ବରିଷ୍ଠ ନାଗରିକ ମାନଙ୍କୁ ଆଶା ବାଡ଼ି ବଣ୍ଟନ

ପୁରୀ ୧୯/୧୨ ବରିଷ୍ଠ ନାଗରିକ ମାନେ ପରିବାର, ରାଜ୍ୟ ଓ ଦେଶ ପାଇଁ ସମ୍ବଳ।ସେମାନଙ୍କୁ ଉପଯୁକ୍ତ ସମ୍ମାନ ସହ ସୁରକ୍ଷା ଓ ଯତ୍ନ ଆମ ସମସ୍ତଙ୍କ ର କର୍ତ୍ତବ୍ୟ ବୋଲି କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ।ମାଟିଆପଡା ସ୍ଥିତ ରଘୁନାଥ କଲ୍ୟାଣ ମଣ୍ଡପ ଠାରେ ଆଜି ଅପରାହ୍ନରେ ନୀଳାଚଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ଆଶା ବାଡ଼ି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମହାରଣା ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାର ବିବିଧ ଯୋଜନା ପ୍ରଣୟନ କରିଛନ୍ତି।ସେମାନ ଙ୍କୁ ପରିଚୟ ପତ୍ର ପ୍ରଦାନ, ବାର୍ଦ୍ଧକ୍ୟ ଭତ୍ତା,ବରିଷ୍ଠ ନାଗରିକଙ୍କୁ ଆଶା ବାଡ଼ି, ଟ୍ରାଇ ସାଇକେଲ ଇତ୍ୟାଦି ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯାଉଛି ବୋଲି କହିଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ବିଭିନ୍ନଗଳ୍ପ ଓ ଉଦାହରଣ ଛଳରେ ବରିଷ୍ଠ ନାଗରିକ ମାନଙ୍କ ଅନୁଭବ, ଅଭିଜ୍ଞତା ଏବଂ ଜ୍ଞାନ ସର୍ବଦା ସମାଜର ମାର୍ଗଦର୍ଶନ ରେ ସହାୟକ ହୋଇଥାଏ ବୋଲି କହିଥିଲେ।ମଞ୍ଚର ସଭାପତି ବୀରେନ୍ଦ୍ର ଭୂଷଣ ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଉପ ସଭାପତି ଦୂର୍ଗା ମାଧବ ମହାପାତ୍ର, ସମ୍ପାଦକ ପ୍ରସନ୍ନ କୁମାର ଶତପଥୀ, କୋଷାଧ୍ୟକ୍ଷ ଅଜୟ କୁମାର ଦୀକ୍ଷିତ, ପରାମର୍ଶ ଦାତା ରମେଶ ମହାନ୍ତି, ବ୍ରଜ କିଶୋର ପଟ୍ଟନାୟକ,ସଦସ୍ୟ ରବିନ୍ଦ୍ର ଦୋରା, ଡା ମନମୋହନ ରାଉତ, ବିଦୁଲତା ଆଚାର୍ଯ୍ୟ,ଦେବେନ୍ଦ୍ର ମହାନ୍ତି, ହରିହର ପାଢ଼ୀ, ନିରୁପମା ମହାନ୍ତି, ସରସ୍ୱତୀ ହୋତା, ବୁଦ୍ଧିଆ ମୁଦୁଲି ଓ ପୂର୍ବତନ କାଉନସିଲର ଲକ୍ଷ୍ମୀଧର ସାହୁ ପ୍ରମୁଖ ବରିଷ୍ଠ ନାଗରିକ ମାନଙ୍କ ଆବଶ୍ୟକତା, ସମସ୍ୟା ,ସୁରକ୍ଷା ଓ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ।ପରେ ବରିଷ୍ଠ ନାଗରିକ ମାନଙ୍କୁ ଆଶା ବାଡ଼ି ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *