ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ପାଳିତ

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାମାକାନ୍ତ ପଣ୍ଡା ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ। ବିଭିନ୍ନ କଲେଜରୁ ଆସିଥିବା ଛାତ୍ର ଛାତ୍ରୀ, ରେଡ଼ ରିବନ ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଗଠନର ସଦସ୍ୟମାନେ ଏହି ରାଲି ରେ ସାମିଲ ହୋଇ ସହର ପରିକ୍ରମା କରିବା ସହ ସଚେତନତାର ବାର୍ତ୍ତା ବାଣ୍ଟି ଥିଲେ । ଏଡ୍ସ ଭଳି ମହାମାରୀକୁ ନୟାଗଡ଼ ଜିଲ୍ଲାରୁ କିଭଳି ଦୁରେଇ ଦେଇ ହେବ ସେଥିପାଇଁ ସମସ୍ତେ ଶପଥ ନେଇଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏଡ୍ସ ବିଷୟରେ ସବିଶେଷ ତଥ୍ୟ ଦେବା ସହ ସଚେତନତାର ବାର୍ତା ଦେଇଥିଲେ । ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ବିଶ୍ଵ ରଞ୍ଜନ ରଥ ସଭା ପରିଚାଳନା କରିଥିବା ବେଳେ, ଜିଲ୍ଲା ନୋଡାଲ ଅଧିକାରୀ ଡାକ୍ତର ଶରତ କୁମାର ଦାସ ଏଡ୍ସ ରୋଗର ନିରାକରଣ ଉପରେ ବକ୍ତବ୍ୟ ରଖିଥିଲେ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରତିଭାଗୀମାନଙ୍କୁ ଉତ୍ସାହିତ କରିଥିଲେ ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ