ବ୍ଲକସ୍ତରୀୟ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦୁଝର ଜିଲ୍ଲା ପଶ୍ଚିମ ଯୋଡା ଅଡିଟୋରିୟମ ଠାରେ ପଞ୍ଚାୟତିରାଜ ଅନୁଷ୍ଠାନ ଓ ଆସ୍ପାୟାରର ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖଣିଖାଦାନ ଭରା ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯୋଡା ବ୍ଲକରେ ଆବାସିକ ଶିକ୍ଷା ବ୍ୟବସ୍ଥା ସହ ଶିକ୍ଷାର ମୁଖ୍ୟସ୍ରୋତରେ ଯୋଡିବା ପାଇଁ ୨୦୧୫ ମସିହାରେ ବେସରକାରୀ ସଂସ୍ଥା ଟାଟାଷ୍ଟିଲ ଫାଉଣ୍ଡେସନ ସହାୟତାରେ ଆସ୍ପାୟାର କାର୍ଯ୍ୟ କରି ଆସୁଛି । ଶିଶୁ ସୁରକ୍ଷା ଅଧିକାର ସହ ଶିକ୍ଷାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ସଫଳ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା,ସମାଜସେବୀ ଦମୟନ୍ତୀ ସାମଲ,ବିଧାୟିକା ପ୍ରତିନିଧି ବାବୁଲାଲ ସାହୁ,ଯୋଡା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକ,ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ମୃଦୁଳା ମହାନ୍ତି,ଯୋଡା ବ୍ଲକ ବିଇଓ କ୍ଷେତ୍ରମୋହନ ହାସଦା,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସ୍ୱରୂପ ରାଜ ବିଷୋୟୀ,ନିରଞ୍ଜନ ବହିଦାର, ଆସ୍ପାୟାର ଯୋଡା ବ୍ଲକ କୋର୍ଡିନେଟର ରମେଶ ଗୁଗୁଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବାର୍ତ୍ତା ପ୍ରେରଣ କରିବା ସହ ଆସ୍ପାୟାର କରୁଥିବା ସମସ୍ତ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳର ମୁଖ୍ୟ ଉଦ୍ଦେଶ୍ୟ ସମସ୍ତ ଶିଶୁ ମାନେ ଶିକ୍ଷାର ମୁଖ୍ୟ ସ୍ରୋତ ସହିତ ଜଡିତ ହେବା ସହିତ ଭବିଷ୍ୟତରେ ଯେମିତି କୌଣସି ଶିଶୁ ଶିକ୍ଷା ଠାରୁ ଦୂରେଇ ନଯାଇ ଶିକ୍ଷାର ମୌଳିକ ଅଧିକାର ପାଇବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ଶିକ୍ଷା ସମ୍ବନ୍ଧୀୟ ମେଳା ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଡା ବ୍ଲକର ବିଭିନ୍ନ ପଞ୍ଚାୟତ ଜନପ୍ରତିନିଧି, କାଉନସିଲର, ଶିକ୍ଷକ ସମେତ ଅନ୍ୟମାନେ ଉପସ୍ଥିତ ଥିବାର ଦେଖାଯାଇଥିଲା ।
ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ