ମହାପ୍ରଭୁଙ୍କ ମହିମା ଭକ୍ତ ବଢୁଛନ୍ତି ଦର୍ଶନ ସୁବ୍ଯବସ୍ଥା ପାଇଁ ଭକ୍ତଙ୍କ ଦାବି

ପୁରୀ ଅଫିସ, ୧୬/୬- ବିଶ୍ବନିୟନ୍ତା ବିଶ୍ବପ୍ରସିଦ୍ଧ ଠାକୁର ଶ୍ରୀଜଗନ୍ନାଥ । ସକଳତୀର୍ଥ ତୋଚରଣେ ଭାବି ପ୍ରତିଦିନ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତ ଶ୍ରୀକ୍ଷେତ୍ର ଆସୁଛନ୍ତି । ନୂଆ ସରକାରଙ୍କ ନୂଆ ନିଷ୍ପତି ଫଳରେ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲାଯାଇଛି । ଏହା ଶୁଣି ଭକ୍ତ ଆନନ୍ଦିତ ହୋଇଛନ୍ତି । ରଜ ପାଇଁ ୪ଦିନ ଛୁଟିଥିବାରୁ ଏବଂ ସ୍ଲୁଲ ଛୁଟିଥିବାରୁ ଲକ୍ଷାଧିକ ଭକ୍ତଙ୍କ ପୁରୀ ଆଗମନ ହୋଇଛି । ପୂର୍ବରୁ ଚାରିପଟେ ବ୍ଯାରିକେଡ କରି ଦର୍ଶନାର୍ଥୀଙ୍କୁ ଛନ୍ଦି ପକାଉଥିଲେ । ୨ଶହ ଫୁଟ ବଡଦାଣ୍ଡକୁ ଟର୍ନେଲ ସେଡ ନାମରେ ଅବରୋଧ କରାଯାଇଥିଲା । ଭକ୍ତ ଅଧିକ ଆସିବାରୁ ଦର୍ଶନରେ ସମସ୍ଯା ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଭିତରବେଢା ସାତପାହାଚ ପୂର୍ବରୁ ଭକ୍ତ ମାନଙ୍କୁ ବ୍ଯାଚ ବ୍ଯାଚ କରି ଛଡାଯାଉଛି । ସାତପାହାଚ ଠାରୁ ପୋଲିସ ମାନବ ଶୃଙ୍ଖଳ କରି ଗରୁଡ ଖୁମ୍ବ ଠାରୁ ହୁଣ୍ଡିର ବାମ ପାର୍ଶ୍ବ ଦେଇ ବାହାରକାଠ ନିକଟରେ ଦର୍ଶନ କରିବା ପରେ ଘଣ୍ଟି ଦ୍ବାର ଦେଇ ପ୍ରସ୍ଥାନ କରିବା ପାଇଁ ଭକ୍ତମାନେ ଆଶା ବାନ୍ଧିଛନ୍ତି । ତିନି ଠାକୁରଙ୍କୁ ଦର୍ଶନ କରିବାକୁ ହେଲେ ବାହାରକାଠ ନିକଟରେ ବେକ ଏପଟ ସେପଟ କରି ଦେଖିବାକୁ ପଡୁଛି । ଭିତରକାଠ ବ୍ଯବସ୍ଥା ବନ୍ଦ ହୋଇଥିବାରୁ ଭକ୍ତ ମନୋଭରି ଦର୍ଶନ କରିପାରୁନାହାନ୍ତି । ଦର୍ଶନ ପାଇଁ ଗହଳି ଓ ଠେଲାପେଲା ହେଲେ ମଧ୍ଯ ଯଦି ଭକ୍ତ ତିନି ଠାକୁରଙ୍କୁ ଦର୍ଶନ କରିବା ସହ ଚକାଆଖି ସାଙ୍ଗରେ ଆଖି ମେଳାଇ ପାରିଲା ତେବେ ଭକ୍ତ ଖୁସି ହେବ ବୋଲି ବାଲେଶ୍ବର ଭକ୍ତ ମାଧବାନନ୍ଦ କହିଛନ୍ତି । ଅନ୍ଯପକ୍ଷରେ ଚାରିଦ୍ଵାରରେ ଭକ୍ତ ବିଶ୍ରାମ ସେଡ କରାଯାଇ ଆସ୍ତେ ଆସ୍ତେ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାଗଲେ ଦର୍ଶନ ଶୃଙ୍ଖଳିତ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଅଧିକ ସଂଖ୍ୟକ ପୋଲିସ ନିୟୋଜିତ କରାଯାଇ ଭକ୍ତଙ୍କୁ ବେଶି ସମୟ ମନ୍ଦିର ଭିତରେ ଅପେକ୍ଷାରତ ନକରାଇ ବାହାରକୁ ଛାଡିବା ବ୍ଯବସ୍ଥା କରାଯିବା ପାଇଁ ଭକ୍ତ କହିଛନ୍ତି । ଏବେ ବିଶ୍ୱବ୍ୟାପୀ ମହାପ୍ରଭୁଙ୍କ ମହିମା ପ୍ରଚାର ଯୋର ଧରିଛି । ଏପରିକି ପ୍ରଧାନମନ୍ତ୍ରୀଙ୍କ ଶପଥ ପାଠ ସମୟରେ ଜଗନ୍ନାଥଙ୍କ ମହିମା ସଂପର୍କରେ କହିଥିବାରୁ ତାହା ବିଶ୍ବବ୍ଯାପି ପ୍ରଚାର ହୋଇଛି । ଜନସଂଖ୍ୟା ବଢିବା ସହ ଭକ୍ତ ସଂଖ୍ଯା ବଢୁଛି ମନ୍ଦିରର ପରିଧି ଓ ବଡଦାଣ୍ଡର ପରିଧି ପୂର୍ବରୁ ଯାହା ଥିଲା ସେହିପରି ଅଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଓଡିଶାର ନୂଆ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଭକ୍ତଙ୍କ ସୁବିଧା ପାଇଁ ଅନେକ ସୁ ବ୍ଯବସ୍ଥା କରିବେ ବୋଲି ଭକ୍ତ ଆଶା କରିଛନ୍ତି । ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଓ ସମୁଦ୍ରକୂଳକୁ ନେଇ ଅର୍ଥନୈତିକ ଅତିବୃଦ୍ଧି ହେଉଅଛି । ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତ ନିଯୋଗ, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଗବେଷକ, ବୁଦ୍ଧିଜୀବୀ,ପୁରୀ ଓକିଲ ସଂଘ ଆଦି ବିଦ୍ବାନ ମାନଙ୍କୁ ନେଇ ଏକ ହାଇଲେବୁଲ ବୈଠକ କରାଯାଇ ନିଷ୍ପତ୍ତି ଅନୁସାରେ ଦର୍ଶନ ଶୃଙ୍ଖଳିତ କରିବାକୁ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *