ଓଟିଡିସିର ସାମିଲ ହେଲା ୧୦ଟି ନୂତନ ଯାନ : ଆସନ୍ତା ଆର୍ଥିକ ବର୍ଷରେ ୩.୧୦ କୋଟି ଟଙ୍କା ଲାଭାଂଶର ଲକ୍ଷ୍ୟ

ରାଜ୍ୟରେ ପର୍ଯ୍ୟଟକମାନଙ୍କୁ ଯାତ୍ରାକାଳୀନ ନୂତନ ଅନୁଭୂତି ଆଣିଦେବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୧୦ଟି ନୂତନ ଗାଡ଼ିକୁ ସାମିଲ କରାଯାଇଛି । ଏହି ୧୦ଟି ଗାଡ଼ି ମଧ୍ୟରୁ ୪ଟି ଇନୋଭା କ୍ରେଷ୍ଟା, ୪ଟି ସ୍ୱିଫ୍ଟ ଡିଜାୟାର-ସିଡାନ୍‌ ଏବଂ ୨ଟି ଟେମ୍ପୋ ଟ୍ରାଭେଲର ସାମିଲ ରହିଛି । ଏଥି ସହ ଦୁଇଟି ଭଲ୍‌ବୋ ବସ୍‌ ଏବଂ ଲକଜରୀ କୋଚ୍‌ ଥିବା ୨ଟି ଗାଡ଼ି ମଧ୍ୟ ଆଗାମୀ ମାସରେ ସାମିଲ କରାଯିବାର ଯୋଜନା ରହିଛି । ଏଥିରେ ଅତ୍ୟାଧୁନିକ ଓ ପରିବେଶ ଅନୁକୂଳ ସୁବିଧା ଉପଲବ୍ଧ ରହିଛି । ଏହା ଦ୍ୱାରା ନିରନ୍ତର ପର୍ଯ୍ୟଟନ ସୁବିଧା ଉପଲବ୍ଧ ହୋଇପାରିବ ଏବଂ ପର୍ଯ୍ୟଟକମାନେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ବୈଭବକୁ ଉପଭୋଗ କରିପାରିବେ ।
ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଚିନ୍‌ ରାମଚନ୍ଦ୍ର ଯାଦବ, ଜେନେରାଲ୍‌ ମ୍ୟାନେଜର ଡ. ଲଲାଟେନ୍ଦୁ ସାହୁ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରାକାଳୀନ ସେବା ଯୋଗାଇଦେବାର ଲକ୍ଷ୍ୟ ରଖି ଓଟିଡିସି ଏହି ନିଷ୍ପତ୍ତି ଗ୍ରହଣ କରିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଓଟିଡିସିର ପର୍ଯ୍ୟଟନ ପରିବହନ କ୍ଷେତ୍ରରେ ୧.୯୪ କୋଟି ଟଙ୍କା ଲାଭାଂଶ ମିଳିଥିବାବେଳେ ଏହି ନୂତନ ଗାଡ଼ିଗୁଡ଼ିକ ସାମିଲ ହେବା ପରେ ଆସନ୍ତା ଆର୍ଥିକ ବର୍ଷରେ ୩.୧୦ କୋଟି ଟଙ୍କା ଲାଭାଂଶ ବୃଦ୍ଧି ହେବ ବୋଲି ନିଗମ ପକ୍ଷରୁ ଆକଳନ କରାଯାଇଛି । ଆଜି ନୂତନ କରି ସାମିଲ ହୋଇଥିବା ଗାଡ଼ିକୁ ମିଶାଇ ଓଟିଡିସିର ସମୁଦାୟ ଗାଡ଼ି ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ଆଗକୁ ଏହା ଆହୁରି ବୃଦ୍ଧି କରାଯାଇ
ପର୍ଯ୍ୟଟକମାନଙ୍କୁ ଆନୁଷଙ୍ଗିକ ଉନ୍ନତ ସେବା ପ୍ରଦାନ କରାଯିବ ବୋଲି ଓଟିଡିସି ଅଧ୍ୟକ୍ଷ ଡ. ମହାନ୍ତି ସୂଚନା ଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫-‘ଟି’ ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍‌ଙ୍କ ଦିଗ୍‌ଦର୍ଶନରେ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ରୂପାନ୍ତରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ରାଜ୍ୟରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଉଭୟ ଜାତୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ହୋଇଥିବାରୁ ୫-‘ଟି’ ଉପକ୍ରମକୁ ଆଧାର କରି ଉନ୍ନତ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ପର୍ଯ୍ୟଟକମାନଙ୍କୁ ଯାତ୍ରାକାଳୀନ ସୁବିଧା ଓ ସୁରକ୍ଷା ଯୋଗାଇବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ଡ. ମହାନ୍ତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *