ଖବର ପ୍ରକାଶ ପରେ ଭିନ୍ନକ୍ଷମ ଲକ୍ଷ୍ମୀଧରଙ୍କ ଘରେ ପହଂଚିଲା ସିଆରଏସଆର ଟିମ ।

ବନ୍ତ,୨୭/୭ -“ସରକାରୀ ସୁବିଧା ସୁଯୋଗରୁ ବଂଚିତ ଭିନ୍ନକ୍ଷମ ଲକ୍ଷ୍ମୀଧର”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଆଜି ମଙ୍ଗଳବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିଆରଏସଆର ଜିଲ୍ଲା ମୁଖ୍ୟ ଭଗବାନ ପରିଡ଼ାଙ୍କ ଅନୁମୋଦନରେ ଜିଲ୍ଲା ସ୍ୱତନ୍ତ୍ର ବିଦ୍ୟାଳୟ ଅଧ୍ୟକ୍ଷ(ସିଆରଏସଆର) ଅଭିମନ୍ୟୁ ମଲ୍ଲିକ,ମନୋବିଜ୍ଞାନୀ(ସିଆରଏସଆର) ଶୁଚିସ୍ମିତା ବାରିକ ଲକ୍ଷ୍ମୀଧରଙ୍କ ଗାଁକୁ ଆସି ତାଙ୍କର ପରୀକ୍ଷାନିରୀକ୍ଷା କରି ଭିନ୍ନକ୍ଷମ ପ୍ରମାଣପତ୍ର ତାଙ୍କୁ ପ୍ରଦାନ କରିଥିଲେ । ଉକ୍ତ ପ୍ରମାଣପତ୍ର ମାଧ୍ୟମରେ ଆଗାମୀ ଦିନରେ ସେ ସରକାରୀ ସୁବିଧା ସୁଯୋଗ ପାଇବାପାଇଁ ଯୋଗ୍ୟ ବିବେଚିତ ହେବେ । ସୂଚନା ଅନୁଯାୟୀ; ଭିନ୍ନକ୍ଷମ ମାନଙ୍ଗୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଆତ୍ମ ନିର୍ଭରଶୀଳ ହେବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନାମାନ ପ୍ରଣୟନ କରାଯାଉଥିବା ବେଳେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଅର୍ନ୍ତଗତ ଚାରିଗାଁ ଗଙ୍ଗାଧର କଟୁଆଳଙ୍କ ପୁଅ ଲକ୍ଷ୍ମୀଧରଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଲକ୍ଷ୍ମୀଧର ୭୭ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ତାଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳି ପାରି ନଥିଲା। ଭତ୍ତା ପାଇବା ପାଇଁ ପ୍ରଶାସନିକ ସ୍ତରରେ ବାରମ୍ବାର ଆବେଦନ କରିଥିଲେ ସୁଦ୍ଧା କୌଣସି ସୁଫଳ ତାଙ୍କୁ ମିଳିପାରିନଥିଲା । ଗଙ୍ଗାଧର ଜଣେ ଗରୀବ ଶ୍ରେଣୀୟ ବ୍ୟକ୍ତି ଅଟନ୍ତି । ୨ଝିଅ ବାହାଘର ପାଇଁ ଯାହା ଜମିବାଡ଼ି ଥିଲା ତାକୁ ବିକ୍ରି କରିସାରିଛନ୍ତି । ସେ ବର୍ତ୍ତମାନ ନିଜେ ଅସୁସ୍ଥ ଥିବା ସ୍ଥଳେ ଭିନ୍ନକ୍ଷମ ପୁଅ ଓ ରୋଗାଗ୍ରସ୍ତ ସ୍ତ୍ରୀକୁ ନେଇ ପରିବାର ଚଳାଇବାକୁ ସମର୍ଥ ହୋଇ ପାରୁନଥିଲେ । ଏପରିକି ନିଜ ଚାଳଘରକୁ ପ୍ରତିବର୍ଷ ଛାଉଣୀ ମଧ୍ୟ କରିପାରୁନାହାନ୍ତି । ତାଙ୍କ ସ୍ତ୍ରୀଙ୍କ ବୟସ ଭତ୍ତା ପାଇବା ପାଇଁ ହୋଇଯାଇଥିଲେ ସୁଦ୍ଧା ସେ ଏହା ପାଇପାରିନାହାନ୍ତି । ଯଦି ଲକ୍ଷ୍ମୀଧର ଓ ତାଙ୍କ ମାଙ୍କୁ ଭତ୍ତା ମିଳି ପାରନ୍ତା ତାହା ହେଲେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଏହି ପରିବାର ସମର୍ଥ ହୋଇପାରନ୍ତେ । ଆବାସ ଯୋଜନାରେ ଏହି ପରିବାର ସାମିଲ ହୋଇପାରିନଥିବାରୁ ୩ ପ୍ରାଣୀ କୁଟୁମ୍ବ ଭଙ୍ଗା ଦଦରା ଚାଳଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ ।

Leave a Reply

Your email address will not be published. Required fields are marked *