କୈବଲ୍ୟଙ୍କ ଶବ ସତ୍କାରରେ ସାମିଲ ହେଲେ ଓ ମୃତକଙ୍କ ପରିବାରକୁ ଭେଟିଲେ ବିଜେପି ପ୍ରତିନିଧି ଦଳ


ସମ୍ବଲପୁର: ୬/୮ – ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଅଧିନସ୍ଥ କୁଦଗୁଣ୍ଡେରପୁର ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡେରପୁର ଗ୍ରାମର ଚାଷୀ କୈବଲ୍ୟ ରୋହିଦାସ ଗତ ବୁଧବାର ଦିନ କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି । ବୁର୍ଲା ଡାକ୍ତରଖାନାରେ ଦୁଇ ଦିନ ଆଜି ଚିକିତ୍ସା ପରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ବୁର୍ଲା ଭୀମସାରରୁ ଶବ ବ୍ୟବଚ୍ଛେଦ ପରେ ତାଙ୍କ ଗ୍ରାମରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ବାରମ୍ବାର ଏଭଳି ଘଟଣା ଚାଷୀ କୁଳକୁ ନିରାଶା ଓ ଚିନ୍ତାରେ ପକାଇଛି ।
ଆଜି ତାଙ୍କର ମୃତ୍ୟୁ ସୂଚନା ପାଇଲା ପରେ ରେଙ୍ଗାଲି ବିଧାୟକ ନାଉରି ନାଏକ ଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଗୁଣ୍ଡେରପୁର ଗସ୍ତରେ ଯାଇଥିଲେ । ପ୍ରଥମେ ଗ୍ରାମର ଶ୍ମଶାନରେ ତାଙ୍କ ଶବ ସତ୍କାରରେ ସାମିଲ ହୋଇଥିଲେ ଓ ପରେ ତାଙ୍କର ଘରକୁ ଯାଇ ତାଙ୍କ ପରିବାର ବର୍ଗ ଓ ଗ୍ରାମବାସୀଙ୍କୁ ସାକ୍ଷାତ କରିଥିଲେ । ମୃତକଙ୍କ ସ୍ତ୍ରୀ, ପୁଅ, ଝିଅ, ବଡ ଭାଇ ଓ ଉପସ୍ଥିତ ଗ୍ରାମବାସୀଙ୍କୁ ସମସ୍ତ ବିଷୟ ପଚରାଉଚରା କରିଥିଲେ । ସମସ୍ତ ପ୍ରସଙ୍ଗ ଜାଣିଲା ପରେ ବିଧାୟକ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କଲା ପରେ ବିଜେପି ପ୍ରତିନିଧି ଦଳ ଗଭୀର ଉଦବେଗ ପ୍ରକାଶ କରିବା ସଙ୍ଗେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଏଭଳି ଘଟଣା ଘଟିବା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କର ତ୍ରୁଟିପୂର୍ଣ୍ଣ ଟୋକନ ବ୍ୟବସ୍ଥା, ପଞ୍ଜିକରଣର ଅବ୍ୟବସ୍ଥା, ମଣ୍ଡିରେ ଧାନ ବିକ୍ରି କିଣାରେ ଦୁର୍ନୀତି, ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ହିଁ ପ୍ରତିବର୍ଷ ଏଭଳି ଅନେକ ଚାଷୀ ଆତ୍ମହତ୍ୟା କରୁଛନ୍ତି । ଗତ ରବି ଋତୁ ଚାଷ ଏ ଅମଳ ସମୟରେରେ ଅଦିନିଆ ବର୍ଷ, ୟାଶ ବାତ୍ୟା ଫଳରେ ଫସଲ ନଷ୍ଟ, ପରେ କମ ପରିମାଣର ଧନ ବିକ୍ରି ପାଇଁ ମିଳିଥିବା ଟୋକନ, ବଳକା ଧାନକୁ କମ ଦାମରେ ବିକ୍ରି କରିବା ଓ ଅତ୍ୟଧିକ ଋଣଭାର ସମ୍ଭାଳି ନପାରି ମାନସିକ ଭାରସାମ୍ୟ ହରାଇ ଭଳି ପ୍ରସଙ୍ଗ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ମୃତକ ଚାଷୀଙ୍କ ପରିବାରକୁ ତୁରନ୍ତ ଦଶ ଲକ୍ଷ ଟଙ୍କା ସହାୟତା ପ୍ରଦାନ ଓ ତାଙ୍କର ସମସ୍ତ ଋଣକୁ ମାଫ ଜରିବା ପାଇଁ ବିଧାୟକ ଶ୍ରୀଯୁକ୍ତ ନାଏକ ଦାବୀ କରିଛନ୍ତି ।
ପ୍ରତିନିଧି ଦଳରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ରାମ ଚନ୍ଦ୍ର ମେହେର, ବିଜେପି ଜିଲ୍ଲା ସଭାପତି ଗିରିଷ ପଟେଲ, କ୍ଷେତ୍ରିୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ସୁଷମା ସାହୁ, ଗୋଶାଲା ମଣ୍ଡଳ ସଭାପତି ଦେବେନ୍ଦ୍ର ନାଏକ, ମଣ୍ଡଳ ସମ୍ପାଦକ ମନୋଜ ସାହୁ, ମୁରଲୀଧର ଛୁରିଆ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *