ବିଜ୍ଞାନ କଲେଜରେ ବିଶ୍ବ ଏଡ୍ସ ଦିବସ ସଚ଼େତନତା ଶିବିର

ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ମହାବିଦ୍ୟାଳୟ ଯୁବରେଡକ୍ରସ୍ ଶାଖାର ଉପଦେଷ୍ଟା ଦ୍ବୟ ରାଜେଶ୍ କୁମାର ସାହୁ ଏବଂ ଡ. ଅଜିତ୍ କୁମାର ମୁନିଙ୍କ ସହଭାଗିତାରେ ବିଶ୍ବ ଏଡସ୍ ଦିବସ ଆନୁଷ୍ଠାନିକ ରୂପେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଡେମୋଷ୍ଟ୍ରେଟର ଧନଞ୍ଜୟ ମହାପାତ୍ରଙ୍କ ବେଦ ମନ୍ତ୍ର ଧ୍ବନିରେ ଅତିଥିଙ୍କ ଦ୍ବାରା ଦେବ ବିଗ୍ରହ ସହିତ ରେଡକ୍ରସର ପୃଷ୍ଟପୋଷକ ସାର୍ ହେନରୀ ଡ୍ୟୁନାଟଙ୍କ ବିଗ୍ରହରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ମୁଖ୍ୟ ଅତିଥି ରୂପେ ଆସିକା ଉପଖଣ୍ଡ ସରକାରୀ ଚିକିତ୍ସାଳୟ ଏଡସ୍ ଏବଂ ଏଚ୍ଆଇଭି ୟୁନିଟର ବରିଷ୍ଠ ପ୍ରୟୋଗଶାଳା ନିୟନ୍ତ୍ରକ ଡ. ରାଜେନ୍ଦ୍ର କୁମାର ପାତ୍ର ଏବଂ ସମ୍ମାନିତ ଅତିଥିରୂପେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ. ପ୍ରସନ୍ନ କୁମାର ପ୍ରଧାନ ଉପସ୍ଥିତ ଥିଲେ। କଲେଜ ପ୍ରଶାସନିକ ଅଧିକାରୀ ତଥା ଏନସିସି ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ ଏବଂ ସହ ପ୍ରଶାସନିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ସମ୍ମାନିତ ଅତିଥିରୂପେ ମଞ୍ଚାସୀନ ଥିଲେ।

ଶିବିରର ଆଭିମୁଖ୍ୟ ସହ ଡ. ମୁନି ନିଜ ଅଭିବ୍ୟକ୍ତିରେ ଭାରତୀୟ ସସ୍କୃତିର ଧୈର୍ଯ୍ୟ, ସହନଶୀଳତା, ନୈତିକତା ତଥା ଚାରିତ୍ରିକ ଗୁଣାବଳୀକୁ ଆବୋରି ନେଲେ ହିଁ ସମାଜ ଏଡସ୍ ଭଳି ରାକ୍ଷସ କବଳରୁ ମୁକ୍ତି ପାଇପାରିବ ବୋଲି ଯୁବା ପୀଢ଼ିଙ୍କୁ ଆହ୍ବାନ କରିଥିଲେ। କଲେଜ ଅଧ୍ୟକ୍ଷ ଡ. ତ୍ରିପାଠୀ ସ୍ବାଗତ ଭାଷଣରେ ଛାତ୍ରଛାତ୍ରୀଙ୍କୁ ଏଡସ୍ ରୋଗୀକୁ ନୁହେଁ ରୋଗକୁ ଘୃଣା କର ବୋଲି ସଚେତନତାର ଗୁରୁମନ୍ତ୍ର ପ୍ରତିପୋଷଣ କରିଥିଲେ। କଲେଜ ସଭାପତି ଯୁବା ପୀଢିଙ୍କୁ ନୈତିକତା, ସଂଯମତା, ଚାରିତ୍ରିକ ଗୁଣାବଳୀକୁ ଆପଣାଇବା ପାଇଁ ଅନୁରୂପ ମନ୍ତ୍ର ଏବଂ ଭବିଷ୍ୟତରେ ଏକ ସ୍ତ୍ରୀ ଏକ ପତ୍ନୀ ବ୍ରତ ଧାରଣ କରିବା ପାଇଁ ଆହ୍ବାନ କରିଥିଲେ। ମୁଖ୍ୟ ଅତିଥି ଡ. ପାତ୍ର ଏଡସ୍ ଏବଂ ଏଚ୍ଆଇଭି ସମ୍ବନ୍ଧୀୟ ଟେକ୍ନିକାଲ ବାର୍ତ୍ତା ଦ୍ବାରା ଛାତ୍ର ଛାତ୍ରୀଙ୍କୁ ସଚ଼େତନ ତଥା ଏଡ୍ସରୁ ନିବୃତ୍ତ ରହିବା ପାଇଁ ଶପଥ ପାଠ କରାଇଥିଲେ। ଏନଏସଏସ୍ ଅଧିକାରୀ ଦ୍ବୟ ପବିତ୍ର ଧଙ୍ଗଡମାଝୀ ଏବଂ ଚ଼ନ୍ଦନ ମାରାଣ୍ଡି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ଏଡସ୍ ସଚେତନତା ସମ୍ବନ୍ଧୀୟ ପ୍ରଶ୍ନୋତ୍ତରୀ ପରୀକ୍ଷା ସୂଚାରୁ ରୂପେ ସଂପାଦନ କରିଥିଲେ। ବିଶ୍ବ ଏଡସ୍ ଦିବସ ନିମନ୍ତେ ଆୟୋଜିତ ପ୍ରାଞ୍ଜଳ ଭାଷଣ, ନିବନ୍ଧ ତଥା ପ୍ରଶ୍ନୋତ୍ତରୀ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିଙ୍କ କରକମଳରେ ପୁରସ୍କାର ବିତରଣ କରାଯାଇଥିଲା। ଆଜି ଏହି ସଚ଼େତନତା ଶିବିରରେ ଯୁବରେଡକ୍ରସ୍, ସମର ଶିକ୍ଷାର୍ଥି ବାହୀନି, ଜାତୀୟ ସେବା ସଂସ୍ଥାର ସ୍ବେଚ୍ଛାସେବୀ ତଥା କଲେଜର ଶତାଧିକ ବିଦ୍ୟାର୍ଥି ମଞ୍ଚାସୀନ ଅତିଥିମାନଙ୍କ ବାର୍ତ୍ତାରେ ଏଡସ୍ ଦାଉରୁ ନିବୃତ୍ତ ରହିବାର ସଚ଼େତନତାରେ ଅଭିମନ୍ତ୍ରିତ ହୋଇଥିଲେ। ମଞ୍ଚ ସାଜସଜ୍ଜାରେ ମେକାନିକ ପ୍ରମୋଦ କୁମାର ସାହୁ ସହଯୋଗ କରିଥିଲେ। ପରିଶେଷରେ ଉପଦେଷ୍ଟା ରାଜେଶ କୁମାର ସାହୁ ସମସ୍ତଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *