ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦଯାପିତ

ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ଠାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ଗତ ଡିସେମ୍ବର ମାସ ୧ତାରିଖ ଠାରୁ ଆରମ୍ଭ ହୋଇଥିବା ୫ଦିନିଆ ୧୩ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। ଚନ୍ଦ୍ରଭାଗା ବେଳାଭୂମି କୂଳରେ ଆନ୍ତର୍ଜାତୀୟ ଓ ଦେଶୀୟ ବାଲୁକା ଶିଳ୍ପୀ ମାନେ ଗୁରୁବାର ମାଣବସା, ଓଡିଶାର ମନ୍ଦିର ଓ ଭାରତ ବର୍ଷର କୀର୍ତ୍ତିରାଜି ଉପରେ ନିଖୁଣ ଓ ଚମତ୍କାର ବାଲୁକା କଳା ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ଚନ୍ଦ୍ରଭାଗା ବେଳାଭୂମି କୂଳରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଏହି ବାଲୁକା କଳା ମହୋତ୍ସବରେ ଭାଗ ନେଇ ନିଜର କଳା ନୌପୁଣ୍ଯ ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଚେକ ରିପବ୍ଲିକ ସମେତ ୬ଗୋଟି ଦେଶର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସମେତ ଓଡିଶା ତଥା ଓଡିଶା ବାହାରର ବାଲୁକା ଶିଳ୍ପୀ ମାନେ ନିଜ ନିଜର ଚମତ୍କାର ବାଲୁକା କଳା ପ୍ରଦର୍ଶନ କରିଥିଲେ। ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଭାଗ ନେଇଥିବା ୬ଜଣ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ, ଓଡିଶା ବାହାରର ୧୦ଜଣ ବାଲୁକା ଶିଳ୍ପୀ ଓ ଓଡିଶାର ୯୮ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରି ସେମାନଙ୍କର ଚମତ୍କାର ବାଲୁକା କଳା ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ୧୧୪ଜଣ ବିଦେଶୀ ଓ ଦେଶୀୟ ବାଲୁକା ଶିଳ୍ପୀ ମାନଙ୍କୁ ରାଜ୍ଯ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବକୁ ବାଲୁକା କଳା ଉତ୍ସବ ସଂଯୋଜକ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପୁରୀ ଜିଲ୍ଲା ପର୍ଯ୍ୟଟନ ବିଭାଗ ସହ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ ଙ୍କ ସମେତ ରାଜ୍ୟ ପର୍ଯ୍ୟଟନ ବିଭାଗର ପଦାଧିକାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *