ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସ ରେ ରାଷ୍ଟ୍ରପତି ଙ୍କ ଯୋଗଦାନ

-ପାରାଦ୍ବୀପ-ତା ୨୭.୧୧.୨୩ରିଖଭାରତର ମାନ୍ୟବର ରାଷ୍ଟ୍ରପତି ଆଜି ପାରାଦ୍ଵୀପ ଗସ୍ତରେ ଆସି ପାରାଦ୍ବୀପ ପୋର୍ଟ ର ୱେଟ ବେସିନ ଠାରେ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସ ରେ ଯୋଗଦାନ କରିଥିଲେ। ରାଷ୍ଟ୍ରପତି ପ୍ରଥମେ ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ନବନିର୍ମିତ ହେଲି ପ୍ୟାଡ ରେ ଅବତରଣ କରିବା ପରେ ପ୍ରମୁଖ ପାରମ୍ପରିକ ଲୋକନୃତ୍ୟ ସହିତ ତାଙ୍କୁ ପାଛୋଟି ଅଣାଯାଇଥିଲା।ଏହାପରେ ସେ ପୂର୍ବରୁ ସୁସଜ୍ଜିତ ସାଧବ ସାଧବାଣୀ ମାନଙ୍କୁ ଶୁଭେଚ୍ଛା ଜଣାଇ ଓଡ଼ିଶାର ଅସ୍ମିତାର ପ୍ରତୀକ ବୋଇତ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଔପଚାରିକତା ର ଦୃଷ୍ଟାନ୍ତ ସ୍ବରୂପ ତଟରକ୍ଷୀ ଜାହାଜ ‘ଅମୋଘ ‘ ରେ ବସି ବନ୍ଦର ମଧ୍ୟକୁ ଯାତ୍ରା କରିଥିଲେ।ପରେ ଏହି ଅବସରରେ ଆୟୋଜିତ ସଭାରେ ଉତ୍ସୁକ ଜନତାଙ୍କୁ ଅଭିବାଦନ ଜଣାଇ ଯୁବପିଢ଼ି ମାନଙ୍କୁ ଯୋଗ୍ୟତା ଅନୁସାରେ ଚାକିରି କରିବା ସହ, ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଆଗଭର ହେବାକୁ ଉପଦେଶ ଦେଇଥିଲେ। ସେ କହିଥିଲେ,କଥାରେ ଅଛି, “ବାଣିଜ୍ୟେ ବସତେ ଲକ୍ଷ୍ମୀଃ” । ଯୁବପିଢ଼ି ନିଜ ରୁଚି ଅନୁସାରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠାରେ ମଧ୍ୟ ମନୋନିବେଶ କରନ୍ତୁ । ଏହା ଦ୍ୱାରା ସେମାନେ ନିଜେ ଜୀବିକା ଅର୍ଜନ କରିବା ସହିତ ଅନ୍ୟମାନଙ୍କୁ ଜୀବିକା ପ୍ରଦାନ   କରିପାରିବେ।ସମୁଦ୍ର ସବୁବେଳେ ସୃଜନଶୀଳ ତେଣୁ ଭାରତୀୟ ଉପଦ୍ୱୀପ ର ବାଣିଜ୍ଯ ବ୍ୟବସାୟ ଅର୍ଥନୈତିକ ଓ ଆନ୍ତର୍ଜାତିକ ସମ୍ପର୍କର ସ୍ରଷ୍ଟା ସମୁଦ୍ର ବୋଲି ସେ ଅଭିହିତ କରିଥିଲେ। ପାରାଦ୍ୱୀପ ବନ୍ଦର ଆଜି ବିଶ୍ଵ ରେ ଶ୍ରେଷ୍ଠ ବନ୍ଦର ମାନଙ୍କ ମଧ୍ୟରେ ଅନ୍ୟତମ। ସାମଗ୍ରୀ ପରିବହନ ପାଇଁ ଭାରତ ସରକାରଙ୍କ ବନ୍ଦର,ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟ ତରଫରୁ ପାରାଦ୍ବୀପ ବନ୍ଦର କୁ ସାଗର ଶ୍ରେଷ୍ଠ ସମ୍ମାନ ରେ ସମ୍ମାନିତ କରାଯାଇଛି।ଏଥିପାଇଁ ସେ ବନ୍ଦର କର୍ତ୍ତୃପକ୍ଷ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବନ୍ଦର ର ଭିତ୍ତିଭୂମି ଆହୁରି ସୁଦୃଢ଼ ହେବା ସଙ୍ଗେସଙ୍ଗେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ଦରକାର ବୋଲି କହିଥିଲେ। ଏ ଦିଗରେ ଭାରତ ସରକାରଙ୍କ ସାଗରମାଳା କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ଦର ଉନ୍ନୟନ ତଥା ବନ୍ଦର ନେତୃତ୍ବରେ ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ବିକାଶ ତ୍ବରାନ୍ବିତ ହେବ।ଗ୍ଲୋବାଲ ମାରିଟାଇମ ଇଣ୍ଡିଆ ସମିଟ 2023 ରେ ପାରାଦ୍ବୀପ ବନ୍ଦର କୁ ପୋର୍ଟ ଓ ଅପରେସନାଲ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି। ବନ୍ଦର କର୍ତ୍ତୃପକ୍ଷ ଦ୍ୱାରା ଆୟୋଜିତ ଏହି ଭବ୍ୟ ବୋଇତ-ବନ୍ଦାଣ ଉତ୍ସବରେ ଯୋଗ ଦେଇ ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ। ଏହାପରେ ରାଷ୍ଟ୍ରପତି 260 କୋଟି ବ୍ୟୟ ଅଟକଳରେ ନିର୍ମିତ ମଲ୍ଟି ମୋଡାଲ ଲଜିଷ୍ଟିକପାର୍କ ର ଶୁଭ ଉଦଘାଟନ କରିଥିଲେ।ଏହି ପାର୍କ ପାରାଦ୍ବୀପ ର ସ୍ବଚ୍ଛ ପଣ୍ୟ ତଥା କଣ୍ଟେନର କାର୍ଯ୍ୟକ୍ରମ କୁ ଦ୍ବିଗୁଣିତ କରିବା ସହ 250 ଜଣଙ୍କୁ ପ୍ରତ୍ୟକ୍ଷ ଓ 500 ଜଣଙ୍କୁ ପରୋକ୍ଷ ନିଯୁକ୍ତି ଯୋଗାଇସାରିଛି।ଏଥିସହ ବନ୍ଦର ଟାଉନ ସିପ୍ ର ନିରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ରାଷ୍ଟ୍ରପତି ଏକ ନୂତନ ଜଳାଶୟ ଓ ଜଳ ବିଶୋଧନାଗାର ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। 250 ନିୟୁତ ଲିଟର କ୍ଷମତା ସମ୍ପନ୍ନ ଏହି ଜଳାଶୟ ଦ୍ଵାରା ଦୈନିକ 16 ନିୟୁତ ଲିଟର ଜଳ ଉତ୍ପାଦିତ ହେବ।ପରେ ରାଷ୍ଟ୍ରପତି ଏକ ଭି ଟି ଏମ୍ ଆଇ ଏସ୍ କ୍ଷମତା ସମ୍ପନ୍ନ ସିଗନାଲ୍ ଷ୍ଟେସନ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଯାହା ପଣ୍ୟ ଜାହାଜ ଗୁଡିକର ସୁରକ୍ଷିତ ଚଳାଚଳ ରେ ସହାୟକ ହେବ। ଏହି ଉତ୍ସବରେ ଯୋଗଦେଇ ଓଡିଶା ର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଓଡ଼ିଶାର ନୌବାଣିଜ୍ୟର ପରମ୍ପରା କୁ ଶ୍ରେଷ୍ଠ ବୋଲି ଅଭିହିତ କରିଥିଲେ।480 କି ମି ଦୀର୍ଘ ଓଡିଶା ର ତଟରେଖା ଦେଶର ସମୃଦ୍ଧି ରେ ସହାୟକ ଏବଂ ଐତିହ୍ୟର ମୁକସାକ୍ଷୀ ପାରାଦ୍ବୀପ ବନ୍ଦର ଏହି ପରମ୍ପରା କୁ ବଜାୟ ରଖିବ ବୋଲି କହିଥିଲେ।ଏହି ଅବସରରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରଣାଳୟ ମନ୍ତ୍ରୀ ଶ୍ରୀ ବିଶ୍ଵେଶ୍ଵର ଟୁଡୁ , କେନ୍ଦ୍ର ସରକାରଙ୍କ, ଜାହାଜ ଚଳାଚଳ ଓ ଜଳ ମାର୍ଗ ଏବଂ ପର୍ଯୟଟନ ମନ୍ତ୍ରଣାଳୟ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶ୍ରୀପଦ ୟଶୋ ନାୟକ, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ବିକାଶ ତଥା ପର୍ଯ୍ୟଟନ ମନ୍ତ୍ରୀ, ଶ୍ରୀ ଶ୍ରୀପଦ ନାୟକ ,କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ , ଶ୍ରୀ ଶାନ୍ତନୁ ଠାକୁର, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ,ଓଡିଶା ସରକାର, ଯୋଗ ଦେଇଥିଲେ। ମାନ୍ୟବର ସାଂସଦ, ଜଗତସିଂହପୁର, ଡଃ ରାଜଶ୍ରୀ ମଲ୍ଲିକ, ପାରାଦ୍ବୀପ ବିଧାୟକ ଶ୍ରୀ ସମ୍ବିତ୍ ରାଉତରାୟ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରି, ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉତ୍ସବରେ ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ପି ଏଲ ହରନାଦ ସ୍ଵାଗତ ଭାଷଣ ଦେବାସହ ପାରାଦ୍ଵୀପ ବନ୍ଦର ର ଅଭୁତପୂର୍ବ ସଫଳତା ବିଷୟ ରେ କହିଥିଲେ। ପାରାଦ୍ୱୀପ ବନ୍ଦର 135.36 ନିୟୁତ ମେଟ୍ରିକ ଟନ୍ ପଣ୍ୟ କାରବାର କରି ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। 2047 ମସିହା ସୁଦ୍ଧା ବନ୍ଦର ର କ୍ଷମତା 500 ନିୟୁତ ମେଟ୍ରିକ ଟନ୍ କୁ ବୃଦ୍ଧି କରାଯିବା ସହ ସମଗ୍ର ବିଶ୍ୱରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିବ। ପରେ ପରେ ମାନନୀୟା ରାଷ୍ଟ୍ରପତି ସ୍ଥାନୀୟ ନେହେରୁ ବଙ୍ଗଳା ଠାରେ ମତ୍ସ୍ୟଜୀବୀ ମାନଙ୍କ ସହିତ ସାକ୍ଷାତ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା କଥା ବୁଝିଥିଲେ।ସେ ମତ୍ସ୍ଯଜୀବୀ ମାନଙ୍କୁ ନିଜର ଜୀବିକା ନିର୍ବାହ ସହିତ ଦେଶ ର ଅର୍ଥନୈତିକ ବିକାଶରେ ସହାୟକ ହେଉଥିବାରୁ ସାଧୁବାଦ ଜଣାଇବା ସହ ପରିବର୍ତ୍ତୀତ ଜଳବାୟୁ ମଧ୍ୟରେ ମାଛ ଧରା ବନ୍ଦର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବିକାଶ ନିମନ୍ତେ ସମୁଦ୍ର ଓ ଏହାର ପରିବେଶ କୁ ସୁସ୍ଥ ରଖିବା ଆମର କର୍ତ୍ତବ୍ୟ ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ କୋଷ୍ଟାଲ କମ୍ୟୁନିଟି ଡେଭଲପମେଣ୍ଟ, ବନ୍ଦର ପୋତାଶ୍ରୟ ମରାମତି ଆଦି କାର୍ଯ୍ୟକ୍ରମ ମତ୍ସ୍ୟଜୀବୀ ଙ୍କ ଉନ୍ନତି ପାଇଁ ଅନ୍ୟତମ। କେନ୍ଦ୍ର ସରକାର ପାରାଦ୍ଵୀପ ବନ୍ଦର ଉନ୍ନୟନ ପାଇଁ 108 କୋଟି ଟଙ୍କା ମଞ୍ଜୁର କରିଛନ୍ତି ଯାହା ବନ୍ଦର ର ସାମଗ୍ରିକ ବିକାଶ ରେ ସହାୟ ହେବ ବୋଲି ରାଷ୍ଟ୍ରପତି କହିଥିଲେ। ଏହି ଉତ୍ସବ ରେ ପାରାଦ୍ଵୀପ ବନ୍ଦର ର ସମସ୍ତ କର୍ମକର୍ତ୍ତା,ବିଭିନ୍ନ ବିଭାଗ ର ସରକାରୀ ଅଧିକାରୀ, ସ୍ଥାନୀୟ ଜନସାଧାରଣ,ସହରର ବରିଷ୍ଠ ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *