ବ୍ଲକ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା ଓ ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣାରେ ୯ ଜଣ ଗିରଫ


ତିହିଡି,୩/୮ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀକୁ ନେଇ ଭଦ୍ରକ ଜିଲ୍ଲା ତିହିଡି ବିଡିଓଙ୍କୁ ଘେରିବା ସହିତ ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ତିହିଡି ପୋଲିସ ପକ୍ଷରୁ ୩୨ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ଗତକାଲି ରାତିରେ ବିଭିନ୍ନ ସ୍ଥାନରୁ ୯ ଜଣଙ୍କୁ ଗିରଫ କରି ସିଧାସଳଖ ଭଦ୍ରକ ଟାଉନ ଥାନାରେ ପଚରା ଉଚୁରା କରି ଆଜି କୋର୍ଟଚାଲାଣ କରିଛି। ସୂଚନା ମୁତାବକ ସୋମବାର ପୂର୍ବାହ୍ନରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଜେପି ପରିକ୍ରମା କରିବା ସହିତ ରାଜ୍ୟ ସରକାର ଓ ବ୍ଲକ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ । ପ୍ରଥମେ ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିବା ସହିତ ବ୍ଲକ ଅଧ୍ୟକ୍ଷା ଓ ବିଡିଓଙ୍କ ଦୁଆରେ ନାରାବାଜି ହୋଇଥିଲା । ଉତ୍ୟକ୍ତ କର୍ମୀ ଓ ହିତାଧିକାରୀମାନେ ଏକଜୁଟ୍ ହୋଇ ବ୍ଲକ ଅଧ୍ୟକ୍ଷାଙ୍କ ସାଇନ୍ ବୋର୍ଡ ଭାଙ୍ଗିବା, କବାଟ ବାଡାବାଡି କରିବା ସହିତ ବିଡିଓଙ୍କ ସାଇନ୍ ବୋର୍ଡ ଓ ଡୋର ସ୍କିନ୍ ଚିରି ଦେଇଥିଲେ । ଏପରିକି ବିଡିଓ ବସନ୍ତ କୁମାର ସାହାଣିଙ୍କୁ ଦୁର୍ବବ୍ୟବହାର କରାଯାଇଥିବା କୁହାଯାଉଛି । ଧାମନଗର ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କ ନେତୃତ୍ୱରେ ୩ ଶହରୁ ଉର୍ଦ୍ଧ ବିଜେପି କର୍ମୀ ସାମିଲ ହୋଇଥିଲେ।ତେବେ ପରିସ୍ଥିତି ଅଣାୟତ ହେବା ପରେ ତିହିଡି ତହସିଲଦାର ତଥା ମାଜିଷ୍ଟ୍ରେଟ୍ ରମେଶ ଚନ୍ଦ୍ର ପଣ୍ଡା ଓ ତିହିଡି ଥାନାଧିକାରୀ ତପନ କୁମାର ପ୍ରଧାନ ସଦଳବଳେ ଘଟଣା ସ୍ଥଳରେ ପହଂଚି ମୁକାବିଲା କରିଥିଲେ । ଭଙ୍ଗାରୁଜାର ଭିଡିଓ ତଥା ସର୍ଜମିନ୍ ତଦନ୍ତ ପରେ ନିର୍ଦ୍ଦିଷ୍ଟ ନେତା ଓ କର୍ମୀମାନଙ୍କ ବିରୋଧରେ ବିଡିଓ ଶ୍ରୀ ସାହାଣି ଥାନାରେ ଏତଲା ଦେବା ସହିତ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଦାବି କରିଛନ୍ତି । ବିଜେପିର ଏତାଦୃଶ କାର୍ଯ୍ୟକ୍ରମକୁ ତିବ୍ର ନିନ୍ଦା କରିଛନ୍ତି ବ୍ଲକ ଅଧ୍ୟକ୍ଷା। ତାଙ୍କ ଅନୁପସ୍ଥିତିରେ ବିଜେପିର ବିକ୍ଷୋଭ ଓ ତାଙ୍କ କାର୍ଯ୍ୟାଳୟର ଆସବାବପତ୍ର ଭଙ୍ଗାରୁଜାକୁ ଏକ ଅଗଣତାନ୍ତ୍ରିକ ବୋଲି କୁହିଛନ୍ତି। ତେବେ ବିଡିଓଙ୍କ ଏତଲା ମୂଳେ ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ବିହିତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସଂଧ୍ୟାରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା ତିହିଡି ଆସି ଥାନାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଗକୁ ପ୍ରଶାସନ ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଉଛି ତାହା କେବଳ ଦେଖିବା ବାକି ରହିଲା ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ ।

Leave a Reply

Your email address will not be published. Required fields are marked *