ଓ ସେବା ଆଇନର କାର୍ଯ୍ୟକାରିତାରେ କି କି ବ୍ୟବସ୍ଥା ରହିଛି, ସେ ସଂପର୍କରେ ଆଲୋକପାତ କରିଥିଲେ । ବାଣିଜ୍ୟକର , ଦ୍ରବ୍ୟ ଓ ସେବାକର ମୁଖ୍ୟଆୟୁକ୍ତ ତଥା ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ଶ୍ରୀ ସଂଜୟ କୁମାର ସିଂ ପ୍ରାରମ୍ଭିକ ସ୍ୱାଗତଭାଷଣ ପ୍ରଦାନ ପୂର୍ବକ ଉଦାହରଣ ଦେଇ ଜିଏସଟି ଲାଗୁଥିବା ବିଭିନ୍ନ କ୍ଷେତ୍ରରେ ରହିଥିବା ବିଭିନ୍ନ ଦ୍ୱନ୍ଦଏହାର ସମାଧାନ ସଂପର୍କରେ ସବିଶେଷ ଜ୍ଞାନ ଆହରଣ ସଂପର୍କରେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଜିଏସଟି ସଂପର୍କିତ ବହୁ ଡିଜିଟାଲ ଡାଟା ବା ତଥ୍ୟ ରହିଛି । ସେସବୁ କାର୍ଯ୍ୟ କ୍ଷେତ୍ରରେ ଏବଂ ଅଟିଟ୍ ପରିପ୍ରେକ୍ଷୀରେ ଗୁରୁତ୍ୱପୂର୍ଣ୍ଣ । ନକଲି ଚାଲାଣ କାଟିବା ରୋକିବା ଦିଗରେ ସେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେହିପରି ବିଭିନ୍ନ ବିଭାଗ ସହିତ କର୍ପୋରେସନଗୁଡିକ ମଧ୍ୟ ଜିଏସଟି ନିୟମ ମାନିବା ଉପରେ ମଧ୍ୟ ଶ୍ରୀ ସିଂ ଗୁରୁତ୍ୱାରୋପ କରିଥିଲେ । ଅର୍ଥ ପରାମର୍ଶଦାତା ମାନେ ସେମାନଙ୍କ ଅଧିନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସଚେତନ କରିବାକୁ ଓ ବୁଝାଇବାକୁ ସେ ମଧ୍ୟ କହିଥିଲେ । କାର୍ଯ୍ୟକ୍ରମରେ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଆୟୋଜିତ ଏହି କର୍ମଶାଳାରେ ବାଣିଜ୍ୟ କର, ଦ୍ରବ୍ୟ ଓ ସେବା କର କମିଶନ (ସିଟି ଓ ଜିଏସଟି କମିଶନରେଟ୍) କାର୍ଯ୍ୟଳୟର ଅଧିକାରୀମାନେ ପ୍ରଶିକ୍ଷଣ ଦେଇଥିଲେ । ପାରସ୍ପରିକ ଆଲୋଚନା ମାଧ୍ୟମରେ ଜିଏସଟି ସଂପର୍କିତ ବହୁ ସନ୍ଦେହ ଦୂର କରାଯାଇଥିଲା ।