ଜେକେପୁର ଓ ଅମଳାଭଟ୍ଟା ଠାରେ ରଥଯାତ୍ରା ଅନୁଷ୍ଠିତ

ରାୟଗଡ଼ା ତା ୦୭-୦୭-୨୪ ରାୟଗଡା ବ୍ଲକ ଅନ୍ତର୍ଗତ ଜେକେପୁର ଠାରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଆଖ ପାଖ ଅଞ୍ଚଳରୁ ଲୋକମାନେ ଆସି ରଥ ଟାଣିବା ସହ ପୂଜାର୍ଚ୍ଚନା କରିଥଲେ । ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ପରେ ତିନିଟା ବେଳକୁ ଛେରା ପହଁରା କାର୍ଯ୍ୟ ସହ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ ଥିଲା । ଭକ୍ତମାନେ ଚାନ୍ଦିଲିଥାନା ନିକଟରେ ଅବସ୍ଥିତ ଶ୍ରୀ ଗୁଣ୍ଡିଚା ଘରକୁ ତିନି ଠାକୁରଙ୍କ ରଥ ଟାଣି ନେବା ସହ ହରିବୋଲ ହୁଳହୁଳି ଧ୍ୱନିରେ ପରିବେଶକୁ ଭକ୍ତିମୟ କରି ଦେଇଥିଲେ । ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଅନନ୍ତ ବାସୁଦେବ ମନ୍ଦିର ପକ୍ଷରୁ ମଧ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶହ ଶହ ଶ୍ରଦ୍ଧାଳୁ ରଥ ଟାଣିବା ସହ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଚାନ୍ଦିଲି ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ରାୟଗଡାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।