ଲିମ୍ଫାଟିକ ଫାଇଲେରିଆ ଦୂରୀକରଣ କାର୍ଯ୍ୟକ୍ରମ
ଲିମ୍ଫାଟିକ ଫାଇଲେରିଆ ଦୂରୀକରଣ କାର୍ଯ୍ୟକ୍ରମ ଫେବୃଆରୀ ୧୦ରୁ ୧୯ ତାରିଖ ଯାଏଁ ଚାଲିବ ୬ ଟି ଜିଲ୍ଲାରେ ୩୭ ଲକ୍ଷରୁ ଉର୍ଦ୍ଧ୍ବ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାର କରୁଛନ୍ତି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମଫାଇଲେରିଆ ଦୂରୀକରଣ କାର୍ଯ୍ୟକ୍ରମକୁ ଗଣ ଆନ୍ଦୋଳନରେ ପରିଣତ କଲେ ସାଧିତ ହେବ ସରକାରଙ୍କ ମହତ୍ୱାକାଂକ୍ଷା ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ୬ ଟି ଫାଇଲେରିଆପ୍ରବଣ ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆ (ଏଲଏଫ) ଦୂରୀକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମଡିଏ) ଚଳିତବର୍ଷ (୨୦୨୫) ଫେବୃଆରୀ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ କରାଯିବ । ସେଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗ୍ଲୋବାଲ ହେଲଥ ଷ୍ଟ୍ରାଟେଜିସ ସଂସ୍ଥାର ମିଳିତ ଅନୁକୁଲ୍ୟରେ ଏହି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏକ ରାଜ୍ୟସ୍ତରୀୟ ଗଣମାଧ୍ୟମ ସଚେତନତା କର୍ମଶାଳା ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ସମ୍ମିଳନୀ
କକ୍ଷଠାରେ ଆଜି ଅପରାହ୍ନରେ ଆୟୋଜିତ ହୋଇଯାଇଛି । କର୍ମଶାଳାରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଡା. ବିଜୟ ମହାପାତ୍ର କହିଥିଲେ ଯେ, “ ଛଅଟି ଜିଲ୍ଲା ଯଥା ବଲାଙ୍ଗୀର, କଟକ, କଳାହାଣ୍ଡି, କନ୍ଧମାଳ, ନୟାଗଡ ଏବଂ ରାୟଗଡାର ଯୋଗ୍ୟ ହିତାଧିକାରୀମାନେ ଯେଭଳି ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ନିଶ୍ଚିତରୂପେ ଖାଇବେ ସେ ନେଇ ସରକାର ସୁଚିନ୍ତିତ ପଦକ୍ଷେପ ନେଇଛନ୍ତି । ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଭାବରେ ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ନିଶ୍ଚିତ ଭାବରେ ଖାଇବାକୁ ଅନୁରୋଧ କରୁଛି ।” ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଡା. ଜିତେନ୍ଦ୍ର କୁମାର ବେବର୍ତ୍ତା କହିଥିଲେ ଯେ, “ଏହି କାର୍ଯ୍ୟକ୍ରମ ଅଧୀନରେ ଜନସାଧାରଣଙ୍କ ସ୍ବେଚ୍ଛାକୃତ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଫାଇଲେରିଆ ଦୂରୀକରଣ ଦିଗରେ ଜନ-ପ୍ରତିନିଧି, ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତିବଦ୍ଧତା ଆବଶ୍ୟକ । ଫାଇଲେରିଆ ଦୂରୀକରଣ କାର୍ଯ୍ୟକ୍ରମକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିପାରିଲେ ସରକାରଙ୍କ ମହତ୍ୱାକାଂକ୍ଷା ସାଧିତ ହୋଇପାରିବ ।” ଜନସାଧାରଣ ଆଗ୍ରହ ଓ ଗଣମାଧ୍ୟମର ସମର୍ଥନ ବଳରେ ହିଁ ଆମେ ଫାଇଲେରିଆକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବାରେ ସମର୍ଥ ହୋଇପାରିବା । ବହୁସଂଖ୍ୟାରେ ହିତାଧିକାରୀ ଫାଇଲେରିଆ ନିରୋଧୀ ଔଷଧ ସେବନ କଲେ, ଫାଇଲେରିଆ ସଂକ୍ରମଣ ଶୃଙ୍ଖଳାକୁ ଛିନ୍ନ କରାଯାଇପାରିବ ଏବଂ ଏହି ରୋଗକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯାଇପାରିବ ।”ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର କହିଥିଲେ ଯେ, “ଫାଇଲେରିଆ ଏକ ସାମୁହିକ ଜନସ୍ୱାସ୍ଥ୍ୟ ସମସ୍ୟା, ଯାହା ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ । ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଫାଇଲେରିଆସିସ୍ । ସାଧାରଣତଃ ପିଲାଦିନେ ଏହା ସଂକ୍ରମିତ ହେଉଥିବାବେଳେ ପ୍ରାପ୍ତ ବୟସ୍କ ଅବସ୍ଥାରେ ଏହାର ଲକ୍ଷଣ ପ୍ରକାଶପାଏ । ଏହି ସଂକ୍ରମଣ ଶରୀରର ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଦିଏ ଏବଂ ତାହାର ସଠିକ ସମୟରେ ଚିକିତ୍ସା କରାନଗଲେ ଏହା ଶରୀରର ବିଭିନ୍ନ ଅଂଶରେ ଫୁଲା ସୃଷ୍ଟିକରେ, ଏବଂ ପରବର୍ତ୍ତୀ ଅବସ୍ଥାରେ ଏହା ଏକ ଗୁରୁତର ରୋଗରେ ପରିଣତ ହୁଏ । ଫାଇଲେରିଆସିସରେ ଆକ୍ରାନ୍ତ ଲୋକମାନେ ଅନେକ ସମୟରେ ହାଇଡ୍ରୋସିଲ (ଅଣ୍ଡକୋଷ ଫୁଲିବା), ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗ ଫୁଲିବା) ଏବଂ କାଇଲୁରିଆ (ଇଷତ ଧଳା ରଙ୍ଗର ପରିସ୍ରା) ଭଳି ଅନେକ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ଲକ୍ଷଣ ଏଲ୍ଏଫ୍ରେ ଆକ୍ରାନ୍ତ ଲୋକଙ୍କର ଜୀବିକା, ସେମାନଙ୍କ ପାଖରେ ଥିବା ସୁଯୋଗ ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ ଏବଂ ସେମାନେ ଅନେକ ସମୟରେ ସାମାଜିକ ଶରବ୍ୟର ଶିକାର ହୋଇଥାନ୍ତି । ଏହି ରୋଗକୁ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଫାଇଲେରିଆ ନିରୋଧୀ ଔଷଧ (ଡିଇସି, ଆଲବେଣ୍ଡାଜୋଲ, ଆଇଭରମେକଟିନ) ସେବନ ଦ୍ୱାରା ରୋକାଯାଇପାରିବ ।”ଗଣମାଧ୍ୟମର ପ୍ରତିନିଧିମାନଙ୍କ ଏହି ରୋଗ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଡା. ମିଶ୍ର କହିଥିଲେ ଯେ, ଏହି ଔଷଧ ପୂର୍ବରୁ ବ୍ୟବହାର ହେଉଥିବା ଔଷଧଗୁଡିକ ମଧ୍ୟରେ ଅର୍ନ୍ତଭୁକ୍ତ ଓ ଏହାର ସେପରି ଗୁରୁତର ପ୍ରତିକ୍ରିୟା ନାହିଁ । ଯେଉଁ ସବୁ ଛୋଟଛୋଟ ପ୍ରତିକ୍ରିୟା ହୋଇପାରେ ତାହା ପ୍ରାୟତଃ କିଛି ଚିକିତ୍ସା ଆବଶ୍ୟକ କରେନାହିଁ, ତେଣୁ ଜନସାଧାରଣ ମନରୁ ସନ୍ଦେହ ଦୂରକରି ଏହି ଔଷଧ ସେବନ କରିବା ଉଚିତ୍ । ଜିଲ୍ଲା ତଥା ବ୍ଲକ ସ୍ତରରେ ପାର୍ଶ୍ୱ ପ୍ରତିକ୍ରିୟାର ମୁକାବିଲା ନିମନ୍ତେ ଆରଆରଟି ଦଳ ଗଠନ କରାଯାଇଛି । ସେ ମଧ୍ୟ କହିଥିଲେ ଯେ, ‘ଆଲବେଣ୍ଡାଜୋଲ’କୁ ଚୋବେଇ ଖାଇବା ଉଚିତ୍, ଡିଇସି ଏବଂ ଆଇଭରମେକଟିନ ସମ୍ପୂର୍ଣ୍ଣ ଭାବରେ ଗିଳିବାକୁ ହେବ । ଏହି ଔଷଧଗୁଡିକ ଖାଦ୍ୟ ଖାଇବା ପରେ ଖାଇବା ଉଚିତ୍ । ଏହା କୌଣସି ନୂଆ ଔଷଧ ନୁହେଁ ଓ ବହୁଦିନରୁ ବ୍ୟବହୃତ ଔଷଧ । ଲିମ୍ଫାଟିକ ଫାଇଲେରିଆସିସ୍ ଦୂରୀକରଣ ନିମନ୍ତେ ଭାରତର ଜାତୀୟ କାର୍ଯ୍ୟକ୍ରମ ସମ୍ପ୍ରତି ପାଂଚସୂତ୍ରୀ ରଣକୌଶଳ ନେଇ କାର୍ଯ୍ୟକାରୀ କରାଯାଉଛି: ୧. ସାମୂହିକ ଔଷଧ ସେବନ (ଏମଡିଏ): ରୋଗପ୍ରବଣ ଅଞ୍ଚଳରେ ଫାଇଲେରିଆସିସ୍ ବ୍ୟାପିବା ରୋକିବା ସକାଶେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବା ଅତ୍ୟନ୍ତ ଜରୁରୀ । ୨. ଗୋଦର ଗୋଡର ଯତ୍ନ ଏବଂ ହାଇଡ୍ରୋସିଲ ଅସ୍ତ୍ରୋପଚାର ।୩. ଭେକ୍ଟର (ମଶା ) ନିୟନ୍ତ୍ରଣ୪. ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ, ପଂଚାୟତି ରାଜ ମନ୍ତ୍ରଣାଳୟ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ସହରାଂଚଳ ଓ ଗ୍ରାମାଂଚଳ ବିକାଶ ମନ୍ତ୍ରଣାଳୟ ଆଦି ସମ୍ବନ୍ଧିତ ମନ୍ତ୍ରଣାଳୟର ସମ୍ମିଳିତ ପ୍ରୟାସ୫. ଡିଜିଟାଲ ପ୍ଳାଟଫର୍ମଗୁଡିକର ସମନ୍ୱିତ ପ୍ରୟାସ ଦ୍ବାରା ଜନ ସଚେତନତା ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅତିରିକ୍ତ ନିର୍ଦ୍ଦେଶକ ତଥା ଷ୍ଟେଟ ପ୍ରୋଗ୍ରାମ ଅଫିସର ଡା.ପ୍ରଭାକର ସାହୁ କହିଥିଲେ ଯେ, “୨୦୨୭ ସୁଦ୍ଧା ଫାଇଲେରିଆସିସ୍ର ଦୂରୀକରଣ ନିମନ୍ତେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ପ୍ରୟାସ ସମୂହର କାର୍ଯ୍ୟକାରିତା ଜାରି ରଖିବାର ଗୁରୁତ୍ୱକୁ ଉପଲବ୍ଧି କରି ଓଡ଼ିଶା ସରକାର ଉପୋରକ୍ତ ୬ ଟି ଫାଇଲେରିଆପ୍ରବଣ ଜିଲ୍ଲାର ୪୭ ବ୍ଲକରେ ଏମଡିଏ କାର୍ଯ୍ୟକ୍ରମ ହେବ । ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଅଭିଯାନ ପର୍ଯ୍ୟାୟରେ ୬ ଟି ଜିଲ୍ଲାରେ ୩୭,୭୭,୪୦୬ ଜଣ ହିତାଧିକାରୀଙ୍କୁ ଔଷଧ ଖୁଆଇବା ସୁନିଶ୍ଚିତ କରିବା ପାଇଁ ୧ ୫,୦୩୧ ଜଣ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ ଘରକୁ ଘର ଗସ୍ତ କରିବେ । କାର୍ଯ୍ୟକ୍ରମ ତଦାରଖ କରିବା ନିମନ୍ତେ ୧୫୦୩ ଜଣ ସୁପରଭାଇଜରମାନଙ୍କୁ ନିୟୋଜିତ କରାଯାଉଛି । ଶେଷରେ ଶ୍ରୀ ଅନୁଜ ଘୋଷ, ସିନିୟର ଡାଇରେକ୍ଟର, ଗ୍ଲୋବାଲ ହେଲଥ ଷ୍ଟ୍ରାଟେଜିସ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତଙ୍କର ମିଳିତ ପ୍ରୟାସରେ ଆମେ ରାଜ୍ୟରେ ଲିମ୍ଫାଟିକ ଫାଇଲେରିଆସିସ୍ ଭଳି ରୋଗକୁ ଦୂର କରିପାରିବା ବୋଲି ଆଶାବ୍ୟକ୍ତ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକମାନଙ୍କ ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ପିସିଆଇର ରାଜ୍ୟ ପ୍ରତିନିଧି ମଧ୍ୟ ଏହି ଗଣମାଧ୍ୟମ କର୍ମଶାଳାରେ ଉପସ୍ଥିତ ଥିଲେ ।ସୌରଭ ପ୍ରଧାନଲୋକ ସମ୍ପର୍କ ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ