ଦେବ ଦୀପାବଳୀ ଅବସରରେ ବଡ଼ଦାଣ୍ଡରେ ଝଲସିବ ଏକଲକ୍ଷ ଦୀପ

ଏକଲକ୍ଷ ଦୀପଶିଖାରେ ଝଲସିବ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ । ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ ଦୀପମୟ ହେବ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଶନିବାର ପୁରୀ ହୋଟେଲ ହଲିଡେ ରିସୋର୍ଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଦୀପଦାନ କମିଟିର ସଂଗଠନ ସଂପାଦକ, ବିଶିଷ୍ଟ ସମାଜସେବୀ ଶ୍ରୀ ଶୁଭାଶିଷ ଖୁଣ୍ଟିଆ, ଉପାଧ୍ୟକ୍ଷ ବିଶିଷ୍ଠ ସମାଜସେବୀ ତଥା ଶିଳ୍ପୋଦ୍ୟୋଗୀ ଶ୍ରୀ ରାଜକିଶୋର ପାତ୍ର ଏବଂ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟରର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀ ଭାବଗ୍ରାହୀ ଶାନ୍ତି । ଆସନ୍ତା ୧୨ ତାରିଖ ସନ୍ଧ୍ୟା ୫ ଘଟିକାରୁ ୭ ଘଟିକା ପର୍ଯ୍ୟନ୍ତ ପବିତ୍ର ଦେବ ଦୀପାବଳୀ ଅବସରରେ ଏହି ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଶ୍ରୀମନ୍ଦିର ଛତିଶା ନିଯୋଗ ସମେତ ପୁରୀର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ଏଥିରେ ଅଂଶଗ୍ରହଣ କରିବେ । ଦେବତାମାନଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ସଂସ୍କୃତିର ପରମ୍ପରା ଅନୁସାରେ ଦୀପଦାନ କରି ବିଶ୍ୱ ମାନବ ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଜାରି ରଖିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।
ଉକ୍ତଦିନ ଦିବା ୧୦ ଘଟିକାଠାରୁ ଦିବା ୨ ଘଟିକା ପର୍ଯ୍ୟନ୍ତ ମେଡ଼ିକାଲ ଛକ ସ୍ଥିତ ହାତୀ ଆଖଡ଼ା ମଠଠାରେ ବିଶ୍ୱଶାନ୍ତି ଅଗ୍ନିହୋତ୍ର ଯଜ୍ଞର ମଧ୍ୟ ଆୟୋଜନ କରାଯାଇଅଛି । ସନ୍ଧ୍ୟା ଘ.୭.୩୦ମିନିଟରେ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ମୁକ୍ତାକାଶ ରଂଗମଂଚରେ ପୁରୀର ବିଶିଷ୍ଟ କଣ୍ଠଶିଳ୍ପୀକୁ ନେଇ ଭଜନ ପରିବେଷଣ କରାଯିବ । ଦୀପଦାନ କମିଟିର ଅଧ୍ୟକ୍ଷ ଓଡ଼ିଶାର ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଉପାଧ୍ୟକ୍ଷ ତଥା ବିଶିଷ୍ଟ କବି ଶ୍ରୀ ଶଙ୍କର ପରିଡ଼ା, ଅନୁଷ୍ଠାନର ସଭାପତି ଶ୍ରୀ ରତିକାନ୍ତ ପାଢ଼ୀ, ସାଧାରଣ ସଂପାଦକ ତଥା ଟ୍ରଷ୍ଟି ଶ୍ରୀ ଉଦୟ କୁମାର ଶାନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଦେବ ଦୀପାବଳୀ ଉତ୍ସବର ମହତ୍ତ୍ୱ ଓ ବିଶେଷତ୍ୱ ସଂପର୍କରେ ସବିଶେଷ ଆଲୋକପାତ କରିଥିଲେ ଏବଂ କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଓଡ଼ିଶାର ସମସ୍ତ ଜଗନ୍ନାଥପ୍ରେମୀ ତଥା ପୁରୀର ଜନସାଧାରଣଙ୍କର ସହଯୋଗ କାମନା କରିଥିଲେ । ଜଗନ୍ନାଥ ମହାପ୍ରଭୁଙ୍କ ଏହି ଦୀପଦାନ କାର୍ଯ୍ୟକ୍ରମରେ ଭାଗିଦାର ହେବାକୁ ଚାହୁଁଥିବା ଏବଂ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଓଡ଼ିଶାର ବଦାନ୍ୟ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ନିମ୍ନୋକ୍ତ ବ୍ୟାଙ୍କ ଖାତା (Odisha Internation Centre, SB. Account No.34981956885, IFS Code -SBIN0007891, State Bank Of India, IDCO Tower, Bhubaneswar) ଜରିଆରେ କିମ୍ବା ଫୋନ ପେ ନଂ-୯୪୩୭୩୧୮୨୯୯ରେ ଆର୍ଥିକ ସହାୟତା ପଠାଇପାରିବେ ।
ଏହି ସାମ୍ବାଦିକ ସମ୍ମିଳନୀକୁ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ସାଧାରଣ ସଂପାଦକ ତଥା ଟ୍ରଷ୍ଟି ଶ୍ରୀ ଉଦୟ କୁମାର ଶାନ୍ତି, ଟ୍ରଷ୍ଟି କୁମୁଦିନୀ ପଣ୍ଡା, ଇନ୍ଦିରା ମିଶ୍ର, ଧନେଶ୍ୱର ସାହୁ, କିଶୋର ଚନ୍ଦ୍ର ପ୍ରଧାନ ସୁଚାରୁରୂପେ ସଂପାଳନରେ ସହାୟତା କରିଥିଲେ । ଶେଷରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଧନେଶ୍ୱର ସାହୁ ଉପସ୍ଥିତ ସମସ୍ତ ଅତିଥି, ଛପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମଂଚ ପରିଚାଳନା କରିଥିଲେ ଶ୍ୟାମପ୍ରକାଶ ସେନାପତି ।